ମାଲକାନଗିରି : କେନ୍ଦ୍ର ସରକାରଙ୍କ ଶ୍ରମିକ, କର୍ମଚାରୀ ଓ କୃଷି ନୀତିକୁ ବିରୋଧ କରି ଦେଶର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୨ ଦିନିଆ ଧର୍ମଘଟର ପ୍ରଭାବ ମାଲକାନଗିରି ଜିଲ୍ଲାରେ ପ୍ରଭାବହୀନ ଦେଖାଦେଇଛି। ଏହି ଧର୍ମଘଟକୁ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଓ ବାମଦଳଗୁଡ଼ିକ ସମର୍ଥନ କରୁଥିବା ସତ୍ୱେ ଜିଲାରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ଦେଖାଯାଇଛି। ଜିଲାର ସି.ଆଇ.ଟି.ୟୂ ଓ ସି.ପି.ଆଇ (ଏମ୍) ଦଳ ପକ୍ଷରୁ ଏଡି ବନ୍ଦକୁ ସମର୍ଥନ କରାଯାଇଛି। ଜିଲ୍ଲା ସଦର ମହକୁମା ଠାରେ ସି.ଆଇ.ଟି.ୟୁ ଓ ସି.ପି.ଆଇ(ଏମ) ର ନେତା ମାନେ ଧାରଣା ଦେଇଛନ୍ତି। ତଥାପି ଜିଲ୍ଲା ସଦର ମହକୁମା ସମେତ ୭ ଟି ବ୍ଲକ ଓ ଅନାନ୍ୟ ସହରରେ ଦୋକାନ ବଜାର ଖୋଲା ରହିଥିଲା। ଏଥି ସହିତ ଆଜି ଜିଲ୍ଲା ସଦର ମହକୁମା ଠାରେ ସାପ୍ତାହିକ ହାଟ ଖୋଲା ରହିଥିବା ବେଳେ ଜିଲ୍ଲା ବ୍ୟାପି ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିଲା। ସେହିପରି କୋରାପୁଟ ଜିଲ୍ଲାର ଜୟପୁର ଠାରେ ବନ୍ଦ ସଫଳ ହୋଇଥିବାରୁ ଏହାକୁ ଦୁଷ୍ଟିରେ ରଖି କେବଳ ମାଲକାନଗିରି ଠାରୁ ଜୟପୁର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି।
Popular Categories


