www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ଘାତକ ଗ୍ରୀଷ୍ମ ଲହରୀ: ଅଂଶୁଘାତରେ ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ରାଜଧାନୀ ସମେତ ସମଗ୍ର ଏନ୍‌ସିଆରରେ ଗ୍ରୀଷ୍ମ ଲହରୀ ଅସହ୍ୟ ହୋଇଛି। ଗରମ ଯୋଗୁଁ ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଅସୁସ୍ଥ ଜୀବନରକ୍ଷାକାରୀ ଚିକିତ୍ସା ବ୍ୟବସ୍ଥାରେ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୋଏଡ଼ା ଅଞ୍ଚଳରେ ୧୪ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ରାମ ମନୋହର ଲୋହିଆ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ଏବେ ୫୦ରୁ ୬୦ ଅସୁସ୍ଥ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ରାମ ମନୋହର ଲୋହିଆ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି ଯେ ମୃତକ ଓ ଅସୁସ୍ଥ ବ୍ୟକ୍ତିମାନେ ଶ୍ରମିକ ଶ୍ରେଣୀର ଏବଂ ଅଂଶୁଘାତ ଯୋଗୁଁ ସେମାନଙ୍କର ଏଭଳି ଅବସ୍ଥା ହୋଇଛି। ଡାକ୍ତର ଶୁକ୍ଳା କହିଛନ୍ତି ଯେ ଶ୍ରମିକମାନଙ୍କୁ ଖରାରେ କାମ କରାଯିବାରୁ ସେମାନେ ଅଂଶୁଘାତର ଶିକାର ହୋଇଛନ୍ତି। ଅସୁସ୍ଥ ବ୍ୟକ୍ତିମାନଙ୍କୁ ବିଳମ୍ବରେ ଡାକ୍ତରଖାନାରେ ଆଣିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ରାତ୍ରିକାଳୀନ ତାପମାତ୍ରା ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ଚଳିତ ଗ୍ରୀଷ୍ମ ଋତୁରେ ରାତ୍ରିକାଳୀନ ତାପମାତ୍ରା ସ୍ବାଭାବିକ ଭାବେ ପାଖାପାଖି ୨୭.୫ ଡିଗ୍ରୀ ରହୁଥିବାବେଳେ ଗତ କିଛି କାଳ ଧରି ଏହା ୩୫.୨ ଡିଗ୍ରୀ ଅତିକ୍ରମ କରିବା ଯୋଗୁଁ ଲୋକେ ଶାନ୍ତିରେ ଶୋଇପାରୁନାହାନ୍ତି। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ମଧ୍ୟ କାମ କରୁନାହିଁ। ୨୦୧୨ରେ ଦିଲ୍ଲୀ ଏନ୍‌ସିଆରର ରାତ୍ରିକାଳୀନ ତାପମାତ୍ରା ସର୍ବାଧିକ ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ଗ୍ରୀଷ୍ମ ଲହରୀ ଯୋଗୁଁ ଦିଲ୍ଲୀରେ ଜଳ ଓ ବିଦ୍ୟୁତ୍ ସଂକଟ ଦେଖାଯାଇଛି। ଦିଲ୍ଲୀର ଲୋଡ ଡେସପାଚ ସେଣ୍ଟରର ତଥ୍ୟ ଅନୁଯାୟୀ ମଙ୍ଗଳବାର ପିକ୍ ଆୱାରରେ ବିଦ୍ୟୁତ୍ ଆବଶ୍ୟକତା ୮୬୪୭ ମେଗାୱାଟ୍ ରହିଥିଲା; ଯାହା ଅତୀତର ବିଦ୍ୟୁତ୍ ଆବଶ୍ୟକତା ରେକର୍ଡ ଭାଙ୍ଗିଛି। ଖରା ପାଇଁ ଜଳ ସଂକଟ ଦେଖାଯାଇଥିବାରୁ ଲୋକେ ଟ୍ୟାଙ୍କର ପାଣି ଅପେକ୍ଷାରେ ରହିଛନ୍ତି। ଜଳ ସମସ୍ୟା ସମାଧାନ ପାଇଁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷା ଅତିଶୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ଲହରୀ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର କାରବାର ମଧ୍ୟ ପ୍ରଭାବିତ ହୋଇଛି। ବହୁ ବିମାନ ଚଳାଚଳ ବାତିଲ କରାଯାଇଥିବାବେଳେ କେତେକକୁ ବିଳମ୍ବ କରାଯାଉଛି। ଦିଲ୍ଲୀର ସମସ୍ତ ସରକାରୀ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଅଂଶୁଘାତ ଚିକିତ୍ସା ଶାଖା (ୟୁନିଟ୍) ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବୁଧବାର ନିର୍ଦେଶ ଦେଇଛନ୍ତି। ନଡ୍ଡା ବୁଧବାର ପରିସ୍ଥିତିର ସମୀକ୍ଷା କରି ଅଂଶୁଘାତ ଆକ୍ରାନ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀ ଓ ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଲାଗି ରହିବ। ଏଥିପାଇଁ ଦିଲ୍ଲୀକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଆଇଏମଡି କହିଛି ଯେ ଜୁନ୍ ୩୦ ବେଳକୁ ଦିଲ୍ଲୀରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀ ବର୍ଷା ପରେ ଦିଲ୍ଲୀବାସୀ ରୌଦ୍ର ତାପରୁ ଆଶ୍ବସ୍ତି ପାଇବେ ବୋଲି ଆଇଏମ୍‌ଡି କହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories