ବେଆଇନ କୋଇଲା ଗାଡିକୁ ପୁଲିସ ଜିମା ଦେଲେ ଲୋକେ

ସିମୁଳିଆ: ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି। କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ ପକାଇଛି। ସୂଚନାରୁ ପ୍ରକାଶ ବିଦେଶରୁ ଧାମରାକୁ ରେଳ ଯୋଗେ ଆସୁଥିବା କୋଇଲାକୁ କୋଇଲା ମାଫିଆ ମାନେ ପୋଲିସକୁ ଚକମା ଦେଇ କମ ମୂଲ୍ୟରେ ମଣ୍ଡି ମାନଙ୍କରେ ବିକ୍ରି ହୋଇଥାଏ। ଏହି ବେପାର ବାସୁଦେବପୁର-ସିମୁଳିଆ ଅଞ୍ଚଳର ଜାମ୍ମୁଝାଡ଼ି, ମଇତାପୁର, ଅଡା,ଶ୍ୟାମସୁନ୍ଦରପୁର,ବାଲିଖଣ୍ଡ ଆଦି ସ୍ଥାନରେ ମଣ୍ଡି ଖୋଲାଯାଇ ବାହାରକୁ ଚାଲାଣ ହେଉଛି। ଏହାର ଟେର ସିମୁଳିଆ ପୋଲିସ ପାଉ ନ ଥିବା ଜଣାଯାଏ। ସେହିପରି ଆଜି ମଇତାପୁର ଛକ ନିକଟରେ ଏକ କୋଇଲା ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଓ କୋଇଲାକୁ ଜବତ କରି ଥାନାକୁ ଆଣିଥିଲେ। ଏହି ଗାଡ଼ିରେ ୪୦ବ୍ୟାଗରୁ ଉର୍ଦ୍ଧ୍ବ କୋଇଲା ଥିବା ପୋଲିସ ସୂତ୍ରରୁ ପ୍ରକାଶ। ମାତ୍ର କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। ଦୀର୍ଘଦିନ ଧରି ଏ ଅଞ୍ଚଳରେ ବେଆଇନ କୋଇଲା ବେପାର ଚାଲୁଥିଲେ ବି ପୋଲିସ କିପରି ଏହା ଜାଣି ପାରୁନାହିଁ ଯାହା ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣ ସନ୍ଦେହ ପ୍ରକଟ କରିଛି। ଏହି ଚଡାଉ ପରେ କୋଇଲା ମାଫିଆଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। କିଏ ଏହି ବେଆଇନ କୋଇଲା ବେପାର କରୁଛି ତାହା ତଦନ୍ତ କଲେ ପ୍ରକୃତ ଆସାମୀ ପୋଲିସ ହାତରେ ଧରାପଡିବ ବୋଲି ଜଣାଯାଇଛି।

Comments are closed.