www.samajalive.in
Monday, December 8, 2025
16.1 C
Bhubaneswar

ସାତ ବର୍ଷରେ ୭୦ ପ୍ରଶ୍ନପତ୍ର ପ୍ରଘଟ

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ବିଶ୍ବରେ ସର୍ବାଧିକ। ଏଥିପାଇଁ ଏକ ଶିଳ୍ପ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶିଳ୍ପ ଏତେ ସମୃଦ୍ଧ ଯେ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦେଉଛି। ଗତ ୫ବର୍ଷ ଧରି ଏହି ଶିଳ୍ପ ଅଧିକ କାୟା ବିସ୍ତାର କରିଛି। ଏହାର ନିୟନ୍ତ୍ରଣ ପାଇଁ ଗତ ଫେବୃଆରୀରେ ସଂସଦରେ ସ୍ବତନ୍ତ୍ର ବିଧେୟକ ଗୃହୀତ ହେବା ସହ ଆଇନରେ ପରିଣତ ହୋଇଛି; କିନ୍ତୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ। ପ୍ରଶ୍ନପତ୍ର ପ୍ରଘଟ ମାଫିଆ ପୁରୁଣା ଆଇନକୁ ଖାତିର କରିବା ପଛକଥା, ଏହାର ସୁଯୋଗ ନେଉଛନ୍ତି। ସୂଚନାନୁଯାୟୀ, ଗତ ୭ ବର୍ଷ ମଧ୍ୟରେ ଭାରତରେ ୭୦ଟି ପ୍ରଶ୍ନପତ୍ର ପ୍ରଘଟ ମାମଲା ସାମ୍ନାକୁ ଆସିଛି। ଦେଶର ୧୫ଟି ରାଜ୍ୟ ସମେତ ଜାତୀୟସ୍ତରରେ ଏଭଳି ମାମଲା ଘଟିଛି। ଏହାଦ୍ବାରା ପ୍ରାୟ ୧ କୋଟି ୭୦ ଲକ୍ଷ ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀ ପ୍ରଭାବିତ ହୋଇଛନ୍ତି। କେବଳ ନିଟ୍-ୟୁଜି କ୍ଷେତ୍ରରେ ୨୪ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଏହା ମାଫିଆଙ୍କ ଦକ୍ଷତା ଓ ଏନ୍‌ଟିଏ ଅଧିକାରୀଙ୍କ କାର୍ଯ୍ୟକୁଶଳତାକୁ ପ୍ରମାଣିତ କରିଛି। ଏହା ଉଚ୍ଚଶିକ୍ଷା ପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ଓ ନିଯୁକ୍ତି ପରୀକ୍ଷାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଏହିସବୁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାର ଦକ୍ଷତା ଓ ସ୍ବଚ୍ଛତା ପ୍ରତି ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେକିଛି ବର୍ଷ ପୂର୍ବେ ଗଠିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) ନିଟ୍‌, ଜେଇଇ, ୟୁଜିସି-ନେଟ୍‌, ସି,ମ୍‌ଏଟି, ସିୟୁଇଟି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପରିଚାଳନା କରୁଛି। ୨୦୧୯ରେ ନିଟ୍‌, ୨୦୨୦ରେ ଜେଇଇ-ମେନ୍‌ ଓ ୟୁଜିସି-ନେଟ୍‌ ପରୀକ୍ଷା ପରିଚାଳନାରେ ଏନ୍‌ଟିଏର ବିଫଳତା ସାମ୍ନାକୁ ଆସିଥିଲା। ଅଭିଯୋଗ ପରେ କର୍ତ୍ତୃପକ୍ଷ ଏହାର ସଂଶୋଧନ କରିଥିଲେ। ଏହାଛଡ଼ା ୟୁପିଏସ୍‌ସି ଓ ଏସ୍‌ଏସ୍‌ସି ପରୀକ୍ଷାରେ ମଧ୍ୟ ଅନିୟମିତତାର ଅଭିଯୋଗ ହୋଇଆସୁଛି। ସବୁଠୁ ବଡ଼ ଅଭିଯୋଗ ହେଉଛି, ଏନ୍‌ଟିଏ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ସୁରକ୍ଷା ପ୍ରକ୍ରିୟା (ଏସ୍‌ଓପି)କୁ ଠିକ୍‌ ଭାବେ ଅନୁପାଳନ କରୁନାହାନ୍ତି। ଅନ୍‌ଲାଇନ୍‌ରେ ୟୁଜିସି-ନେଟ୍‌ ପରୀକ୍ଷା ହୋଇଥିଲାବେଳେ ନିଟ୍‌-ୟୁଜି ପରୀକ୍ଷା ମଧ୍ୟ କମ୍ପ୍ୟୁଟର ଆଧାରିତ ଥିଲା। ନିଟ୍‌ରେ କେବଳ ଓଏମ୍‌ଆର ସିଟ୍‌ ମୁଦ୍ରିତ ଥିଲା; ତେବେ କର୍ତ୍ତୃପକ୍ଷ ସାଇବର ସୁରକ୍ଷା ପ୍ରତି ଗୁରୁତ୍ବ ଦେଇନଥିବା ସାମ୍ପ୍ରତିକ ଘଟଣାରୁ ସ୍ପଷ୍ଟ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ଡାର୍କ ୱେବ୍‌ରେ ୟୁଜିସି-ନେଟ୍‌ ପରୀକ୍ଷା ପ୍ରଶ୍ନ ପ୍ରଘଟ ହୋଇଥିଲା। ପ୍ରାୟ ୯ ଲକ୍ଷ ପରୀକ୍ଷାର୍ଥୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ୧୫୬୩ ନିଟ୍‌ ପରୀକ୍ଷାର୍ଥୀ ପୁନଃ ପରୀକ୍ଷା ଦେବାକୁ ଯାଉଛନ୍ତି; କିନ୍ତୁ ସାରା ଦେଶରେ ପୁନଃ ନିଟ୍‌ ପରୀକ୍ଷା ପାଇଁ ଦାବି ହେଉଛି। ପ୍ରଶ୍ନପତ୍ର ପ୍ରସ୍ତୁତି, ଛପା, ପ୍ୟାକିଂ ଓ ପ୍ରେରଣ ଆଦି କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଉଥିବା ଜଣାପଡ଼ୁନାହିଁ; କାରଣ ପରିବହନ ସମୟରେ ବାଟରୁ ପ୍ରଶ୍ନପତ୍ର ଚୋରାଚାଲାଣ ହେଉଥିବା ଓ ଛପାଖାନାରୁ ପ୍ରଘଟ ହେଉଥିବା କୁହାଯାଉଛି। ପ୍ରଶ୍ନପତ୍ର ପଠାଗଲାବେଳେ ଇ-ମେଲ୍‌ ପ୍ରଘଟ ହୋଇଯାଉଥିବା ଜଣାପଡ଼ିଛି। ସରକାରୀ ପରିବର୍ତ୍ତେ ଘରୋଇ ଛାପାଖାନାରେ ପ୍ରଶ୍ନ ଛପା ହେବା ଓ ପରୀକ୍ଷା ପରିଚାଳନାରେ ଆଉଟ୍‌ ସୋର୍ସିଂ ବ୍ୟବସ୍ଥା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଢ଼ିଲା ହୋଇଯାଉଛି। ଅନେକ ସମୟରେ ଏନ୍‌ଟିଏର ବୈଷୟିକ ତ୍ରୁଟି କାରଣରୁ ବିଭ୍ରାଟ ସୃଷ୍ଟି ହେଉଛି ଏବଂ ଏହା ପଛରେ ସାଇବର ସୁରକ୍ଷା ଢ଼ିଲା ଥିବା କୁହାଯାଉଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ପାଇଁ ଅନେକ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଉଛି; କିନ୍ତୁ ଢ଼ୋଲ ଭିତରେ ମୂଷା ପରି ସବୁ ବ୍ୟର୍ଥ ହେଉଛି। ପରୀକ୍ଷାର୍ଥୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବା ସହ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସଂସ୍କାର ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories