ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ରାଜଧାନୀ ଦିଲ୍ଲୀ ଓ ଏନ୍ସିଆରରେ ତାପମାତ୍ରା ପ୍ରାୟ ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର (ମେ’ ୨୨) ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୩୫ ଗିଗାୱାଟ୍ ବିଦ୍ୟୁତ ଶକ୍ତି ବ୍ୟବହୃତ ହୋଇଥିବା ଜଣାପଡିଛି।
ଅସହ୍ୟ ଗରମରୁ ତ୍ରାହି ପାଇବାକୁ ଲୋକେ ଅଧିକ ମାତ୍ରାରେ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର) ଏବଂ ଏୟାର କୁଲର ବ୍ୟବହାର କରୁଥିବାରୁ ବିଦ୍ୟୁତ ଶକ୍ତି ଚାହିଦା ଏଭଳି ବୃଦ୍ଧି ପାଇଥିବା କୁହାଯାଇଛି। ଚଳିତ ସିଜିନରେ ଗୋଟିଏ ଦିନରେ ୨୩୫ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହାର ହେବା ସର୍ବାଧିକ ବୋଲି କୁହାଯାଇଛି। ମେ’ ୪ରେ ୨୨୯.୭୭ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୋଇଥିବାବେଳେ ମେ’ ୧୫,୧୬ ଓ ୧୭ରେ ପ୍ରତିଦିନ ୨୨୬ ଗିଗାୱାଟ୍, ମେ’ ୨୦ରେ ୨୨୮.୭୧ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୋଇଥିଲା।



