ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ସମୟରେ ଅନେକ ଲୋକ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଯାଆନ୍ତି ନାହିଁ। ବିଭିନ୍ନ ବାହାନା ହେଉ କି କାମର ଆଳ ଦେଖାଇ ଭୋଟ ଦିଅନ୍ତି ନାହିଁ। ସରକାରଙ୍କଠାରୁ ଆରମ୍ଭ କରି ଏନଜିଓଗୁଡ଼ିକ ପର୍ଯ୍ୟନ୍ତ ଭୋଟ ଦେବାର ମହତ୍ୱ ବିଷୟରେ ସବୁବେଳେ ଜନସଚେତନତା ସୃଷ୍ଟି କରିଆସୁଥିଲେ ହେଁ ଅନେକ ଲୋକ ତାହାକୁ ଅଣଦେଖା କରନ୍ତି। ଯାହାଫଳରେ ଶତପ୍ରତିଶତ ଭୋଟଦାନ ହୋଇପାରେ ନାହିଁ। କିନ୍ତୁ ହିମାଚଳ ପ୍ରଦେଶରେ ଜଣେ ବୃଦ୍ଧା ରୋଗୀ ଡାକ୍ତରଖାନା ଶଯ୍ୟାରୁ ଉଠି ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିବା ଶନିବାର ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସମ୍ପୃକ୍ତ ବୃଦ୍ଧାଙ୍କଠାରେ ଅମ୍ଳଜାନ ନଳୀ ମଧ୍ୟ ଲାଗିଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଥିବା ସତ୍ୱେ ବୃଦ୍ଧା ଜଣକ ଭୋଟ ଦେବାକୁ ଆସିଥିବାରୁ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟ ବୃଦ୍ଧାଙ୍କ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରି ‘ୟୁ ଆର ଦ ୱାନ’ ବୋଲି ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଏହି ବୃଦ୍ଧାଙ୍କ ନାମ ହେଉଛି ବିମଳା ଶର୍ମା। ହିମାଚଳ ପ୍ରଦେଶ ହମୀରପୁର ଲୋକସଭା କ୍ଷେତ୍ର ଅଧୀନ ବିଳାସପୁର ଜିଲାର ଚୁଭାଡ଼ି ଅଞ୍ଚଳରେ ତାଙ୍କ ଘର। ଶନିବାର ତାଙ୍କ ପରିବାର ଲୋକଙ୍କ ସହାୟତାରେ ବିମଳା ମତଦାନ କେନ୍ଦ୍ରକୁ ଆସିଥିଲେ। ତାଙ୍କ ପରିବାରର ଜଣେ ସଦସ୍ୟ ଅମ୍ଳଜାନ ସିଲିଣ୍ଡର ଧରିଥିବାବେଳେ ଅନ୍ୟ ସଦସ୍ୟମାନେ ତାଙ୍କୁ ଧରି ଧରି ଆଣିଥିଲେ।



