ଡି.ଡି.ବିଶ୍ୱବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ
କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ଉଦ୍ଭିଦବିଜ୍ଞାନ ଅଧ୍ୟାପିକା ଡ. ସୁଚିଶ୍ମୀତା ଆଚାର୍ଯ୍ୟ ସ୍ୱାଗଭତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଭୂତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ବନବିହାରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ବିଷୟ ‘ଭୂମି ପୁନଃ ସଂସ୍ଥାପନ, ମରୁକରଣ ଓ ମରୁଡ଼ି ସହନଶୀଳତା’ ସମ୍ପର୍କରେ ତଥ୍ୟଭିତ୍ତିକ ବିଶ୍ଳେଷଣ ଉପସ୍ଥାପନ କରିଥିଲେ। ରାଜ୍ୟ ପ୍ରଦୁଷଣ ବୋର୍ଡ କେନ୍ଦୁଝର ଶାଖା ଅଧିକାରୀ ଇଂ ପ୍ରଶାନ୍ତ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଆମ ଭୂମି, ଆମ ଭବିଷ୍ୟତ’ ଆଧାରରେ ପରିବେଶ ଅବକ୍ଷୟର କାରଣ, ଜଳବାୟୁୁ ପରିବର୍ତ୍ତନ, ବିଶ୍ୱ ତାପମାନ ଓ ମାନବକୃତ ବିପର୍ଯ୍ୟୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳସଚିବ ନରେନ୍ଦ୍ର କୁମାର ସାହୁ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଭୁପ୍ରସାଦ ଦାସ, ଟାଟା ଷ୍ଟିଲ ଅବିନାଶ ଦାସ ପ୍ରମୁଖ ଯୋଗ ଦେଇ ପୃଥିବୀର ସୁରକ୍ଷା ପାଇଁ ପୁନଃ ନବୀକରଣ ଶକ୍ତିର ବିନିଯୋଗ ଓ ବ୍ୟାପକ ଚାରାରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଉତ୍ତର ପରିସରରେ ଚାରାରୋପଣ କରାଯାଇଥିଲା।
Comments are closed.