ଭୋଟ ଗଣତି ପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ଫୁଲବାଣୀ: ସାଧାରଣ ନିର୍ବାଚନ ପାଇଁ ୪ ତାରିଖରେ ହେବ ଭୋଟ ଗଣତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ସ୍ଥାନୀୟ ପଲିଟେକନିକ ଠାରେ ଭୋଟ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟରେ ଗଣତୀ କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରାୟ ୩୦୦ କର୍ମଚାରୀ ନିୟୋଜିତ ହେବେ। ଏଥି ମଧ୍ୟରୁ ୧୨୨ ଜଣ ଗଣତି ପ୍ରକ୍ରିୟାରେ ଏବଂ ଅନ୍ୟମାନେ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଫୁଲବାଣୀ ବିଧାନସଭା ଆସନ ପାଇଁ ୧୦ଟି ଓ ଲୋକସଭା ଆସନ ପାଇଁ ୧୦ଟି ଟେବୁଲରେ ଗଣତି ହେବ। ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ଗଣତି ହେବ। ସେହିଭଳି ପୋଷ୍ଟାଲ ବ୍ୟାଲଟ ପାଇଁ ଆଉ ୧୦ଟି ଟେବୁଲ ରହିବ। ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ ମତଦାନ କରିଥିବା ସୂଚନା ଦିଆଯାଇଛି। ୪ ତାରିଖ ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଗଣତି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ସୂଚନା ଦେଇଛନ୍ତି।

Comments are closed.