ଅବ୍ୟବସ୍ଥା ଘେରରେ ହାଟପଦା ଅଙ୍ଗନବାଡି, ନିର୍ମାଣ ହୋଇପାରୁନି ରାସ୍ତା
ଫୁଲବାଣୀ : ସରକାର ଶିକ୍ଷାର ବିକାଶ ଓ ଉପଯୁକ୍ତ ଶିକ୍ଷା ପାଇଁ କୋମଳମତି ଶିଶୁ ଓ ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ତ ବ୍ୟବସ୍ଥା କରି ଆସୁଛନ୍ତି । ତଥାପି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋମଳମତି ଶିଶୁ ଓ ଛାତ୍ରଛାତ୍ରୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଫିରିଙ୍ଗିଆ ବଜାର ନିକଟରେ ଥିବା ହାଟପଦା ଅଙ୍ଗନବାଡି କେନ୍ଦ୍ରରେ । ଏହା କେବଳ ନାଁକୁ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ହୋଇରହିଛି । ଅଙ୍ଗନବାଡି କେନ୍ଦ୍ରରେ ୩୦ ରୁ ଅଧିକ ଶିଶୁ ପାଠ ପଢୁଛନ୍ତି । ଅନେକ ବର୍ଷ ପରେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତାଟିଏ ହୋଇପାରୁନି । ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।
କେନ୍ଦ୍ର ଚାରି ପଟେ ଲଟା ବୁଦା ଭର୍ତ୍ତି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ବାରମ୍ବାର ରାସ୍ତା ପାଇଁ ପ୍ରଶାସନିକ ସ୍ତରରେ ଅଭିଯୋଗ ହୋଇଥିଲେ ମଧ୍ୟ ରାସ୍ତାଟିଏ ହୋଇପାରୁନି । ଅନ୍ୟପଟେ ବିପଦପୂର୍ଣ୍ଣ ଲଟା ବୁଦା ରାସ୍ତାରେ ଅଧିକାଂଶ ସମୟରେ ସାପ ବିଚରଣ କରୁଥିବାରୁ କୋମଳମତି ଶିଶୁଙ୍କ ପାଇଁ ବିପଦ ରହିଥିବାରୁ ଚିନ୍ତାରେ ପଡୁଛନ୍ତି ଅଭିଭାବକ । ଅଙ୍ଗନବାଡି କେନ୍ଦ୍ରରେ ରାସ୍ତା ନଥିବା ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ତୁରନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।
Comments are closed.