ମିଳିଲା ସାମାଜିକ ସ୍ୱୀକୃତି, ପ୍ରେମୀଯୁଗଳ ହେଲେ ଜୀବନସାଥୀ
![](https://samajalive.in/wp-content/uploads/2024/05/8-3.jpg)
ଲାଞ୍ଜିଗଡ: ନା ଥିଲା ବାଜାବାଣ, ନା ଥିଲା ରୋଷଣୀ। ନଥିଲା ବେଦୀ କିମ୍ବା ବିବାହ ମଣ୍ଡପ। ଦୂରଦୂର ପର୍ଯ୍ୟନ୍ତ କେଉଁଠି କୁଆଡେ ଦିଶୁନଥିଲେ ବରଯାତ୍ରୀ। ତଥାପି ସେଇଠି ବିବାହ ଚାଲିଥିଲା, ପଣ୍ଡିତଙ୍କ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ ସହିତ ମିଶୁଥିଲା ମନ ସହିତ ମନଟିଏ। ହୃଦୟ ସହିତ ଯୋଡ଼ି ହେଉଥିଲା ହୃଦୟତନ୍ତ୍ରୀ। ହୁଳହୁଳି, କରତାଳିର ହର୍ଷଧ୍ୱନି ଖେଳାଇ ଯାଉଥିଲା ଗଗନପବନ। ପରିବାର ରାଜି ହେଲେ ନାହିଁ ବୋଲି ଦୁଇ ପ୍ରେମୀଯୁଗଳ ମନ୍ଦିରକୁ ସାକ୍ଷୀ ରଖି, ଠାକୁରଙ୍କୁ ସାକ୍ଷୀ ରଖି ସଂପୂର୍ଣ୍ଣ ନିରାଡମ୍ବର ଭାବେ ବିବାହ ବନ୍ଧନରେ ବାନ୍ଧିହେବା ଦୃଶ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା। ଏହିଭଳି ନିଆରା ଢଙ୍ଗରେ ପ୍ରେମୀଯୁଗଳ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଞ୍ଚାୟତ ଟେକରତୋଳା ଗାଁରେ।
ଏହି ଗାଁର ଜଣେ ଯୁବକ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁର ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। କିନ୍ତୁ ବିବାହ ପ୍ରସ୍ତାବ ପଡିବାରୁ ଝିଅ ଘର ଲୋକେ ରାଜି ହୋଇନଥିଲେ। ଏହାପରେ ଦୁହେଁ ଫେରାର ହୋଇଯାଇ ନିକଟସ୍ଥ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ତେବେ ଝିଅ ଘର ଲୋକେ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ଉଭୟଙ୍କୁ ପୁଲିସ ଉଠାଇ ନେଇଥିଲା। ଥାନାରେ ଅଧିକ ପଚରାଉଚରା ସମୟରେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା, ଦୁହେଁ ନିଜ ଇଚ୍ଛାରେ ଘର ଛାଡ଼ିଥିବା ସ୍ୱୀକାର କରିଥିଲେ। ସେହିପରି ପରସ୍ପର ସହମତିରେ ଏକ ମନ୍ଦିରରେ ବିବାହ କରିଥିବା ପୁଲିସ ନିକଟରେ ପ୍ରକାଶ ଥିଲେ। ପୁଲିସ ଉଭୟ ପକ୍ଷରୁ ସବିଶେଷ ତଥ୍ୟ ଓ ସୂଚନା ସଂଗ୍ରହ ପରେ ଏବଂ ଦୁହେଁ ସାବାଳକ ହୋଇଥିବାରୁ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ବୁଝାମଣା କରି ଥାନାରୁ ଛାଡ଼ିଥିବା ଜଣାପଡିଛି। ଶେଷରେ ଦୁହିଁଙ୍କ ପ୍ରେମକୁ ମିଳିଛି ସାମାଜିକ ସ୍ୱୀକୃତି।
Comments are closed.