www.samajalive.in
Monday, December 8, 2025
14.1 C
Bhubaneswar

ସିମ୍ ବକ୍ସ କାରବାର ମାମଲା: ଅଭିଯୁକ୍ତକୁ ଏନ୍‌ଆଇଏର ପଚରାଉଚରା

ଭୁବନେଶ୍ବର : ସିମ୍‌ବକ୍ସ କାରବାରର ଖୋଲିବ ଗୁମର। କମିସନରେଟ ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ଏନ୍‌ଆଇଏ ପଚରାଉଚରା କରିଛି। ଜବତ ସିମ୍‌ବକ୍ସକୁ କେଉଁଭଳି ଅପରାଧରେ ବ୍ୟବହାର କରାଯାଉଥିଲା, ଆତଙ୍କବାଦୀ ସମ୍ପର୍କ ରହିଛି କି ନାହିଁ, ଏମିତି କିଛି ତଥ୍ୟ ପାଇବା ଲାଗି ଅଭିଯୁକ୍ତ ରାଜୁକୁ ଏନ୍‌ଆଇଏ ଅଧିକାରୀ ପ୍ରଶ୍ନ କରିଥିଲେ। ରାଜୁର ହେପାଜତ ଅବଧି ଗୁରୁବାର ଶେଷ ହେଉଛି। ଏହାପୂର୍ବରୁ ଏନ୍‌ଆଇଏ ତାକୁ ପଚରାଉଚରା କରିଛନ୍ତି। ସିମ୍‌ବକ୍ସ ଘଟଣାର ଛାନ୍‌ଭିନ୍‌ କରିବା ଲାଗି ବୁଧବାର ସକାଳେ ଏନ୍‌ଆଇଏର ୨ ଜଣିଆ ଦଳ ଭୁବନେଶ୍ବରରେ ପହଞ୍ଚି ଥିଲେ। ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡାଙ୍କ ସହିତ ଆଲୋଚନା କରିବା ପରେ ଲକ୍ଷ୍ମୀସାଗର ଥାନାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତକୁ ପଚରାଉଚରା କରିଥିଲେ। ଅଭିଯୁକ୍ତ ନିକଟରୁ ଏନ୍‌ଆଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ରହିଛି। ଏହି ତଥ୍ୟକୁ ଆଧାର କରି ଏନ୍‌ଆଇଏ ତଦନ୍ତକୁ ଜୋରଦାର୍‌ କରିଛି। ଅନ୍ୟପଟେ ୫ ଦିନିଆ ହେପାଜତର ୪ ଦିନ ବିତିଛି। ଅଭିଯୁକ୍ତକୁ କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ ମାରାଥନ ଜେରା ଜାରି ରଖିଛି। ଭୁବନେଶ୍ବର, କଟକ ପରେ ଝାଡ଼ଖଣ୍ଡର ରାଞ୍ଚିରୁ ସ୍ପେଶାଲ ସ୍କ୍ବାଡ ସିମ୍‌ବକ୍ସ ଜବତ କରି ସାରିଛି। ଅଭିଯୁକ୍ତ ରାଜୁ ଆଉ କେଉଁଠି ସିମ୍‌ବକ୍ସ ରଖିଛି କି ନାହିଁ ସେନେଇ ପୁଲିସ ତଦନ୍ତ ଚଳାଇଛି। ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅଭିଯୁକ୍ତ ପୁଣି ୧୦ ଦିନ ପାଇଁ ହେପାଜତରେ ଆଣିବାକୁ ପୁଲିସ ଅଦାଲତରେ ଆବେଦନ କରିବାକୁ ଯୋଜନା କରିଛି। ଅଦାଲତଙ୍କ ନିର୍ଦେଶ ପାଇବା ପରେ ଅଭିଯୁକ୍ତକୁ ହେପାଜତରେ ଆଣି ପୁଲିସ ପୁଣି ପଚରାଉଚରା କରିବ। ଅନ୍ତର୍ଜାତୀୟ ସମ୍ପର୍କ ରହିବା ଜଣାପଡ଼ିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ପୁଲିସ ଅବଗତ କରିଛି। କାର୍ପଟଦାର ବାଂଲାଦେଶର ଆସାଦୁର ଜମାନକୁ ଧରିବା ଲାଗି ପୁଲିସ ଇଣ୍ଟରପୋଲର ସହାୟତା ନେଇଛି। ଅଭିଯୁକ୍ତ ରାଜୁ ସିମ୍‌ବକ୍ସ ରକ୍ଷଣା‌ବେକ୍ଷଣ କରୁଥିବା ବେଳେ ବାଂଲାଦେଶରେ ବସି ଆସାଦୁର ଏହାକୁ ପରିଚାଳନା କରୁଥିଲା। ଆସାଦୁର ଧରାପଡ଼ିବା ପରେ ସିମ୍‌ବକ୍ସ ପଛରେ ଥିବା ଅପରାଧର ଫର୍ଦାଫାସ ହେବ ବୋଲି ଆଶା କରାଯାଇଛି। ପ୍ରଥମେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ୭ଟି ସିମବକ୍ସ ମିଳିଥିଲା। ଏହି ଘଟଣାରେ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ପୁଲିସ ଗିରଫ କରିଥିଲା। ରାଜୁକୁ ପଚରାଉଚରା ପରେ ଗତ ୧୮ ତାରିଖରେ କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରୁ ଆଉ ୫ଟି ସିମ ବକ୍ସ ଠାବ ହୋଇଥିଲା। ଏହାପରେ ଓଡ଼ିଶା ପୁଲିସ ଗତ ମଙ୍ଗଳବାର ଝାଡଖଣ୍ଡର ରାଞ୍ଚିକୁ ଯାଇ ସେଠାରୁ ମଧ୍ୟ ୫ଟି ସିମ୍ ବକ୍ସ ଜବତ କରିଥିଲା। ଅଭିଯୁକ୍ତ ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଏହି ସିମ ବକ୍ସର ବ୍ୟବହାର କରୁଥିଲେ, ଏ ଯାଏଁ ସ୍ପଷ୍ଟ ହୋଇନି। ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ଏନଆଇଏ ଦଳ ଭୁବନେଶ୍ବରରେ ପହଞ୍ଚି ତନାଘନା ଚଳାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories