ରତ୍ନ ହରାଇଲା ଶିଳ୍ପ ଜଗତ
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ପରଲୋକ ଗମନ କରିବା ସହ ଏକ ଯୁଗର ଅନ୍ତଃ ଘଟିଛି। ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ରତନ ଟାଟାଙ୍କ ନାମ ନିମ୍ନରେ ଥିଲେ ହେଁ ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇବା ଏବଂ ତାଙ୍କ କାର୍ଯ୍ୟ ନୈତିକତା ଯୋଗୁଁ ସବୁଦିନ ପାଇଁ ସେ ମନେରହିବେ। ପ୍ରସିଦ୍ଧ ଟାଟା ପରିବାରରେ ରତନ ନୱାଲ ଟାଟାଙ୍କ ଜନ୍ମ। ୧୯୩୭ ଡିସେମ୍ବର ୨୮ରେ ବମ୍ବେରେ ଜନ୍ମଗ୍ରହଣ କରିଥିବା ରତନଙ୍କୁ ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିଲା। ଜେଜେମାଆ ତାଙ୍କର ଲାଳନ ପାଳନ କରିଥିଲେ। ହାଇସ୍କୁଲ୍ ଶିକ୍ଷା ସାରି ରତନ ଟାଟା କର୍ନେଲ ବିଶ୍ବବିଦ୍ୟାଳୟରୁ ଆର୍କିଟେକ୍ଚରରେ ଡିଗ୍ରୀ ହାସଲ କରିଥିଲେ। ପରେ ହାଭାର୍ଡ ବିଜିନେସ୍ ସ୍କୁଲ୍ରେ ମ୍ୟାନେଜମେଣ୍ଟ ପାଠ ପଢ଼ିଥିଲେ। ଏକାଧିକ କମ୍ପାନୀରେ କାମକରିବା ପରେ ରତନ ଟାଟା ୧୯୬୨ରେ ଟାଟା ଗ୍ରୁପ୍ରେ ଜଣେ ଆସିଷ୍ଟାଣ୍ଟ ବା ସହକାରୀ ଭାବେ କାମ କରିଥିଲେ। ୧୯୭୧ରେ ସେ ନ୍ୟାସନାଲ ରେଡିଓ ଏଣ୍ଡ୍ ଇଲେକ୍ଟ୍ରାନିକ୍ସ କମ୍ପାନୀ ଲିଃ (ନେଲ୍କୋ)ର ନିର୍ଦେଶକ ଭାବେ କାମ କରିଥିଲେ। ୧୯୮୧ରେ ସେ ପୁଣି ଟାଟା ଗ୍ରୁପ୍କୁ ଫେରିଥିଲେ। ୧୯୮୬ରେ ରତନ ଟାଟା ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ କିଛିବର୍ଷ କାମ କରିଥିଲେ। ୧୯୯୧ରେ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦରୁ ଜେ.ଆର୍.ଡି. ଟାଟା ଓହରି ଯାଇଥିଲେ ଏବଂ ତାଙ୍କ ଉତ୍ତରାଧିକାରୀ ଭାବେ ରତନ ଟାଟାଙ୍କୁ ବାଛିଥିଲେ। ରତନ ଟାଟା ୨୧ ବର୍ଷ ଧରି ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଥିବା ବେଳେ କମ୍ପାନୀର ରାଜସ୍ବ ୪୦ ଗୁଣା ଏବଂ ଲାଭାଂଶ ୫୦ ଗୁଣା ବଢ଼ିଥିଲା। ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ନାମୀ ବ୍ରାଣ୍ଡ୍- ଟେଟ୍ଲି (ଇଂଲଣ୍ଡ) ଓ ଜାଗୁଆର ଲ୍ୟାଣ୍ଡ୍ ରୋଭର ଭଳି କମ୍ପାନୀର ମାଲିକାନା ହାସଲ କରିଥିଲା। ଫଳରେ ଏକ ଭାରତୀୟ କମ୍ପାନୀ ବିଶ୍ବସ୍ତରରେ ତା’ର ପତିଆରା ଦେଖାଇଥିଲା। ୧୯୯୬ରେ ରତନ ଟାଟା ଟେଲିକମ୍ରେ ବିପ୍ଳବ ଆଣି ଟାଟା ଟେଲିସର୍ଭିସେସ୍ ଆରମ୍ଭ କରିଥିଲେ। ରତନ ଟାଟାଙ୍କ ଦିଗ୍ଦର୍ଶନରେ ଟାଟା ଗ୍ରୁପ୍ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଣଲରେ ନିର୍ମିତ ଇଣ୍ଡିକା କାର୍ ବଜାରକୁ ଛାଡ଼ିଥିଲା। ୨୦୦୨େର ଟାଟା ଗ୍ରୁପ୍ ଭିଏସ୍ଏନ୍ଏଲ୍ର ମାଲିକାନା ହାସଲ କରିଥିଲା। ୨୦୦୮ରେ ସାଧାରଣ ଲୋକଙ୍କ କାର୍ ଚଢ଼ିବାର ସ୍ବପ୍ନକୁ ରତନ ଟାଟା ସାକାର କରିଥିଲେ। ମାତ୍ର ୧ ଲକ୍ଷ ଟଙ୍କାରେ ରତନ ବଜାରକୁ ଆଣିଥିଲେ ଟାଟା ନାନୋ କାର୍। ୨୦୧୧ରେ ଟାଟା ନାନୋ ବିଶ୍ବ ବଜାରରେ ପ୍ରବେଶ କରିଥିଲା। ଟାଟା ଅଧିନସ୍ଥ ଟିସିଏସ୍ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଏବଂ ଭାରତର ୨ୟ ସର୍ବବୃହତ୍ ଆଇଟି କମ୍ପାନୀ। ୨୦୦୬ରେ ଡିଟିଏଚ୍ ସେବା ଟାଟାସ୍କାଏ ଲଞ୍ଚ୍ କରି ରତନ ଟାଟା ଟେଲିଭିନ୍ ସେବାରେ ନୂତନ ବିପ୍ଳବ ଆଣିଥିଲେ। ୧୯୮୩ରେ ଦେଶର ପ୍ରଥମ ଲୁଣ ବ୍ରାଣ୍ଡ୍ ଟାଟା ସଲ୍ଟ ହିଁ ରତନ ବଜାରକୁ ଛାଡ଼ିଥିଲେ। ଚା’ ଓ କଫି ବଜାରରେ ଟାଟା ଏକ ଜଣାଶୁଣା ନାମ ପାଲଟି ଯାଇଥିଲା। ରତନ ଟାଟା କେବଳ ଜଣେ ଶିଳ୍ପପତି କିମ୍ବା ବ୍ୟବସାୟୀ ନଥିଲେ। ସେ ଥିଲେ ଦେଶର ନାମୀ ପରୋପକାରୀ ଓ ସମାଜସେବୀ। ଟାଟା ଗ୍ରୁପ୍ର ଲାଭାଂଶର ପାଖାପାଖି ୬୫ ପ୍ରତିଶତ ସାଧାରଣ ଲୋକଙ୍କ ସେବାରେ ଲାଗୁଥିଲା। ଏଥିରେ ସାମିଲ ଥିଲା ସ୍ବାସ୍ଥ୍ୟ, ଶିକ୍ଷା ଓ ଗ୍ରାମୀଣ ବିକାଶ। ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ୨୦୧୨ରେ ରତନ ଟାଟା ଅବସର ନେଇଥିଲେ। ଏହାପରେ ମଧ୍ୟ ସେ ଜନସେବା ଜାରି ରଖିଥିଲେ। ଶିଳ୍ପ ଓ ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ରତନ ଟାଟାଙ୍କୁ ୨୦୦୦ରେ ଭାରତ ସରକାର ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ।
Comments are closed.