ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା: ଆଗରେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ(ବିଜେଡି) ଶାସନର ଦୁର୍ଗ ପତ୍ତନ ପରେ ଓଡ଼ିଶାରେ ପ୍ରଥମ ଥର ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଘୋଷଣା ଅନୁଯାୟୀ, ରାଜ୍ୟରେ ୧୦ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଜଣେ ଖାଣ୍ଟି ଓଡ଼ିଆ ଶପଥ ଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ବରର ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖୋଦ୍ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ତେବେ ହାତରେ ଆଉ ୩ ଦିନ। କିଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ସେଥିନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା, ଆଲୋଚନା ଓ ଆକଳନ ଚାଲିଛି। ଏସବୁ ଭିତରେ ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ନବନିର୍ବାଚିତ ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁ।
ତେବେ ବିଭିନ୍ନ ଦିଗକୁ ଦେଖିଲେ, ଧର୍ମେନ୍ଦ୍ର ପ୍ରଧାନ ଏକ୍ଷେତ୍ରରେ ସବୁଠୁ ଆଗରେ ଥିବା ଆଲୋଚନା ହେଉଛି। ରାଜନୀତିରେ ତାଙ୍କର ପାଖାପାଖି ସାଢେ ୩ ଦଶନ୍ଧିର ଲମ୍ବା ଅନୁଭବ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ଧର୍ମେନ୍ଦ୍ର ଛାତ୍ର ରାଜନୀତିରୁ ଆସିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ଶ୍ରୀ ପ୍ରଧାନଙ୍କର ଆରଏସ୍ଏସ୍ ଓ ହିନ୍ଦୁବାଦୀ ସଂଗଠନ ଗୁଡିକ ସହ ଭଲ ସଂପର୍କ ରହିଛି। ୨୦୦୦ ମସିହାରେ ପାଲଲହଡାରୁ ନିର୍ବାଚିତ ଶ୍ରୀ ପ୍ରଧାନ ଶ୍ରେଷ୍ଠ ଯୁବ ବିଧାୟକ ଭାବେ ସମ୍ମାନିତ ହୋଇଥିଲେ। ଏପରିକି ୨୦୦୪ ମସିହାରେ ଦେବଗଡ଼ ଆସନରୁ ସାଂସଦ ରହିଥିଲେ। ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇ ୨୦୧୪ରୁ କେନ୍ଦ୍ରର ମୋଦୀ ସରକାରରେ ଦୀର୍ଘ ୧୦ ବର୍ଷ ଧରି ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସଫଳ ଦାୟିତ୍ବ ତୁଲାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଭାବେ ଓଡ଼ିଶାକୁ ଅନେକ ପ୍ରକଳ୍ପ ଆଣିବାରେ ସଫଳ ହୋଇଛନ୍ତି। ବିଶେଷକରି ତୈଳ ବିଶୋଧନାଗାରର ସଂପ୍ରସାରଣ, ପାରଦ୍ବୀପ-ହଳଦିଆ ଗ୍ୟାସ୍ ପାଇପ୍ ଲାଇନ୍, ସହରାଞ୍ଚଳରେ ପାଇପ୍ ଯୋଗେ ଘରକୁ ଗ୍ୟାସ୍ ସଂଯୋଗ, ତାଳଚେର ସାର କାରଖାନାକୁ ପୁନଃ ଚାଲୁ କରିବାରେ ତାଙ୍କ ଭୂମିକା ରହିଛି। ଉଜ୍ବଳା ଯୋଜନାରେ ୧୦ କୋଟିରୁ ଅଧିକ ପରିବାରର ମହିଳାଙ୍କୁ ମାଗଣା ରୋଷେଇ ଗ୍ୟାସ୍ ସିଲିଣ୍ଡର ବାଣ୍ଟିବା ବିଜେପି ଲାଗି ନିର୍ବାଚନୀ ଗେମ୍ଚେଞ୍ଜର ହୋଇଥିଲା। ସେଥିପାଇଁ ଧର୍ମେନ୍ଦ୍ର ଉଜ୍ଜଳା ମ୍ୟାନ୍ ଭାବେ ବି ପରିଚିତ। ବିଗତ ଦିନରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଦଳୀୟ ସଂଗଠନ ଦାୟିତ୍ବ ମଧ୍ୟ ତୁଲାଇ ବିଜେପିକୁ ବେଶ୍ ନିର୍ବାଚନୀ ସଫଳତା ଦେଇଥିବା କୁହାଯାଏ। କେନ୍ଦ୍ରର ଶିକ୍ଷାମନ୍ତ୍ରୀ ଭାବେ ଓଡ଼ିଶାରେ ଏକାଧିକ କେନ୍ଦ୍ରୀୟ, ନବୋଦୟ ସହ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କ ଭୂମିକାକୁ କ୍ବଚିତ ଅସ୍ବୀକାର କରିବେ।
ଓଡ଼ିଶାର ସବୁଠୁ ବଡ଼ ଓବିସି ଚେହେରା ଭାବେ ପରିଚିତ ଧର୍ମେନ୍ଦ୍ରଙ୍କର ଉପକୂଳରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠାରେ ସଂଗଠନ ଗତ ସଂପର୍କ ଓ ଦୃଢତା କର୍ମୀ ଏବଂ ନେତାମାନଙ୍କ ଭିତରେ ରହିଛି। ୨୦୧୪ରୁ ବିଜେପିର ଦୁର୍ବଳ ସଂଗଠନକୁ ସୁଦୃଢ କରି ୨୦୧୭ରେ ପଞ୍ଚାୟତ ଓ ପରେ ନିଗମ ନିର୍ବାଚନରେ ଦଳକୁ ବିରୋଧୀ ଦଳ ମାନ୍ୟତାକୁ ଆଣିବାରେ ତାଙ୍କର ବଳିଷ୍ଠ ନେତୃତ୍ବ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ୮ଟି ଲୋକସଭା ଓ ୨୩ଟି ବିଧାନସଭା ଆସନ ବିଜେପି ଝୁଲାରେ ପଡିଥିଲା। କଳା, ସାହିତ୍ୟ, ସଂସ୍କୃତିପ୍ରାଣା ଧର୍ମେନ୍ଦ୍ର ଜଣେ ଓଜସ୍ବୀ ନେତା ଭାବେ ସେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପାଖାପାଖି ୩ ଡଜନରୁ ଅଧିକ କୃତବିତ୍ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କର କେନ୍ଦ୍ର ଠାରେ ଦାବି ଓ ଭୂମିକା ତାଙ୍କର କେନ୍ଦ୍ରୀୟ ନେତୃତ୍ବ ପ୍ରତି ଥିବା ଉତ୍ତମ ସଂପର୍କକୁ ପ୍ରମାଣିତ କରେ। ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଭାସ୍କର୍ଯ୍ୟ ଲାଗି କେନ୍ଦ୍ରୀୟ ସହାୟତା ପୂର୍ବାପେକ୍ଷା ବଢାଇବା, ଖୋର୍ଦ୍ଧାରେ ପାଇକ ସ୍ମାରକୀ ପ୍ରତିଷ୍ଠା ନେଇ ନିରବଚ୍ଛିନ୍ନ ପ୍ରୟାସ ସେ କରିଛନ୍ତି। ବିଜେପିର ସଙ୍କଟମୋଚକ ଭାବେ କେନ୍ଦ୍ରୀୟ ନେତାଙ୍କ ନିକଟରେ ପରିଚିତ। ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ଓ ସଂଗଠନ ଭିତ୍ତିକ ଉତ୍ତମ ସଂପର୍କ ଓ ସମନ୍ବୟ ରହିଆସିଛି। ସେ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେବା ଏକ ସ୍ବାଭାବିକ କଥା।
ଏବେ ଓଡ଼ିଶାବାସୀଙ୍କର ବିଜେପିର ନୂଆ ସରକାର ଠାରୁ ଅନେକ ଆଶା ଓ ଆକାଂକ୍ଷା ରହିଛି। ବିଶେଷକରି ଯୁବଗୋଷ୍ଠୀଙ୍କ ଆଶା ଆକାଶଚୁମ୍ବୀ ରହିଛି। ଏଭଳି ସ୍ଥିତିରେ ବିଜେପି ସଂସଦୀୟ ବୋର୍ଡ ଓଡ଼ିଶା ଲାଗି ଜଣେ ଅନୁଭବୀ, ଅଭିଜ୍ଞ ଓ ଯୁବା ନେତୃତ୍ବକୁ ବାଛି ପାରନ୍ତି। ନିର୍ବାଚନ ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ରାଜ୍ୟକୁ ଶିଳ୍ପ ଓ ସେବା କ୍ଷେତ୍ରରେ ଆଗକୁ ନେଇ ରାଜସ୍ବ ବଢାଇବା, ନୂଆ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜଣେ ଅଭିଜ୍ଞ ରାଜନେତା ହିଁ କରିପାରିବେ। ସେ ଦୃଷ୍ଟିରୁ ରାଜନୀତି, ସଂଗଠନ ସହ ପ୍ରଶାସନିକ ଅଭିଜ୍ଞତା ତଥା ସରକାର ପରିଚାଳନା ଅନୁଭବ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀ ଲାଗି ଅଧିକ ଜରୁରୀ। ଏସବୁ ଦେଖିଲେ ଅନ୍ୟମାନଙ୍କ ଅପେକ୍ଷା ଏଦିଗରେ ଧର୍ମେନ୍ଦ୍ର ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଆସନ୍ତା ୯ତାରିଖରେ କେନ୍ଦ୍ରରେ ମୋଦୀ ସରକାର ଶପଥ ନେବେ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ତାହା ସ୍ପଷ୍ଟ ହେବ। ତା’ପର ଦିନ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଆସନ୍ତାକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ବସି ଏନେଇ ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି। ଦେଖାଯାଉ, ବିଜେପି ସଂସଦୀୟ ବୋର୍ଡ ଓଡ଼ିଶା ଲାଗି କେଉଁ ବ୍ୟକ୍ତିଙ୍କୁ ବାଛୁଛି !
Comments are closed.