ଅନାସ୍ଥାରେ ବିଜେପି ପୌରାଧ୍ୟକ୍ଷାଙ୍କୁ ହରାଇବା ପରେ ରାଜ୍ୟ ସଭାପତିଙ୍କୁ ଭେଟିଲେ ବିଜେଡି କାଉନସିଲର

ଫୁଲବାଣୀ: ଫୁଲବାଣୀ ପୌର ପରିଷଦରେ ଚାଲିଥିବା ହାଇଡ଼୍ରାମାରେ ଗତ ୨୩ ତାରିଖ(ମଙ୍ଗଳବାର) ଦିନ ତାହା ଜବନିକା ପଡ଼ିଛି। ଅନାସ୍ଥାରେ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ପରାଜିତ ହୋଇ ନିଜ ପଦବୀ ହରାଇଛନ୍ତି। ଏହା ପରେ ବିଜେଡ଼ି ବେଶ୍‌ ଉତ୍ସାହିତ ହୋଇପଡ଼ିଛି । ଗତକାଲି ଫଳାଫଳ ଘୋଷଣା ପରେ ବିଜେଡ଼ି କାଉନସିଲର ସମେତ ଦଳୀୟ ନେତା ଓ କର୍ମୀମାନେ ବାଣ ଫୁଟାଇବା ସହିତ ମିଠା ବାଣ୍ଟି ଖୁସି ମନାଇଥିଲେ । ବୁଧବାର ବିଜେଡ଼ିର ଉପାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର ବରିଷ୍ଠ ନେତା ବିଜୟ ନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତକରି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଦୁର୍ନିତି , ଅନିୟମିତତା ଭଳି ବିଭିନ୍ନ ଅଭିଯୋଗରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିବା ବେଳେ ବିଜେଡ଼ି କାଉନସିଲର ରାଜେନ୍ଦ୍ର ପାଢୀ ଏବଂ ଯୁବନେତା ବିକୁ ବେହେରା ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇ ସଫଳ ହୋଇଛନ୍ତି । କାଉନସିଲର ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ଦୀର୍ଘଦିନ ଧରି ତୁ ତୁ ମେଁ ମେଁ ଯୋଗୁ ଫୁଲବାଣୀ ପୌର ପରିଷଦର ବହୁ ଉନ୍ନୟନମୂଳକ କାର୍ଯ୍ୟ ଅଧାରେ ଅଟକି ଯାଇଛି । ଏହି ପଦବୀ ପାଇଁ ପୁଣି ଥରେ ନିର୍ବାଚନ ହେବାକୁ ଥିବାରୁ ବର୍ତ୍ତମାନଠାରୁ ବିଜେପି ସହିତ ବିଜେଡ଼ି ଓ କଂଗ୍ରେସ ସଜବାଜ ଆରମ୍ଭ କରିଦେଇଛନ୍ତି। ସବୁ ଦଳରେ ଏକାଧିକ ଆଶାୟୀ ଏବେଠାରୁ ଲବି ଆରମ୍ଭ କରିଥିବାର ଖବର ହସ୍ତଗତ ହୋଇଛି । ତେବେ ନିର୍ବାଚନ ପର୍ଯ୍ୟନ୍ତ ଏହି ପଦବୀ କିଏ ସମ୍ଭାଳିବ ତାହାକୁ ନେଇ ମଧ୍ୟ ନାନା ଆଲେଚାନା ଆରମ୍ଭ ହୋଇଛି।

Comments are closed.