www.samajalive.in
Sunday, December 7, 2025
13.1 C
Bhubaneswar

୨୪ ଜିଲା ଛୁଇଁଲା ମୌସୁମୀ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ୨୪ଟି ଜିଲାକୁ ଅଗ୍ରସର ହେବା ସହ କିଛି ଅଞ୍ଚଳରେ ବର୍ଷା ହୋଇଛି। ଗ୍ରୀଷ୍ମ ଲହରୀ, ଗରମ ଏବଂ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି। ଟାଣଖରା ଯୋଗୁଁ ଚାଷୀ ଧାନ ବୁଣି ପାରୁ ନଥିବାବେଳେ ମୌସୁମୀ ଆସିବା ଦ୍ବାରା ଆଗାମୀ ବର୍ଷାରେ ଧାନବୁଣା କାର୍ଯ୍ୟ ଆଗେଇ ପାରିବ ବୋଲି ଆଶା ରଖିଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲାକୁ ଛୁଇଁଥିବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନେ ଦୁଇଦିନ ମଧ୍ୟରେ ଅବଶିଷ୍ଟ ୬ଟି ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଛୁଇଁବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜମ, ପୁରୀ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ଦେବଗଡ଼ ଜିଲାକୁ ମୌସୁମୀ ଛୁଇଁଛି। ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଏବଂ ବାଲେଶ୍ବର ଜିଲାର ଅଧିକାଂଶ ଅଞ୍ଚଳକୁ ମୌସୁମୀ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାର କିଛି ସ୍ଥାନକୁ ମୌସୁମୀ ଛୁଇଁଛି। ମୌସୁମୀ ବାୟୁ ଜୁନ୍‌ ୮ରେ ଓଡ଼ିଶା ଛୁଇଁଥିଲେ ହେଁ ପ୍ରତିକୂଳ ପାଗ ଯୋଗୁଁ ଏହା ରାଜ୍ୟରେ ସକ୍ରିୟ ହେବାରେ ବିଳମ୍ବ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ତାଳଚେରରେ ୧୦୮ ମି.ମି ବର୍ଷା ହୋଇଥିବାବେଳେ ବଅଁରପାଳରେ ୧୦୩ ମି.ମି ହୋଇଛି। ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା ୬୫ମି.ମି ରେକର୍ଡ ହୋଇଥିବାବେଳେ ରାଉରକେଲା ୫୬ ମି.ମି, ଦାରିଙ୍ଗବାଡ଼ି ୩୮ମି.ମି, ସୁବର୍ଣ୍ଣପୁର ୨୪.୮ମି.ମି ଏବଂ ଭୁବନେଶ୍ବରରେ ୬.୩ ମି.ମି ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ରାଜ୍ୟର ସବୁଠି ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସି ଆସିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories