ଚୌକିଦାର
ଅଲେଖ ଚନ୍ଦ୍ର ମିଶ୍ର
ଶୂନ୍ଶାନ୍ ରାତି। ନିଶା ଗର୍ଜୁଥିବ। ଗଭୀର ନିଶୀଥର ନିର୍ଜନତାକୁ ଭେଦକରି ନିର୍ଦିଷ୍ଟ ବ୍ୟବଧାନରେ ଶୁଭୁଥିବ ‘ଠକ୍, ଠକ୍, ଠକ୍’ ଶବ୍ଦ। ତା ସହିତ ଭାସି ଆସି ନିଶବ୍ଦତାରେ ମିଳେଇ ଯାଉଥିବ ଦରଭଙ୍ଗା କଣ୍ଠସ୍ୱର, “ହୁସିଆର୍, ଖବରଦାର୍, ଜାଗ୍ତେ ରହୋ”। ଡରରେ ଆଖିବୁଜି ଦେଇ ମାଆର କାନି ଭିତରେ ମୁହଁ ଲୁଚେଇ ଶୋଇ ପଡୁଥିବ ଅଝଟ ଶିଶୁଟିଏ। ଦିନେ ନୁହେଁ, ମାସେ ନୁହେଁ। ଖରା, ବର୍ଷା, ଶୀତ, କାକର ସବୁ ଋତୁରେ ନିୟମିତ ଘଟି ଚାଲିଥିବ ଏହି ଘଟଣା। ତା’ର ନାୟକ ଥିବ ଏକ ପଞ୍ଚୁହତା ମର୍ଦ, ବାଘୁଆ ନିଶ, ମୁଣ୍ଡରେ ପଗଡ଼ି, ଦେହରେ ଖାକି ପୋଷାକ, ମୁହଁରେ ପିକା, ଗୋଟିଏ ହାତରେ ଦିକ୍ଦିକ୍ ଜଳୁଥିବା ଲଣ୍ଠନଟିଏ, ଅନ୍ୟ ହାତରେ ଚିତାଏ ଉଚ୍ଚର ଏକ ଶକ୍ତ ଠେଙ୍ଗା, ମଝିରେ ମଝିରେ ମାଟିରେ ଠୁକି ହେଉଥିବା ଠେଙ୍ଗାର ଆବାଜ୍ ଏବଂ ତା ସହିତ ଶୂନ୍ୟରେ ପ୍ରତିଧ୍ୱନିତ ହେଉଥିବା ଶବ୍ଦ’ ‘ଜାଗତେ ରହୋ’। ଗାଁର ସାହି, ଗଳି, କନ୍ଦି, ଦୋକଡ଼ିରୁ ମଶାଣିଯାଏ ନିଜର ଜୀବନକୁ ବିପନ୍ନ କରି ପହରା ଦେଇ ଲୋକଙ୍କୁ ନିଶ୍ଚିନ୍ତରେ ଶୋଇବାକୁ ଦେଉଥିବା ସେଇ ନିର୍ଭୀକ ମଣିଷଟି ଆଉ କେହି ନୁହେଁ, ସେ ହେଉଛି ସଭିଙ୍କର ଜଣାଶୁଣା ନାମ ‘ଚୌକିଦାର’ ବା ‘ଚଉକିଆ’।
ଏହି ବ୍ୟବସ୍ଥା କାହିଁ କେଉଁ ଆବହମାନ କାଳରୁ ଆମ ସଂସ୍କୃତି ସହିତ ଯୋଡ଼ି ହୋଇ ରହିଆସିଅଛି। ସେ ପୁରାଣ ଶାସ୍ତ୍ର ବର୍ଣ୍ଣିତ ଦଣ୍ଡୁଆସି ହେଉ କିମ୍ବା ରାଜାରାଜୁଡ଼ା ଅମଳର କଟୁଆଳ ହେଉ ଅଥବା ଏବକାର ୱାଚମ୍ୟାନ ବା ଜଗୁଆଳି ହେଉ ସେହି ଲୋକଟି ଏକ ଅନୁଷ୍ଠାନର ପ୍ରତୀକ, ଶୃଙ୍ଖଳାର ନିଦର୍ଶନ। ବ୍ରିଟିଶ ଶାସନ ପ୍ରଣାଳୀରେ ନିମ୍ନତମ ସ୍ଥାନରେ ଥିବା ଏହି ଅଧସ୍ତନ କର୍ମଚାରୀଟି ଥିଲା ତତ୍କାଳୀନ ଆଇନ୍ଶୃଙ୍ଖଳା ବ୍ୟବସ୍ଥାର ଆଦି ରକ୍ଷକ ଯାହା ଉପରକୁ ପାହ୍ୟା ଅନୁସାରେ ଥିଲେ ଦଫାଦାର, ଜମାଦାର, ଥାନାଦାର ଇତ୍ୟାଦି। ପୁଲିସ ବିଭାଗକୁ ଆଇନଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିବା ଥିଲା ଚୌକିଦାରର ମୁଖ୍ୟକାମ। ନ୍ୟାୟପାଳିକାରେ ଚୌକିଦାରର ସାକ୍ଷ୍ୟ ପ୍ରଦାନ ତତ୍କାଳୀନ ବିଚାର ବ୍ୟବସ୍ଥାରେ ସବୁଠାରୁ ବଳିଷ୍ଠ ପ୍ରମାଣ ଭାବରେ ଗୃହୀତ ହେଉଥିଲା।
ଇଣ୍ଡିଆନ୍ ଏଭିଡେନସ ଆକ୍ଟର ଧାରା ୨୫ ଅନୁସାରେ ଚୌକିଦାର ଏକ ପୁଲିସ କର୍ମଚାରୀ ଏବଂ ଚୌକିଦାର ଆକ୍ଟ୍-୧୯୫୬ ଅନୁଯାୟୀ ସେ ଜଣେ ଗ୍ରାମ୍ୟ ପୁଲିସ ସେବକ। ତେଣୁ ଚୌକିଦାର ପ୍ରତି ସାଧାରଣ ଲୋକଙ୍କର ଭୟ ଓ ସମ୍ମାନ ଥିଲା। ‘ଚଉକିଆ ବାନ୍ଧିନବ’ ଆଗେ ପିଲାଠାରୁ ବଡ଼ଯାଏ ପ୍ରାୟ ସମସ୍ତେ ଜାଣିଥିବା ଏହା ଏକ ଆଖିଦେଖା ଓ କାନଶୁଣା କଥା। ଚୌକିଦାର ମାଧ୍ୟମରେ କାହା ଘରେ କେତେ ଫୁଟଣଫୁଟେ ତା’ର ଆବାଜ କମିସନରଙ୍କ ବଙ୍ଗଳାକୁ ଶୁଭେ। ଗାଁରେ କିଏ କେତେବେଳେ ଜନ୍ମହୁଏ, ମରେ ସବୁ ଖବର ନିର୍ଦିଷ୍ଟ ସ୍ଥାନରେ ପହଞ୍ଚେଇବା ପାଇଁ ଚୌକିଦାର ପାଖରେ ଥାଏ ଜନ୍ମମୃତ୍ୟୁର ହିସାବଖାତା। ତା’ଛଡା କୌଣସି ଅଘଟଣ, ଚୋରି, ଡକାୟତି, ସିନ୍ଧି, ଜନାକାରି, ଗଣ୍ଡଗୋଳ, ନିଶାପ ଆଦି ପ୍ରତ୍ୟେକ ଖବର ଦଫାଦାରଙ୍କ ଜରିଆରେ ଥାନାରେ ଜଣେଇବା ଥିଲା ଚୌକିଦାରର ଦାୟିତ୍ବ। ଗାଁ ମୁଣ୍ଡରେ ଥିବା ବତିଖୁଣ୍ଟର ଚିମ୍ନିକୁ ସଫା କରି ସେଥିରେ କିରୋସିନ ଓ ବତିଦେଇ ପ୍ରତିଦିନ ସନ୍ଧ୍ୟାରେ ତାକୁ ଜଳେଇବା ଥିଲା ଚୌକିଦାରର ଅନ୍ୟଏକ କାମ। ସମାଜରେ ଚୌକିଦାରର ଭୂମିକା ଏତେ ଲୋକପ୍ରିୟ ଥିଲା ଯେ ତା’ର କାର୍ଯ୍ୟକଳାପ ତତ୍କାଳୀନ ଭାଷା, ସାହିତ୍ୟ, ଯାତ୍ରା, ନାଟକ, ସୁଆଙ୍ଗ, ଫାର୍ସ ଇତ୍ୟାଦିକୁ ଅନେକାଂଶରେ ପ୍ରଭାବିତ କରିଥିଲା। ବ୍ୟାସ କବିଙ୍କର ‘ଛମାଣ ଆଠଗୁଣ୍ଠ’ରେ ବର୍ଣ୍ଣିତ ଚୌକିଦାର ଗୋବରା ଜେନା କଥା ଏବଂ କୋର୍ଟରେ ତାର ସାକ୍ଷ୍ୟ ପ୍ରଦାନ ତଥା ‘ଖବରଦାର ଗୋବରା ଜେନା ଚୌକିଦାର’ ଉପାଖ୍ୟାନ ଏବେ ବି ଅବିସ୍ମରଣୀୟ ହୋଇ ରହିଛି। ପଲ୍ଲୀକବି ନନ୍ଦକିଶୋରଙ୍କ ‘ପଲ୍ଲୀଚିତ୍ର’ ରେ ବର୍ଣ୍ଣନା କରାଯାଇଛି “କଳହ, ଅନର୍ଥ ମୂଳ ସକଳ ଏଠାରେ ଠୁଳ, ମାରାତ୍ମକ ଠେଙ୍ଗା ହାତେ ଉଭା ଚଉକିଆ, ପାଣରୁ ବ୍ରାହ୍ମଣ ନାହିଁ ଏଠାରେ ଅଦିଆ”। ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ରେ ‘ଚଉକିଦାର ଗୋବାରା ଭୋଇ, ଚିଲମ ଟାଣି ରାତିଟା ଶୋଇ ସକାଳୁ କହେ, ବୁଲାଇ ଦେଲି ଚୋରକୁ କାଲି ଭୁଆଁଟି, ଛୋଟ ମୋର ଗାଁଟି’ କେବେ ବି ଭୁଲି ହେବନାହିଁ। ଏପରିକି ଲୋକକଥା ବି ଏଥିରୁ ବାଦ୍ପଡିନି ଯେପରି, ‘ଚୋରକୁ ଚୋର ଚିହ୍ନେ, ପୁରୁଣା ଚୋରକୁ ଚଉକିଆ ଚିହ୍ନେ’।
ଏବେ ବି ଚଉକିଆମାନେ ଅଛନ୍ତି। ହେଲେ ସେ କାଳର ପଖାଳ ଆଉ ନାହିଁ। ବ୍ରିଟିଶ୍ ଅମଳର କଠୋର ଦଣ୍ଡ ବିଧି ବ୍ୟବସ୍ଥା ଅତୀତର କାହାଣୀ ପାଲଟି ଗଲାଣି। ଫଳରେ ଚୌକିଦାରକୁ କେହି ଖାତିର କରୁ ନାହାନ୍ତି। ଏବେ ସହରରେ ଚୌକିଦାରର ସ୍ଥାନ ନେଉଛନ୍ତି ନେପାଳୀ ବାହାଦୁର ଯିଏ ସଂପୃକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଖରୁ ପାରିଶ୍ରମିକ ବାବଦରେ କିଛିବକ୍ସିସ୍ ପାଆନ୍ତି। ବିଭିନ୍ନ ଅଫିସରେ ଏବଂ ୱ୍ବାର୍କ ସାଇଟ୍ରେ ଏମାନେ ରାତ୍ରି ଜଗୁଆଳି କାମ କରନ୍ତି। ଘରଦ୍ୱାର ଛାଡି ବାହାରେ କିମ୍ବା ବିଦେଶରେ ରହୁଥିବା ଅନେକ ଲୋକ ତାଙ୍କର ଘରବାଡ଼ିର ରକ୍ଷଣାବେକ୍ଷଣ ପାଇଁ ଚୌକିଦାର ରଖୁଛନ୍ତି। ଅତଏବ ପାରମ୍ପରିକ ଗୁରୁତ୍ବ ହଜିଯାଇଥିଲେ ବି ଚୌକିଦାରି ପ୍ରଥାର ଉପାଦେୟତା ରହିଥିଲା, ରହିଛି ଏବଂ ରହିଥିବ।
Comments are closed.