www.samajalive.in
Friday, December 12, 2025
15.1 C
Bhubaneswar

ସମ୍ପର୍କ

୨୦୦୬ ମସିହାର ଘଟଣାଟିଏ। ସେତେବେଳେ ପୁରୀ ଜିଲା କାକଟପୁର ବ୍ଲକର ବାଙ୍ଗୁରୀ ଗାଁ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥାଏ। ବାଲେଶ୍ୱରର ଅରୁହାବାଡ଼ରେ ପୋଷ୍ଟିଂ ହୋଇଥିଲା। ସେହି ସ୍ଥାନଟି ବାଲେଶ୍ୱରର ବାହାନଗା ଠାରୁ ପଇଁତିରିଶ କି.ମି. ରାସ୍ତା। ବସରୁ ବାହାନଗା କିମ୍ବା ବାଲେଶ୍ୱରରେ ବସରୁ ଓହ୍ଲାଇ ତିରିଶରୁ ପଇଁତିରିଶ କି.ମି. ବାଟ ଯିବାକୁ ହେବ। ଘରେ ବୋଉ ଅସୁସ୍ଥ ଥାଏ। ଝିଅଙ୍କର ବିବାହ ଆୟୋଜନରେ ଥାଏ। ସ୍ୱାମୀଙ୍କର ସୈନିକ ସ୍କୁଲର ଚାକିରି। ମୋତେ ଏକାକୀ ଯିବାକୁ ହୋଇଥିଲା। ତେଣୁ ସେଠାର ଲୋକ ଭଲ ଥିଲେ ବି ମୋର ଘରଛାଡି ଏତେ ଦୂରରେ ଚାକିରି ବଞ୍ଚେଇବାକୁ ଯିବା ଆସିବା କଷ୍ଟ, ସମୟ ଓ ବ୍ୟୟସାପେକ୍ଷ। ତେଣୁ ମୋର ଜଣେ ବନ୍ଧୁଙ୍କୁ ଭୁବନେଶ୍ୱରରୁ ଯିବା ଆସିବା କରି ହେଉଥିବା ସ୍ଥାନ କଣ କଣ ଖାଲି ଅଛି ପଚାରିଲି। ମୁଁ ସେ ସ୍ଥାନକୁ ବଦଳି ହୋଇ ଆସିବାକୁ ଚେଷ୍ଟା କରିବା ପାଇଁ ପଚାରିଲି। ସେ ଯେ ମୋର ହିତାକାଂକ୍ଷୀ ବୋଲି ଭାବିଥିଲି। ମାତ୍ର ସେ ଯେପରି ବାଙ୍ଗୁରୀ ଗାଁର ଅବସ୍ଥିତି ବର୍ଣ୍ଣନା କଲେ, ମୁଁ ସେହି ସ୍ଥାନ ପାଇଁ ଦରଖାସ୍ତ ଲେଖି ଆବେଦନ କଲି। ମୋର ମଧ୍ୟ ସେତେବେଳକୁ ଡାହାଣ ଗୋଡ଼ଟି ଫ୍ରାକ୍‌‌ଚର ହୋଇ ଯାଇଥିବାରୁ ପ୍ଲାଷ୍ଟର ହୋଇଥାଏ।

ବଦଳି ଅର୍ଡର ପାଇ ଗାଡ଼ିଟିଏ କରି ଅଫିସର ସମସ୍ତ ଆବଶ୍ୟକ ସର୍ତ୍ତକୁ ପୂରଣ କରି ଜଏନ କରିଥିଲି। ଅବଶ୍ୟ ପୁରୀ ସିଆଇ ଅଫିସରେ ଚିହ୍ନା ପରିଚୟ ଲୋକ ଥାଇ ମଧ୍ୟ ଆନାକୋଣ୍ଡା ପରି ଗିଳି ଦେଲା ପରି ଚାହାଁଣି ଓ ଭୋକିଲା ଭୋକିଲା ହାବଭାବ ଲୋଲୁପଦୃଷ୍ଟିରେ କବଳିତ ହେବାକୁ ପଡ଼ିଥିଲା। କଣ ଏ ସମାଜ! କ’ଣ ଏ ଦପ୍ତର! ଅଧିକାରୀ! ଶିକ୍ଷା ବିଭାଗ ଉପରେ ଥିବା ବିଶ୍ୱାସ ଓ ନିଷ୍ଠା ମୋର ମଉଳି ଯାଉଥାଏ। ସ୍ଥାନାନ୍ତର ମାନେ ନିଜର ବିବେକକୁ ବନ୍ଦୀ କରିଦେବାକୁ? ସେଠାରେ ଦପ୍ତରରେ ଭଦ୍ରମୁଖା କ୍ଷୁଧାର୍ତ୍ତ ତୃଷିତ ଶ୍ୱାନ ଶୃଗାଳଠାରୁ କମ୍‌ ନଥିଲେ। ମୋର ଗୋଡ଼ର ଅସୁବିଧା, ଘରର ଅସୁବିଧା ଜାଣି ମଧ୍ୟ ଏଭଳି ସ୍ଥାନକୁ ଯିବାକୁ ମୋତେ ମୋର ବନ୍ଧୁ କିଭଳି ପ୍ରୋତ୍ସାହିତ କଲେ ମୁଁ ପରେ ଅନୁତାପ କଲି କାହିଁକି ଏଭଳି ସର୍ତ୍ତକୁ ଗ୍ରହଣ କରିଗଲି। ହାତକାଟି ଦରଖାସ୍ତରେ ଲେଖି ଦେଲି ମୁଁ ସେ ସ୍ଥାନକୁ ଯିବାକୁ ଇଚ୍ଛୁକ ବୋଲି। ହେଲେ ସେ ସ୍ଥାନ ମୋତେ ବହୁତ ଶିକ୍ଷା ଦେଲା।

- Advertisement -

ମୁଁ ସେ ସ୍ଥାନକୁ ଭୋର ୪ଟାରୁ ପ୍ରତ୍ୟେକ ଦିନ ଯାଇ ଘରକୁ ରାତି ୧୦ଟା ପୂର୍ବରୁ ପହଞ୍ଚି ପାରିବିନି। କାରଣ ସେତେବେଳେ ସାଢ଼େ ନଅଟାରେ ପ୍ରଧାନ ଶିକ୍ଷକ ହିସାବରେ ବିଦ୍ୟାଳୟରେ ଉପସ୍ଥିତ ହେବାକୁ ହେଉଥିଲା। ତେଣୁ ଘରୁ ଭୋର ସାଢ଼େ ଚାରିଟା କିମ୍ବା ଚାରିଟା ବସରେ ଗଲେ ଆଠଟା ଭିତରେ ବା ସାଢେ ଆଠଟାରେ କାକଟପୁର ବସ ରହେ। କାରଣ ବହୁତ ଷ୍ଟପେଜ୍‌‌। ବହୁତ ଧୀର ମନ୍ଥର ଗତି। ସେତେବେଳେ ରାସ୍ତା କାମ ହେଉଥାଏ। ବସ୍‌‌ ଝୁଲି ଝୁଲି ଏକଡ ସେକଡ, ଲେଉଟି ଲେଉଟି ଯାଏ। ଭୟଙ୍କର ବିପଦସଂକୁଳ ଥିଲା। ବସ୍‌‌ରେ ବସିବାକୁ ଡର ଲାଗିଲେ ବି ଯିବାକୁ ବାଧ୍ୟ। ଜୀବନସାରା ନିଷ୍ଠାପର କର୍ମଚାରୀ ଭାବରେ ଚାକିରି କରି ଅପରାହ୍ଣ ବୟସରେ ଓହରି ଯିବାକୁ ବିବେକ ବାଧା ଦିଏ। କାକଟପୁରରୁ ଅପେକ୍ଷା କରି କରି ଯେଉଁ ବସ କୋଣାର୍କ ଯିବ ସେଇ ବସରେ ଗଲେ ଅଧାବାଟରେ ବାଙ୍ଗୁରୀ ଗାଁର ଆନନ୍ଦବଜାର। ସେଠାରୁ ଓହ୍ଲାଇ ଅଟୋ କୋଡ଼ିଏରୁ ଆରମ୍ଭ କରି ଦୁଇ ଶହ ପର୍ଯ୍ୟନ୍ତ ଯେତେବେଳେ ସେ ଯାହା ମାଗିବ ଦେବାକୁ ବାଧ୍ୟ। ତିନି କିଲୋମିଟର ରାସ୍ତା। ବସରେ ଉଠିବାକୁ ବି ମନା କରିବ କ୍ଲିନର। କାରଣ ମୋତେ ଅଧାବାଟରେ ଓହ୍ଲେଇବାକୁ ପଡ଼ିବ। ଯେଉଁମାନେ କୋଣାର୍କ ଯିବେ, ସେମାନଙ୍କୁ ବସାଇବେ। ତେଣୁ ବସରୁ ଓହ୍ଲାଇ ଠିଆ ହୋଇ ହୋଇ ପୁଣି ତିନି କି.ମି. ରାସ୍ତା ଚାଲିବା କଷ୍ଟକର। ମୋଟ ପାଞ୍ଚଘଣ୍ଟା ସମୟ ଦରକାର ପହଞ୍ଚିବାକୁ। ସ୍କୁଲ ପରେ ଯଦି ଫେରିବି, ସେହିପରି ସମୟ ଦରକାର। ତେଣୁ ସୋମବାର ସକାଳ ଚାରିଟା ବସରେ ଘରୁ ଯାଏ, ଶନିବାର ଦିନ ସ୍କୁଲସାରି ସାଢେ ଏଗାରଟା ପରେ ସ୍କୁଲରୁ ବାହାରି ତିନି କି.ମି. ରାସ୍ତା ଚାଲି ଛକକୁ ଆସି ଅପେକ୍ଷା, ତା’ପରେ କାକଟପୁର ଓ ତା’ପରେ ଭୁବନେଶ୍ୱର ବସ। ଭୁବନେଶ୍ୱର ଟାଉନ ଭିତରେ ଗୋଟିଏ ଘଣ୍ଟାରୁ ଅଧିକା ସମୟ ଲାଗିଯାଏ। ବରମୁଣ୍ଡା ଯାଇ ପହଞ୍ଚିଲା ବେଳକୁ ଚାରିଟାରୁ ପାଞ୍ଚଟା ପରେ ଗୋଟିଏ ଦିନ ରବିବାରଟି ରହି ପୁଣି ସୋମବାର ସକାଳୁ ବାହାରିବାକୁ ହେଉଥିଲା। ଏହିପରି ଦିନେ ଭୁବନେଶ୍ୱର ବରମୁଣ୍ଡାରୁ ଗୋଟିଏ ସିଟ୍‌‌ରେ ବସି ଯାଉଥାଏ କାକଟପୁର ବସରେ। ପିପିଲି ପରେ ଦଳେ ଲୋକ ଚଢ଼ିଲେ। ବସ ଭୀଷଣ ଭିଡ ଥାଏ। ବହୁତ ଲୋକ ଠିଆ ହୋଇଥିଲେ। ତାଙ୍କ ଭିତରେ ବୁଢ଼ାବୁଢ଼ି ଅଧିକା ସଂଖ୍ୟାରେ ଥିଲେ। ମୁଁ ବସରେ ସାଧାରଣତଃ ଲେଡିଜ୍‌‌/ମହିଳା ସିଟ୍‌‌ରେ ବସିଥାଏ। ମୋ ଉପରେ ବି ଲୋକ ମାଡ଼ି ହୋଇଯାଉଥାଆନ୍ତି। ଅଧିକାଂଶ ଦିନ ଏହିପରି ଭିଡ ହୁଏ। କାରଣ ସେଇ ରାସ୍ତାରେ ବହୁତ ଗାଁ। ଗାଁମାନଙ୍କରେ ହାଇସ୍କୁଲ, ୟୁ.ପି. ସ୍କୁଲ, ଡାକ୍ତରଖାନା, ବିଭିନ୍ନ ଗାଁକୁ ରାସ୍ତା। ତେଣୁ ଭିଡ଼ ପ୍ରାୟ କାକଟପୁର ଯାଏ ଲାଗି ରହିଥାଏ। ବଡ଼କଥା କାକଟପୁର ମଙ୍ଗଳାଙ୍କୁ ଦର୍ଶନ ପାଇଁ ଲୋକେ ଯାଆନ୍ତି। ତେଣୁ ବର୍ଷ ସାରା ଭିଡ଼ ରହେ।

ଯେଉଁ ଭିଡଟି ଉଠିଥିଲା, ତା’ ମଧ୍ୟରେ ଜଣେ ବୁଢୀ ଥିଲେ। ତାଙ୍କର ଅଣ୍ଟା ନଇଁ ଯାଇଥାଏ। ଚର୍ମ ଧୁଡ଼ୁଧୁଡ଼ୁ ହୋଇଯାଇଥାଏ। ଅତୀତରେ ବୃଦ୍ଧା ବେଶ୍‌‌ ସ୍ୱାସ୍ଥ୍ୟବତୀ ଥିଲେ ବୋଲି ତାଙ୍କର ଲୋଳିତ ଚର୍ମ ପ୍ରମାଣ ଦେଉଥାଏ। ବୟସ ପଞ୍ଚାଅଶୀ। ମୁଁ ତାଙ୍କ ହାତଟି ଧରି ମୋ ସିଟ୍‌‌ ପାଖକୁ ଟାଣି ଆଣିଲି। ପାହାଚ ଚଢି, ଦୁଆର ମୁହଁରେ ସମସ୍ତେ ପରସ୍ପରକୁ ଧରି ବହୁ କଷ୍ଟରେ ଉପର ରଡକୁ ଧରି ଠିଆ ହୋଇଥିଲେ। କିନ୍ତୁ ବୃଦ୍ଧା ଜଣେ ବ୍ୟକ୍ତିଙ୍କୁ ଦୁଇ ହାତରେ ଧରିଥିଲେ। ବୃଦ୍ଧବ୍ୟକ୍ତି ଗୋଟିଏ ହାତରେ ବୃଦ୍ଧାଙ୍କୁ ଓ ଆଉ ଗୋଟିଏ ହାତରେ ଉପର ରଡକୁ ଧରି ଓହଳିଲା ପରି ରହିଥାଆନ୍ତି। ଆହୁରି ଅନେକ ବାଟ ଅଛି କାକଟପୁର ହେବାକୁ। ବୃଦ୍ଧାଙ୍କୁ ସେଥିପାଇଁ ମୋ ସିଟ୍‌‌ ପାଖକୁ ନେଇ ଆସିଲି। ସେ ସିଟ୍‌‌କୁ ଦୁଇ ହାତରେ ଧରି ସିଟକୁ ଆଉଜି ଠିଆ ହେଲେ। ମୁଁ ସିଟ୍‌‌ରୁ ଉଠିଯାଇ ତାଙ୍କୁ ମୋ ସିଟ୍‌‌ରେ ବସେଇ ଦେଇ ପ୍ରଣାମ କଲି। ସେ ବସୁ ନଥିଲେ। ଓଲଟି ମୋତେ ବସିବାକୁ କହୁଥାଆନ୍ତି। ମୁଁ କହିଲି, “କେଉଁଠିକୁ ଯିବେ?” “କାକଟପୁର ମଙ୍ଗଳାଙ୍କୁ ଦର୍ଶନ କରିବାକୁ। ଭାଇ ଘରକୁ ଆସିଥିଲି। ଭାଇ ମୋତେ ନେଇ କରି ଆସିଛି। ମଙ୍ଗଳାକୁ ଦର୍ଶନ କରିବାକୁ।” ମୁଁ ପୁଣି କହିଲି, “ତୁମେ ମା’ ଠିଆ ହୋଇ ଏ ଗହଳିରେ ଯିବା କଷ୍ଟ ହେବ। ଆହୁରି ବହୁତ ବାଟ ଅଛି।” ସେ ଓଲଟି କହିଲେ, “ଝିଅ ତୁମର ଏମିତି କଷ୍ଟରେ ଯିବା ଆସିବା କରିବା ଅଭ୍ୟାସ ନଥିବ। ତୁମେ ଠିଆ ହୋଇଯାଇପାରିବନି। ଆମର ଅଭ୍ୟାସ ଅଛି।”

ମୁଁ ଆଶ୍ଚର୍ଯ୍ୟ ହେଲି। ଏ ବୃଦ୍ଧାଙ୍କର ମନୋବଳ କେତେ! ମୁଁ ତାଙ୍କଠାରୁ ସାତ ସାନ। ମୋ ପ୍ରତି ତାଙ୍କର ସ୍ନେହର ଭାଷା ଥିଲା କିପରି! ସେ ପଛେ କଷ୍ଟରେ ଯିବେ, ସହିଯିବେ ସବୁ କଷ୍ଟ ମାତ୍ର, ମୋତେ କଷ୍ଟ ଦେବେନି। କି ମହାନ୍‌‌ ଆମ ସଂସ୍କୃତି! କି ମହାନ୍‌‌ ଏ ମା’ ଶବ୍ଦ! ପ୍ରଣାମ କରି କହିଲି, ନାଇଁ ମା’ ଆପଣ ବସନ୍ତୁ, ମୁଁ ଆପଣଙ୍କୁ ଏଠାରୁ ଜଗିଛି। ଆପଣଙ୍କ ଉପରେ ଲୋକମାନେ ପଡ଼ିଯିବେ। ମୁଁ ମୋର ଦୁଇ ହାତକୁ ଦୁଇ ସିଟ୍‌‌ରେ ଭରା ଦେଇ ଶକ୍ତ ହୋଇ ଠିଆ ହୋଇଥାଏ। ଲୋକଙ୍କର ଭିଡର ପ୍ରହାର ମୋ ପିଠି ସମ୍ଭାଳୁ ଥାଏ। କାକଟପୁରରେ ଓହ୍ଲାଇଲେ ଭାଇଭଉଣୀମାନେ। ମୋତେ ସେ ମା’ ଜଣକ କେତେ ଆଶୀର୍ବାଦ ଦେଇଗଲେ। ପାକୁଆ ପାଟିରେ ହସଟି ତାଙ୍କର ବହୁତ ଭଲ ଲାଗୁଥିଲା। ପ୍ରଣାମ କରି ମୁଁ ମୋର କୋଣାର୍କ ବସ ଖୋଜିବାକୁ ଚାଲିଗଲି। ବାଟରେ ଭାବି ହେଉଥିଲି, ଭାଇ-ଭଉଣୀର ସମ୍ପର୍କ କି ନିବିଡ଼। କଥା କଥାକେ ଆମେ ଦୋହରେଇ ଥାଉ, “ଦେଲା ନାରୀ-ହେଲ ପାରି’’। ମାତ୍ର ବାପ ଘରର ସୁଖ ମିଳେ ଭାଇ-ଭାଉଜଠାରୁ। ଏ ବୟସରେ ବି ଗୋଟିଏ ଭାଇର କର୍ତ୍ତବ୍ୟ ଦେଖିବାର କଥା। ଉଭୟେ ଅଶୀ ବୟସରୁ ଅଧିକା ହେବା ସତ୍ତ୍ବେ ଭଉଣୀକୁ କାକଟପୁର ମଙ୍ଗଳା ଯିଏ ସେ ଅଞ୍ଚଳର ଇଷ୍ଟଦେବୀ, ତାଙ୍କୁ ଦର୍ଶନ କରାଇବାକୁ ଏତେ ଭିଡ ବସରେ ସାହସର ସହ ନେଇ ଯିବାର ମନ, ଇଚ୍ଛା, ଆଗ୍ରହ, ଆନନ୍ଦଠୁ ଆଉ କେଉଁ ଆନନ୍ଦ ବେଶି!

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories