ରାତି ପାହିଲେ ଭୋଟ ଗଣତି, କଳାହାଣ୍ଡିରେ ହେବ ୨୨ ରାଉଣ୍ଡ ଗଣତି
ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ତଥା ଏଥି ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଏବଂ ଧର୍ମଗଡ ପଂଚାୟତ କଲେଜ୍ ପରିସରରେ ଭୋଟ ଗଣତି କରାଯିବ। ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ସାଇନ୍ସ ବ୍ଲକ୍ ପରିସରରେ ଭବାନିପାଟଣା, ନର୍ଲା ଏବଂ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ। ସେହିଭଳି ଧର୍ମଗଡ ପଂଚାୟତ କଲେଜ୍ ପରିସରରେ ଧର୍ମଗଡ ଏବଂ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବାକୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି। ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ୍ ଆଜି ଉଭୟ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରିଛନ୍ତି।ମଙ୍ଗଳବାର ସକାଳ ୮ଟା ରୁ ପ୍ରଥମେ ୨୮ଟି ଟେବୁଲରେ ପୋଷ୍ଟାଲ ଏବଂ ଗୃହ ଭୋଟ ଗଣତି କରାଯିବାକୁ ସ୍ଥିର ହେଇଛି। ପରେ ଲାଞ୍ଜିଗଡ, ନର୍ଲା, ଭବାନୀପାଟଣା ଏବଂ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୧୪ଟି ଲେଖାଏଁ ଟେବୁଲରେ ଭୋଟ ଗଣତି ହେବାକୁ ଥିବାବେଳେ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ। ସମୁଦାୟ ପ୍ରାୟ ୨୨ ରାଉଣ୍ଡ ଗଣତି ହେବ ବୋଲି ଆକଳନ କରାଯାଉଛି। ସେହିଭଳି କଳାହାଣ୍ଡି ଲୋକସଭା ଆସନ ପାଇଁ ମଧ୍ୟ ସମାନ ପରିମାଣର ଟେବୁଲ୍ରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଛି। ଉଭୟ ଭୋଟ ଗଣତି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭବାନୀପାଟଣା ଏବଂ ଧର୍ମଗଡ ଭୋଟ ଗଣତି କେନ୍ଦ୍ରରେ ୬ ପ୍ଲାଟୁନ ଲେଖାଏଁ ଜିଲ୍ଲା ପୋଲିସ୍, ୨ ପ୍ଲାଟୁନ ଲେଖାଏଁ ଏସଏପି ଏବଂ ଗୋଟାଏ କମ୍ପାନୀ ଲେଖାଏଁ ସିଆରପିଏଫ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି।
Comments are closed.