www.samajalive.in
Friday, December 5, 2025
17.1 C
Bhubaneswar

ସରିଲା ନିର୍ବାଚନ, ବଢ଼ିଲା ଦରଦାମ୍‌: ଚିନ୍ତାରେ ଖାଉଟି

ଭୁବନେଶ୍ବର : ନିର୍ବାଚନ ସରିବା ସହିତ ମହଙ୍ଗା ମାଡ଼ ଖାଉଟୀଙ୍କୁ ବାଧିଲାଣି। ଗତ ତିନିମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ପାଇକାରୀ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ହରଡ଼ ଡାଲି, ବୁଟ ଡାଲି, ଚାଉଳ, ଚିନି, ସୋରିଷ ତେଲ ଓ ପାମୋଲିନ ତେଲ ଆଦିର ଦାମ ବଢ଼ିଛି। ଦରଦାମ ବୃଦ୍ଧିର ପ୍ରଭାବ ପାଇକାରୀ ବଜାର ଉପରେ ପଡିଥିବାବେଳେ ଖାଉଟିଙ୍କ ପକେଟକୁ ବାଧିଛି। ନିର୍ବାଚନ ପ୍ରକ୍ରିୟା ଯୋଗୁଁ ଖାଉଟୀ ଅସନ୍ତୋଷ ଜାହିର କରିପାରୁ ନଥିଲେ; କିନ୍ତୁ ନିର୍ବାଚନ ସରିବା ପରେ ଏହା ବଢ଼ିବ ବୋଲି ଭବିଷ୍ୟବାଣୀ କରୁଥିଲେ। ଏହା ଏବେ ସତ ହୋଇଛି। ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ରୁ ରାଜନୈତିକ ବାତାବରଣ ଉଷ୍ଣ ଥିଲା। ଗାଁ ଗାଁରେ ନେତା ଭୋଟ ମାଗୁଥିଲେ; କିନ୍ତୁ ଭିତରେ ଭିତରେ ଅନେକ ପାଇକାରୀ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ ଅଗୋଚର ଥିଲା। ହରଡ଼ ଡାଲି କିଲୋ ପିଛା ୨୦ଟଙ୍କା ବୃଦ୍ଧି ପାଇଥିବାବେଳେ କୁଇଣ୍ଟାଲ ପିଛା ପ୍ରାୟ ୩ ହଜାର ଟଙ୍କା ବଢିଛି। ବଜାରରେ ହରଡ ଡାଲି କିଲୋ ୧୭୫ ଟଙ୍କାରେ ପହଞ୍ଚିଛି। ବୁଟ ଡାଲି କୁଇଣ୍ଟାଲ ପିଛା ୨ହଜାର ଟଙ୍କା ବଢିଛି। ଯଦି କିଲୋ ପିଛା ଦେଖିବା ତେବେ ପାଖାପାଖି ୧୦ଟଙ୍କା ବଢିଛି। ମୁଗ ଡାଲି କିଲୋ ପିଛା ୩ଟଙ୍କା ବଢିଥିବାବେଳେ ବିରି ଡାଲି କୁଇଣ୍ଟାଲ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଡାଲି ଜାତୀୟ ସାମଗ୍ରୀ ଦର ବୃଦ୍ଧି ପାଇବା ଦ୍ବାରା ସାଧାରଣ ଖାଉଟିଙ୍କ ପାଇଁ ଏ ସବୁ କିଣିବା କଷ୍ଟକର ହୋଇପଡ଼ିଲାଣି। ସୋରିଷ ତେଲ ଦାମ ପୂର୍ବରୁ ଲିଟର ପିଛା ୧୨୦ ଟଙ୍କା ଥିଲାବେଳେ ଲିଟର ପିଛା ୧୫ଟଙ୍କା ବଢ଼ି ବର୍ତ୍ତମାନ ୧୩୫ ଟଙ୍କାରେ ପହଞ୍ଚିଛି। ପାମୋଲିନ ଦର ‌ପୂର୍ବରୁ ଲିଟର ପିଛା ୮୩ରୁ ୮୪ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୮୬ରୁ ୮୭ଟଙ୍କାରେ ବିକ୍ରି ହେଉଛି। ପାମୋଲିନ୍ ଲିଟର ପିଛା ୩ରୁ ୪ଟଙ୍କା ଏବଂ ସନଫ୍ଲାୱାର ଲିଟର ପିଛା ୫ଟଙ୍କା ବୃଦ୍ଧି ପାଇଛି। ଏହାସହିତ ଚାଉଳ, ଗହମ ଜାତୀୟ ଉତ୍ପାଦ ଅଟା, ସୁଜି ଓ ମଇଦା ଆଦି ସାମଗ୍ରୀ ଦର ବଢିଛି। ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କୁଇଣ୍ଟାଲ ପିଛା ୪୦୦ଟଙ୍କା ବଢିଛି। ଗତ ୩ ମାସ ତଳେ ଚାଉଳ କୁଇଣ୍ଟାଲ ୩୧ଶହ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ସାଢେ ୩ହଜାର ଟଙ୍କା ହେଲାଣି। ସାଧାରଣ କିସମ ଚାଉଳ ପାଇକାରୀ ମୂଲ୍ୟ ପୂର୍ବରୁ କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲାବେଳେ ତାହା ୩୬ ଟଙ୍କାକୁ ବୃଦ୍ଧି ପାଇଛି। ଗହମ ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ଟଙ୍କା ବଢ଼ିଯାଇଛି। ଏହା ଫଳରେ ଗହମ ଜାତୀୟ ଉତ୍ପାଦ ସୁଜି, ଅଟା, ମଇଦା ଆଦି ଦାମ କୁଇଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚା ରହିବା ଯୋଗୁଁ ଏବଂ ପରିବହନ ବ୍ୟବସ୍ଥାକୁ ଦେଖିଲେ ରାଜ୍ୟର ଖୁଚୁରା ବଜାର ଗୁଡିକରେ ଏସବୁ ସାମଗ୍ରୀ ଦାମ ଭିନ୍ନ ଭିନ୍ନ ରହିଥିବା ଜଣାପଡିଛି। ସେପଟେ ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଚଳିତ ନିର୍ବାଚନରେ ରାଜନୈତିକ ଦଳଗୁଡିକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୩୧ଶହ କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ ଚାଷୀ କମ ଦାମରେ ଧାନ ଆଉ ବିକ୍ରି ନକରି ବର୍ଦ୍ଧିତ ଏମଏସପି ମୂଲ୍ୟରେ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି। ବଜାରରେ ଧାନ ଅଭାବ ପରିସ୍ଥିତି ଉପୁଜିଥିବାରୁ ଚାଉଳ ଦାମ ବଢିଛି। ଯଦି ଆଗାମୀ ଦିନରେ ଧାନ ୩୧ଶହ ଟଙ୍କା ହୁଏ ତେବେ ଚାଉଳ କୁଇଣ୍ଟାଲ ପିଛା ଦାମ ୨ଶହ ଟଙ୍କା ପର୍ଯ୍ୟନ୍ତ ବଢିବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। ସରକାର ମାଗଣା ଯୋଜନା ଆଣିବା ଦ୍ବାରା ଲୋକେ ଆଉ ଚାଷ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଦେଶ ତଥା ରାଜ୍ୟରେ ଅନେକ ସାମଗ୍ରୀ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଯଦି ଏଭଳି ପରିସ୍ଥିତି ଆଗକୁ ଲାଗି ରହିବ ତେବେ ଭାରତ ମଧ୍ୟ ଶ୍ରୀଲଙ୍କା ପରିସ୍ଥିତିର ସମ୍ମୁଖୀନ ହେବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଜାରରେ କର୍ପୋରେଟ ହାଉସ୍‌ ପ୍ରବେଶ କରିବା ଦ୍ବାରା ବଜାରରେ ଅସ୍ଥିରତା ସୃଷ୍ଟି ହେଉଛି। କର୍ପୋରେଟ ସଂସ୍ଥାଗୁଡିକ ବିଭିନ୍ନ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ରଖିବା ଦ୍ବାରା ବଜାରରେ ସାମଗ୍ରୀ ଅଭାବ ରହୁଛି। ଫଳସ୍ବରୂପ ଦରଦାମ ବୃଦ୍ଧି ପାଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories