www.samajalive.in
Sunday, December 14, 2025
16.1 C
Bhubaneswar

ବଜ୍ରାଘାତରେ ମା’ ପୁଅଙ୍କ ସହ ୫ ମୃତ: ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ପଦ୍ମପୁର/ଖପ୍ରାଖୋଲ : ବର୍ଷା ସହ ବଜ୍ରପାତ ହେବାରୁ ବରଗଡ଼ ଓ ବଲାଙ୍ଗିର ଜିଲାରେ ମୋଟ ୫ଜଣଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ଦେୱାନଡ଼ିହି ଗ୍ରାମରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଗାଁରେ ବଜ୍ରପାତରେ ମା’ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ କାକା ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସିଥିଲେ। ଅପରାହ୍ଣ ପ୍ରାୟ ୩ଟା ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହେବାରୁ ସେମାନେ ଘରକୁ ଯାଇ ପାରିନଥିଲେ। ବଜ୍ରପାତରେ ସେମାନଙ୍କ ମଧ୍ୟରୁ ସୁଖଦେବ ବନଛୋର ,  ନିରୋଜ କୁମ୍ଭାର ଓ ଧନୁର୍ଯ୍ୟ ନାୟକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ମନିରାମ ଲୁହାର ଓ ବାଜେନମୁଣ୍ଡା ଗ୍ରାମର ବୃନ୍ଦାବନ ସାହୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପୁଟେଲଙ୍କ ତତ୍ତ୍ବାବଧାନରେ ପଦ୍ମପୁର ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପି ନେତା ଗୋବର୍ଦ୍ଧନ ଭୁଏ ଆହତ ଓ ମୃତ ପରିଜନଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭେଟି ସମବେଦନା ଜଣାଇଛନ୍ତି। ସେହିପରି ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଗାଁରେ ବୁଧବାର ଅପରାହ୍ଣରେ ସୂର୍ଯ୍ୟକାନ୍ତୀ ଖର୍ସେଲଙ୍କ ପରିବାର ଗାଁ ପୋଖରୀ ପାଖ ନିଜ ଚାଷ ଜମିରେ କପା ଲଗାଉଥିଲେ। ପ୍ରାୟ ୪ ଟାରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ପରିବାର ଲୋକେ ଚାଷ ଜମି ନିକଟ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ମା’ ସୂର୍ଯ୍ୟକାନ୍ତୀ ଓ ପୁଅ ଦୀପକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ସହିତ କାକା ପୁରନ୍ଦର ଗୁରୁତର ହୋଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଖପ୍ରାଖୋଲ ଡାକ୍ତରଖାନା ନେଇଥିଲେ। ପରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ସ୍ଥାନାନ୍ତାର କରାଯାଇଥିଲା। ଦୀପକ ସ୍ଥାନୀୟ ହରିଶଙ୍କର ମହାବିଦ୍ୟାଳୟରେ ଚଳିତ ବର୍ଷ +୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷା ଦେଇଥିଲେ। ପାଟଣାଗଡ଼ ଉପଜିଲାପାଳ ଅମିତ ନାଏକ ଖପ୍ରାଖୋଲ ତହସିଲଦାରଙ୍କୁ ପ୍ରାଥମିକ ରିପୋର୍ଟ ଦେବାକୁ କହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ସେପଟେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories