ସିଙ୍ଗଲ ଉଇଣ୍ଡୋ କମିଟି ବୈଠକ ; ୧,୧୭୭କୋଟି ପୁଞ୍ଜିନିବେଶକୁ ମଞ୍ଜୁରି
ଭୁବନେଶ୍ବର : ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ସଚିବାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରି କମିଟି ବୈଠକରେ ୧,୧୭୭.୪୧କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରକଳ୍ପ ପ୍ରସ୍ତାବ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାଦ୍ବାରା ୬,୦୩୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହବ। ବୈଠକରେ ପରିମଳ, ସୌର ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଆତିଥେୟତା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଓଡ଼ିଶା ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଫର ଇନଭେଷ୍ଟର ଫାସିଲିଟେସନ ଆଣ୍ଡ ଟ୍ରାକିଂ(ଗୋ ସୁଇଫ୍ଟ) ବ୍ୟବସ୍ଥା ଜରିଆରେ ବର୍ଷକ ଭିତରେ ଗୁରୁଗ୍ରାମସ୍ଥିତ ସାନିଟାରୀ ୱେର ନିର୍ମାତାଙ୍କଠାରୁ ୫୦୦ତମ ନିବେଶ ପ୍ରସ୍ତାବ ଆସିଛି। କଟକରେ ୩୫୦କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ୧,୩୦,୦୦୦ ଟନର କ୍ଷମତା ବିଶିଷ୍ଟ ଗ୍ଲାସ କଣ୍ଟେନର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି। ସେହିପରି କଟକର ରାମଦାସପୁରଠାରେ ମସଲା, ପାସ୍ତା, ନୁଡ଼ଲସ, ଫଳ ପାନୀୟ ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶାର ଏକ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମତି ମିଳିଛି। ଏହି ସଂସ୍ଥା ଦ୍ବାରା ୧୫୬୦ଜଣଙ୍କୁ ନିଯୁକ୍ତି ମିଳିବ।
ଯାଜପୁରଠାରେ ୫୨.୪୧କୋଟି ଟଙ୍କା ବିନିଯୋଗରେ ଏକ ଇଲେକ୍ଟ୍ରିକ ଯାନ ଉତ୍ପାଦନ ୟୁନିଟ ପାଇଁ ଓଡ଼ିଶାର ଏକ ଅଗ୍ରଣୀ ଅଟୋମୋବାଇଲ ସଂସ୍ଥାର ପ୍ରସ୍ତାବ ଅନୁମୋଦିତ ହୋଇଛି। ଉକ୍ତ କମ୍ପାନୀ ବାର୍ଷିକ ୫୦ହଜାର ସଂଖ୍ୟାରେ ଇଲେକ୍ଟ୍ରିକ ରିକ୍ସା ଓ ଇଲେକ୍ଟ୍ରିକ ସ୍କୁଟର ଉକ୍ତ କମ୍ପାନୀ ଉତ୍ପାଦନ କରିବ ଏବଂ ଏଠାରେ ୧୨୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ମିଳିବ। ଏକ ଘରୋଇ ଆଲୁମିନିୟମ କମ୍ପାନୀ ସମ୍ବଲପୁରର ହୀରାକୁଦଠାରେ ୬୦କୋଟି ଟଙ୍କା ବିନିଯୋଗରେ ଏକ କୋଲ ଗ୍ୟାସିଫିକେସନ ପ୍ରକଳ୍ପ ପ୍ରତିଷ୍ଠା କରିବ। ପୁରୀର ସାତପଡ଼ାଠାରେ ୧୨୫କୋଟି ଟଙ୍କା ବିନିଯୋଗରେ ଏକ ଗଲ୍ଫ ରିସୋର୍ଟ ପ୍ରତିଷ୍ଠା ପାଇଁ ଏକ ଘରୋଇ ହୋଟେଲ ଶିଳ୍ପ ସଂସ୍ଥାକୁ ମଞ୍ଜୁରି ମିଳିଛି। ଏହାଦ୍ବାରା ୫୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଯାଜପୁରସ୍ଥିତ ସେଲୁ୍ଲର ହାଣ୍ଡସେଟ ଓ ଆସେେସାରିଜ କମ୍ପାନୀ ଭୁବନେଶ୍ବର ଇନଫୋ ଭ୍ୟାଲିଠାରେ ଇଲେକଟ୍ରୋନିକ୍ସ ଉତ୍ପାଦନକାରୀ କ୍ଲଷ୍ଟରରେ ୧୦ ଲକ୍ଷ ପିସ ମୋବାଇଲ ହାଣ୍ଡସେଟ ଏବଂ ବ୍ୟାଟେରି, ଚାର୍ଜର, ପାୱାର ବ୍ୟାଙ୍କ ଆଦି ଉପକରଣ ଉତ୍ପାଦନ ପାଇଁ ୭୫କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୩୦୦ ଲୋକ ନିଯୁକ୍ତି ପାଇପାରିବେ। ଇନଫୋଭ୍ୟାଲିଠାରେ ଇଣ୍ଟରନେଟ ସଫ୍ଟୱେର କେନ୍ଦ୍ର ପ୍ରତିଷ୍ଠା ପାଇଁ ହାଇଦ୍ରାବାଦର ଆଉ ଏକ କମ୍ପାନୀ ଦେଇଥିବା ପ୍ରସ୍ତାବକୁ ଅନୁମତି ମିଳିଛି। କମ୍ପାନୀ ୬୫କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରିବାକୁ ଥିବା ପ୍ରକଳ୍ପରେ ୭୩୦ଲୋକ ନିଯୁକ୍ତି ପାଇବେ। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିପିସିଏଲ ବରଗଡ଼ଠାରେ ଦୈନିକ ୧୦୦କିଲୋ ଲିଟର ଇଥାନୋଲ ବାଇଓ ରିଫାଇନେରୀ ପ୍ଲାଣ୍ଟ ପ୍ରତିଷ୍ଠା ବାବଦରେ ଅତିରିକ୍ତ ୨୫୦କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୨୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ସେହିପରି ଏଚଆଇଏଲ ଗଞ୍ଜାମର ଛତ୍ରପୁରଠାରେ ୧୦ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆଗ୍ରୋକେମିକାଲ୍ସ ଉତ୍ପାଦନ ପାଇଁ ଅନୁମତି ପାଇଛି ଯେଉଁଥିରେ ୧୦୦କୋଟି ଟଙ୍କା ବିନିଯୋଗ ସହିତ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ।
ଏଥିସହିତ ଇସ୍ପାତ କ୍ଷେତ୍ରରେ ଆସିଥିବା ୩,୫୨୬କୋଟି ଟଙ୍କାର ଦୁଇଟି ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ଉଇଣ୍ଡୋ କମିଟି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ସୁପାରିସ କରିଛି। ବୈଠକରେ ଉନ୍ନୟନ କମିଶନର ଅସିତକୁମାର ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଏମଏସଏମଇ ଅତିରିକ୍ତ ମୁଖ ଶାସନ ସଚିବ ଏଲ.ଏନ.ଗୁପ୍ତା ଓ ଅନ୍ୟ ବିଭାଗର ସଚିବ ଉପସ୍ଥିତ ଥିଲେ।