୧୫ରେ ଲଇଡା ସମଲେଶ୍ବରୀଙ୍କ ୨୫୪ତମ ପ୍ରସିଦ୍ଧ  ବଳିଯାତ୍ରା

ରେଙ୍ଗାଲି:  ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାର   ଲଇଡା ରେ ଅନ୍ୟତମ ପୁରାତନ ଶକ୍ତିପୀଠ ରେ ଆରାଧ୍ୟ ଦେବୀ ମା ସମଲେଶ୍ବରୀ  ଙ୍କ ୨୫୪ତମ ବଳିଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ସାରିଛି। ମନ୍ଦିରକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯିବା ସହିତ ଗ୍ରାମ ଚତୁଃପାର୍ଶ୍ଵ ପ୍ରବେଶ ଦ୍ବାରରେ ଆକର୍ଷଣୀୟ ସ୍ବାଗତ ତୋରଣ ଏବଂ ବସଷ୍ଟାଣ୍ଡରୁ ମୁଖ୍ୟ ରାସ୍ତା ଦେଇ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା କୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଛି।
୧୭୭୦ ମସିହାରୁ ତତ୍କାଳୀନ ଜମିଦାର ସମର ସିଂହଙ୍କ ଅମଳରୁ ଆରମ୍ଭ ହୋଇଥିବା ବଳିଯାତ୍ରା ଅଞ୍ଚଳବାସୀଙ୍କ ସାମାଜିକ ଓ ଆଧ୍ୟାତ୍ମିକ ଜୀବନଧାରା ର ଏକ ଅଭିନ୍ନ ଅଙ୍ଗ ରେ ପରିଣତ ହୋଇ ସାରିଛି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତେ ଏହି ଯାତ୍ରା ରେ ଏକାକାର ହୋଇଥାନ୍ତି।  ୧୭୭୦ ମସିହାରୁ ନିରବଚ୍ଛିନ୍ନ ଭାବରେ ୨୫୪ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ଲଇଡା ର ବଳିଯାତ୍ରା ସାମାଜିକ ଏକତା ର ମହାମିଳନ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି।
ବଳିଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଆଶ୍ୱିନ କୃଷ୍ଣ ପ୍ରତିପଦା ରୁ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ବଳନ ଏବଂ ପୁଅଜିଉଁତିଆ ଦିନ ଦେବୀଙ୍କ ପାଟଖଣ୍ଡା ସ୍ଥାପନ ବିଧି ସମ୍ପନ୍ନ ହୋଇ ଦେବୀଙ୍କୁ ବିଭିନ୍ନ ବେଶଭୂଷା ଅଳଙ୍କାର ରେ ସଜ୍ଜିତ କରାଯାଇ ସାରିଛି । ଅମବାସ୍ୟା ରେ ମହାଳୟା ପୂଜା ଏବଂ  ଗୁଚ୍ଛାପାଲି ଗ୍ରାମ ରେ ଉଆଁସ ବଳୀଯାତ୍ରା।  ଅଷ୍ଟମୀ ତିଥିରେ ଖଣ୍ଡା ଧୁଆ ଓ ଷୋହଳ ଖଣ୍ଡା ସ୍ଥାପନ, ଭାଇ ଜିଉଁନ୍ତିଆ।   ବିଜୟା ଦଶମୀ ଦିନ ଅଖଣ୍ଡ ଦୀପ ବିସର୍ଜନ ପରେ ଜମିଦାର ଏବଂ ତାଙ୍କ ଅନୁଗତ ରଣଜିତା ଉତ୍ସବ ରେ ବିଭିନ୍ନ ଯୁଦ୍ଧ କୌଶଳ ର ଆଖଡା ପ୍ରଦର୍ଶନ କରାଯିବ। ଏହା ପରେ ୧୫ତାରିଖ ମଙ୍ଗଳବାର ଦିନ ରାତି ୮ ଟାରେ ଦେବୀ ବରୁଆ ଶରୀର ରେ ବିଜେ ହୋଇ ଗ୍ରାମ୍ୟ ପରିକ୍ରମା ରେ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରିବେ।
ଗ୍ରାମ ପରିକ୍ରମା ସାରି ୧୬ ତାରିଖ ବୁଧବାର ଅପରାହ୍ନ ରେ ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ଅବସର ରେ ବରୁଆ ଶରୀର ରୁ ଦୈବୀଶକ୍ତି ଅପସାରଣ କଲାପରେ ଯାତ୍ରା ଉଦଯାପିତ ହେବ। ବଳିଯାତ୍ରା ଅବସରରେ ଢେଙ୍କାନାଳ ହାର୍ଟବିଟ୍ ଗ୍ରୁପ୍ ମେଲୋଡି। କୁମ୍ଭାରୀ ବ୍ରଜେଶ୍ୱରୀ ନାଟ୍ୟ ଅନୁଷ୍ଠାନ (ଭଗବାନ ପାର୍ଟି) ର ନାଟକ “ଟଢେଁଇ”। ସମ୍ବଲପୁର ର ପଞ୍ଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ର ସାଂସ୍କୃତିକ କାର୍ଯ୍ୟକ୍ରମ।  ରେମଣ୍ଡା ଓ ସାହାସପୁର ର କୃଷ୍ଣଗୁରୁ ଭଜନ ଓ ବଲାଙ୍ଗୀର ର ମହିଲା ଦଣ୍ଡ ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପ୍ରେମଆଧାର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ଯ ଆୟୋଜିତ ହେବ ବୋଲି ପୂଜା କମିଟିର ସଭାପତି ସନ୍ଦେଶ ପୃଷ୍ଟି ଙ୍କ ଠାରୁ ପ୍ରକାଶ।

Comments are closed.