ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ ହେବ

ଭୁବନେଶ୍ୱର: ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ରାଜ୍ୟପାଳ କହିଛନ୍ତି ‘ମୋ ସରକାର ନିରପକ୍ଷତା ସହ କାମ କରିବ । ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ । କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‍ କିଷାନ ଲାଗୁ କରିବୁ । ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ । କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କ ଗୁରୁତ୍ୱ ଦିଆଯିବ । ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ କରାଯିବ । ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ । ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବୁ । ଏହି ନୀତି ଅଧିନରେ ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଦିଆଯିବ । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ୪୮ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । କୃଷକଙ୍କ ଆୟ ବୃଦ୍ଧି ମୋ ସରକାରର ମୂଳ ଲକ୍ଷ୍ୟ । ଶୀତଳ ଭଣ୍ଡାର ସବୁିଧା, ପ୍ରକ୍ରିୟାକରଣ ୟୁନିଟ, ଯୋଗାଣ ଶୃଙ୍ଖଳିତ ହେବ । ମଣ୍ଡିରେ ଶସ୍ୟ ଭଣ୍ଡାର, କୃଷକ ବିଶ୍ରାମ ଗୃହ ରହିବ । ବଜାର ଜାତୀୟ ଶସ୍ୟ ଉତ୍ପାଦନ, ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନେବୁ । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବୃଦ୍ଧ । ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ ।

ଏହାସହିତ ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ଲକ୍ଷ ଘର ନିର୍ମାଣ ହେବ । ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦ଲକ୍ଷ ଓ ସହରାଞ୍ଚଳରେ ୫ଲକ୍ଷ ଘର ନିର୍ମାଣ ହେବ । ପିଏମଏୱାଇ ଅନ୍ତର୍ଭୁକ୍ତ ନଥିବା ନିମ୍ନ ଆୟବର୍ଗଙ୍କ ପାଇଁ ଆଉ ଏକ ଯୋଜନା ହେବ । ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦେବ । ଗର୍ଭବତୀଙ୍କୁ ପୃଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ । ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ, ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେବ ।

Comments are closed.