କଲକାତା : ଗଙ୍ଗାସାଗରରେ ପୁଣ୍ୟାର୍ଥୀଙ୍କ ଭିଡ଼ ଲାଗି ରହିଥିଲେ ସୁଦ୍ଧା ଏହା ଚଳମାନ। ଯାତାୟାତ ଏବଂ ଉନ୍ନତ ଭିତ୍ତିଭୂମି ଯୋଗୁଁ ଶ୍ରଦ୍ଧାଳୁମାନେ ଗଙ୍ଗାସାଗରରେ ଅଟକି ରହିବା ପାଇଁ ଉଚିତ୍ ମନେ କରୁନାହାଁନ୍ତି। ବୁଡ଼ ପକାଇବା ପରେ କପିଳମୁନି ଆଶ୍ରମରେ ପୂଜା ଦେଇ ସଙ୍ଗେସଙ୍ଗେ ଫେରି ଆସୁଛନ୍ତି। କାରଣ ପୂର୍ବବର୍ଷ ଭଳି ମୁଡ଼ିଗଙ୍ଗାରେ ଦୀର୍ଘକ୍ଷଣ ଅଟକି ରହିବାକୁ ପଡ଼ୁନାହିଁ। ଏହା ସହିତ ସାଗର କୂଳରୁ କଚୁବେଡ଼ିୟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଛୋଟଛୋଟ ଗାଡ଼ି ଚଳାଚଳ କରିବାର ବ୍ୟବସ୍ଥା ହୋଇଛି। ବହୁ ପୁଣ୍ୟାର୍ଥୀ ମାହେନ୍ଦ୍ରବେଳାକୁ ଅପେକ୍ଷା ନ କରି ସାଗରସ୍ନାନ କରିଛନ୍ତି। ମଙ୍ଗଳବାର ଅପରାହ୍ଣ ପର୍ଯ୍ୟନ୍ତ ପୁଣ୍ୟସ୍ନାନର ସମୟ ରହିଛି। ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମେଳା ପ୍ରାଙ୍ଗଣରେ ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ,
ଯୁବ କଲ୍ୟାଣ ମନ୍ତ୍ରୀ ଅରୂପ ବିଶ୍ୱାସ, ବିଦ୍ୟୁତ୍ ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ, ସାଂସଦ ମନୀଷ ଗୁପ୍ତ, ଜିଲା ପରିଷଦ ସଭାଧିପତି ଶାମିମା ଶେଖ୍, ଜିଲାପାଳ ୱାଇ. ରତ୍ନାକର ରାଓ, ସୁନ୍ଦରବନ ଉନ୍ନୟନ ମନ୍ତ୍ରୀ ମଣ୍ଟୁରାମ ପାଖିରା ପ୍ରମୁଖ ଉପସ୍ଥିତ ହୋଇ ପରିସ୍ଥିତି ସମ୍ବନ୍ଧରେ ଅନୁଧ୍ୟାନ କରିଛନ୍ତି। ପ୍ରୟାଗରାଜ (ଆଲ୍ଲାହାବାଦ)ରେ ଅର୍ଦ୍ଧକୁମ୍ଭ ଥିବାରୁ ଗଙ୍ଗାସାଗରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ମନେ କରାଯାଉଥିଲା, ଯାହାକି ଭୁଲ୍ ପ୍ରମାଣିତ ହୋଇଛି। ମେଳାକୁ ଦେଖିଲେ ପରମ୍ପରା ଏବଂ ବିଶ୍ୱାସର ଏକ ଅନାବିଳ ମେଳବନ୍ଧନ ବାରି ହୋଇ ପଡ଼େ। ମହିଳାମାନଙ୍କ ଗଙ୍ଗା ଆଳତି କରିବା ସହ ଗୋ-ଦାନ ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। ମନ୍ଦିର ମଧ୍ୟରେ ଶ୍ରୀଚୈତନ୍ୟ ଦେବଙ୍କ ମୂର୍ତ୍ତି ଉନ୍ମୋଚିତ ହୋଇଛି।
ଶ୍ରଦ୍ଧାଳୁମାନେ ବୁଡ଼ ପକାଇ କପିଳମୁନି ଆଶ୍ରମ ସମ୍ମୁଖରେ ଭିଡ଼ ଲଗାଉଥିବାରୁ ପ୍ରଶାସନ ସେମାନଙ୍କୁ ଶୀଘ୍ର ଚାଲିଯିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଜଳପଥ, ସ୍ଥଳପଥ ଓ ଆକାଶ ପଥରୁ ପରିସ୍ଥିତିର ଅନୁଧ୍ୟାନ କରାଯାଉଛି। ବିପର୍ଯ୍ୟୟ ମୁକାବିଲା ଦପ୍ତର, ଉପକୂଳ ରକ୍ଷୀ ବାହିନୀ, ହେଲିକପ୍ଟର, ହୋବାରକ୍ରାଫ୍ଟ ଦ୍ୱାରା ବିଶେଷ ପଦକ୍ଷେପ ନିଆଯାଇଛି।
ଅନ୍ୟପକ୍ଷରେ ଏହି ମେଳାକୁ ଅନେକ ବ୍ୟବସାୟର ମାଧ୍ୟମ କରିନେଇଛନ୍ତି। ଶିବ, ପାର୍ବତୀ, କୃଷ୍ଣ, ରାମ, ସୀତା, କପିଳମୁନି ବେଶରେ ସଜ୍ଜିତ ହୋଇ ବହୁରୂପୀମାନେ ଘୁରି ବୁଲୁଛନ୍ତି। ସେମାନଙ୍କୁ ପୁଣ୍ୟାର୍ଥୀମାନେ ଅର୍ଥଦାନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।
ଏହି ପରିସ୍ଥିତିରେ କେତେକ ଅସାଧୁଙ୍କ କାର୍ଯ୍ୟ ବ୍ୟାପକ ରୂପ ନେଇଛି। ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ବେ ଅନେକ ପକେଟମାର୍ ସେମାନଙ୍କ ମାଷ୍ଟର ପ୍ଲାନ୍ରେ ଲୁଟ୍ କରୁଛନ୍ତି। କିଛି ପକେଟମାର୍ ଧରାପଡ଼ିବା ଦ୍ୱାରା ସାଧାରଣଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି। କାକଦ୍ୱୀପ, ନାମଖାନା, ମୁଡ଼ିଗଙ୍ଗା, ଘାଟ, କଚୁବେଡ଼ିୟା ଓ ସାଗର ବେଳାଭୂମିରେ ଏହି ପ୍ରକାର ଚୋରି ହେଉଥିବା ଦେଖାଯାଇଛି। ସରଳ ଧର୍ମପୀପାଷୁଙ୍କ ମଧ୍ୟରୁ କେତେକ ସର୍ବସ୍ବାନ୍ତ ହେଉଛନ୍ତି। ପୁଲିସ ଅନୁଧ୍ୟାନ କରୁଥିଲେ ସୁଦ୍ଧା ବିଶେଷ କିଛି ସୁଫଳ ମିଳୁନାହିଁ। ଏହାସହିତ ବହୁ ଭଣ୍ଡ ସାଧୁ ମଧ୍ୟ ପରିସ୍ଥିତିକୁ ଜଟିଳ କରିଛନ୍ତି।
ଗଙ୍ଗାସାଗରରେ ୧୫ଲକ୍ଷ ପୁଣ୍ୟାର୍ଥୀ
Popular Categories



