ଡକାୟତି ଯୋଜନାବେଳେ ପୁଲିସର ଚଢ଼ାଉ, ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଗିରଫ

ଗୋରୁ : ଡକାୟତି ମାମଲାରେ ଫେରାର ଥିବା ଦୁର୍ଦ୍ଧାନ୍ତ ଅପରାଧୀକୁ ଗୋଳନ୍ଥରା ଥାନା ପୁଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ଜଣକ ଜୁଗୁଡ଼ି ଗ୍ରାମର ଶଙ୍କର ଗୌଡ଼ ବୋଲି ପୁଲିସ ସୂଚନା ଦେଇଛି ।  ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଗତ ଏପ୍ରିଲ ୨୬ ତାରିଖ ଭୋର ତିନିଟା ସମୟରେ ହଳଦିଆପଦର ବସ ଷ୍ଟାଣ୍ଡ ପଛପଟେ ଏକ ଖୋଲା ସ୍ଥାନରେ ଡକାୟତିମାନେ ବନ୍ଧୁକ ଖଣ୍ଡା, କାତି ଓ ବିଭିନ୍ନ ପ୍ରକାର ମାରଣସ୍ତ୍ର ଧରି ବ୍ୟାଙ୍କ, ପଥଚାରି ଓ ମଦ ଦୋକାନକୁ ଡକାୟତି ଯୋଜନା କରୁଥିବା ସମୟରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ପୁଲିସର ଏକ ଟିମ ସେଠାରେ ଚଡାଉ କରିଥିଲା ।

ଘଟଣାସ୍ଥଳରୁ ୩ ଜଣ ଡକାୟତଙ୍କୁ ପୁଲିସ କାବୁ କରିଥିବାବେଳେ ଶଙ୍କର ସମେତ ଅନ୍ୟ ଦୁଇ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରୁ ପୁଲିସ ଶିବରାମ ପାଳ ନିକଟରୁ ଗୋଟିଏ ୯ ଏମଏମ ବନ୍ଧୁକ ସହ ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କଠାରୁ ଦୁଇଟି ଖଣ୍ଡା,୨ ଟି ଜୀବନ୍ତ ବୋମା ଓ ବୋମା ତିଆରି ସାମଗ୍ରୀ ଜବତ କରିଥିଲା। ଫେରାର ରହିଥିବା ଶଙ୍କର କେ ନୂଆଗାଁ ଥାନା ଅଧିନସ୍ଥ ଦେଖାଳି ଗ୍ରାମରେ ଥିବା ଖବର ପାଇ ରବିବାର ରାତିରେ ପୁଲିସ ଚଡାଉ କରି ଶଙ୍କରକୁ କାବୁ କରି ଗୋଳନ୍ଥରା ଥାନାରେ ଅଟକ ରଖି ପଚାର ଉଚରା କରିବା ପରେ ଥାନା କେସ ନମ୍ବର ୧୯୮/୨୪ ମାମଲାରେ  ଗିରଫ କରି କୋର୍ଟ ଚାଲାଣ କରିଛି ।  ଶଙ୍କର ନାଁରେ ଗୋଳନ୍ଥରା ଥାନାରେ ପୂର୍ବରୁ ୮ ଟି ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି ।  ଏହି ଘଟଣାରେ ପୂର୍ବରୁ ଚାରି ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.