www.samajalive.in
Saturday, December 6, 2025
23.1 C
Bhubaneswar

ବଅଁରପାଳ ଅଞ୍ଚଳରେ ଜାପାନି ଜ୍ବର ସନ୍ଦେହ: ଡାକ୍ତରୀ ଟିମ୍‌ର ଅନୁସନ୍ଧାନ ଜାରି

ଅନୁଗୋଳ : ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳରେ ଜାପାନି ଜ୍ବର (ଜାପାନିଜ ଏନ୍ ସେଫାଲାଇଟିଜ / ଜେଇ)ରେ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହରେ ଶୁକ୍ରବାର ଡ଼ାକ୍ତରୀ ଦଳ ପକ୍ଷରୁ ଅନୁସନ୍ଧାନ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଅନୁଗୋଳ ଭେକ୍ଟରବାହିତ ରୋଗ ବିଭାଗର ସହକାରୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପୂର୍ଣ୍ଣିମା ଉଦ୍‌ଗାତାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଅନୁଗୋଳ ଭେକ୍ଟରବାହିତ ରୋଗ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଆକ୍ୟୁଟ ଏନ୍ ସେଫାଲାଇଟିଜ ସିଣ୍ଡ୍ରୋମ ରୋଗର ଯାଞ୍ଚ ଚାଲିଥିବା ବେଳେ ବଅଁରପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜେ ଇ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତାଙ୍କୁ ମୁଣ୍ଡ ବ୍ୟଥା, ଜ୍ବର, ବାନ୍ତି ଆଦି ହେଉଥିଲା। ଅନୁଗୋଳରେ ଔଷଧ ଖାଇ ଉପଶମ ନ ମିଳିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପଇଁ ପରାମର୍ଶ ଦିଆଯାଇଥିଲା । ସେରିବ୍ରୋସ୍ପାଇନାଲ ଫ୍ଲୁଇଡ ଟେଷ୍ଟ କରାଇବାକୁ କୁହାଯାଇଥିଲା। କିନ୍ତୁ ସେ ଅବହେଳା କରି କଟକ ଯାଇ ନ ଥିଲେ। କିଛି ଦିନ ଭିତରେ ଅବସ୍ଥା ଗୁରୁତର ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ରୋଗର ପରୀକ୍ଷା ଅନୁଗୋଳରେ ଉପଲବ୍ଧ ନୁହେଁ। କଟକ କିମ୍ବା ଆରଏମଆରସି, ଭୁବନେଶ୍ବରରେ ଏହାର ପରୀକ୍ଷା ହୋଇପାରିବ। ଏହା ପରେ ସେ ଅଞ୍ଚଳରେ କିଛି ଲୋକଙ୍କୁ ଜ୍ବର ସହିତ ବାନ୍ତି ଆଦି ହେଉଛି। ଏଣୁ ଡ଼ାକ୍ତରଖାନା ପକ୍ଷରୁ ରାଜ୍ୟ ଭେକ୍ଟର ବାହିତ ରୋଗ ବିଭାଗର କୀଟ ବିଶେଷଜ୍ଞ ଏବଂ ତାଙ୍କ ଦଳଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେମାନେ ଆଜି ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ କିଛି ମଶା ସଂଗ୍ରହ କରି ନେଇଛନ୍ତି। ଜାପାନିଜ୍ ଏନ୍‌ ସେଫାଲାଇଟିଜ୍ ରୋଗର ଭୂତାଣୁ ଘୁଷୁରୀ, ପାଣି ପକ୍ଷୀ କିମ୍ବା କ୍ୟୁଲେକ୍ସ୍ ମଶା ଦ୍ବାରା ସଂକ୍ରମିତ ହୋଇ ମଣିଷ ପାଖକୁ ଆସିଥାଏ। ବଅଁରପାଳ ଅଞ୍ଚଳରେ ପାଣି ପକ୍ଷୀ କି ଘୁଷୁରୀ ନଥିବା ବେଳେ ମଶାମାନଙ୍କୁ ସେଥିପାଇଁ ଧରାଯାଇଛି। ପରୀକ୍ଷା ପରେ ସେ ଅଞ୍ଚଳରେ ଜେ ଇର ଭୂତାଣୁ ଅଛି କି ନାହିଁ ପ୍ରମାଣିତ ହେବ। ଜନସାଧାରଣ ଏଥିରେ ଆତଙ୍କିତ ହେବାର କାରଣ ନାହିଁ ବୋଲି ଡ଼ା. ଉଦ୍‌ଗାତା କହିବା ସହ ବିସ୍ତୃତ ରିପୋର୍ଟ ଆସିବା ପରେ ହିଁ  ରୋଗର ଭୂତାଣୁ ଅନୁଗୋଳରେ ଅଛି କି ନାହିଁ ତାହା ଜଣା ପଡ଼ିବ ବୋଲି କହିଛନ୍ତି। ଲଗାତାର ଜ୍ବର, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେଲେ ଜନସାଧାରଣ ସରକାରୀ ଡ଼ାକ୍ତରଖାନାର ପରାମର୍ଶ ନେବାକୁ କହିଥିଲେ। ରାଜ୍ୟ ଭେକ୍ଟର ବାହିତ ରୋଗ ଟିମ୍ ସହିତ ଅନୁଗୋଳ ଶାଖାର ପରାମର୍ଶଦାତା ନିରୁପମା ଦାସ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories