www.samajalive.in
Saturday, December 13, 2025
26.1 C
Bhubaneswar

ଦଳଡିଆଁ ନେତାଙ୍କୁ ଥଇଥାନ କରି ଶକ୍ତିଶାଳୀ ହେଉଛି ବିଜେଡି 

କେନ୍ଦୁଝରଗଡ଼: ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଳୀୟ ଟିକେଟ ଆଶାରେ ବହୁ ନେତା ନିଜ ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇ ଟିକେଟ ମଧ୍ୟ ହାତେଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ଦଳରୁ ଇସ୍ତଫା ଦେଇ ଶାସକ ବିଜେଡିରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସର ନେତାମାନଙ୍କୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ନୂତନ ପଦରେ ନିଯୁକ୍ତ ଘୋଷଣା କରିଛନ୍ତି। ଜିଲା ବିଜେପିର ବରିଷ୍ଠ ନେତା ତଥା ପାଟଣା ବିଧାୟକ ଜଗନ୍ନାଥଙ୍କ ବଡଭାଇ ସତ୍ୟବ୍ରତ ନାଏକ ୨୦୦୪ରେ ପାଟଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ୩୬୧୨୪ଖଣ୍ଡ ଭୋଟ ପାଇ ଦ୍ୱିତୀୟସ୍ଥାନରେ ଥିବାବେଳେ ୨୦୦୯ରେ ସ୍ୱାଧିନ ଭାବେ ପ୍ରତିଦ୍ୱନ୍ଦିତା କରି ୧୦୦୪୫ଖଣ୍ଡ ଭୋଟ ପାଇଥିଲେ। ଏହାପରେ ସତ୍ୟବ୍ରତ ୨୦୧୬ରେ ସେ ବିଜେପିରେ ଯୋଗଦେଇ ସାଙ୍ଗଠନିକ କାର୍ଯ୍ୟରେ ଜଡିତ ଥିବାବେଳେ ୨୦୧୯ରେ ସାନଭାଇ ଜଗନ୍ନାଥଙ୍କୁ ଶାସକ ବିଜେଡି ପ୍ରାର୍ଥୀ କରିବାରୁ ସତ୍ୟବ୍ରତ ବିଜେପି ଟିକେଟରୁ ବଞ୍ଚିତ ହୋଇଥିଲେ ହେଁ ସେହି ସମୟରେ ସେ ଭାଇ ପରିବର୍ତ୍ତେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଚର୍ଚ୍ଚାରେ ଥିଲେ। ତେବେ ୨୦୨୪ ନିର୍ବାଚନରେ ଦଳ ତାଙ୍କୁ ପୁଣିଥରେ ଉପେକ୍ଷା କରିବାରୁ ସେ ବାଧ୍ୟ ହୋଇ ନିକଟରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ କୈଳାଶ ଚନ୍ଦୟ ନାୟକଙ୍କ ଦଳ ପକ୍ଷରୁ ୨୦୧୪ରେ ତେଲକୋଇ ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ ନକରି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ମୁହଁ ମାଡି ଦଳରେ ପଡ଼ି ରହିଥିଲେ। ତେବେ ଚଳିତ ନିର୍ବାଚନରେ ଦଳ ପୁଣିଥରେ ତାଙ୍କୁ ଉପେକ୍ଷା କରିବାରୁ ଶେଷରେ ବାଧ୍ୟ ହୋଇ ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି। ସେହିଭଳି ୨୦୧୯ ନିର୍ବାଚନରେ ପାଟଣାର ବିଜେପି ପ୍ରାର୍ଥୀ ମାତ୍ର ସ୍ୱଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହେବାପରେ ଦଳୀୟ ଷଡଯନ୍ତ୍ର ଯୋଗୁଁ ପରାସ୍ତ ହେବା ଦର୍ଶାଇ ନିର୍ବାଚନ ପରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ପାଟଣା ଅଞ୍ଚଳର ଟାଣୁଆ କଂଗ୍ରେସ ନେତା ଗୌର ନାୟକ ଜିଲା କଂଗ୍ରେସ ଉପସଭାପତି ଥିବାବେଳେ ସେ ପୂର୍ବରୁ ପାଟଣା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିବା ସହ ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନ ମଧ୍ୟ ସେ ଡୁମୁରିଆ ସରପଞ୍ଚ ସହ ପାଟଣା ବ୍ଲକ ସରପଞ୍ଚ ସଂଘ ସଭାପତି ମଧ୍ୟ ଅଛନ୍ତି। ଚଳିତ ନିର୍ବାଚନରେ ଦଳ ତାଙ୍କୁ ମଧ୍ୟ ଉପେକ୍ଷା କରି ପାଟଣାର ପୂର୍ବତନ ବିଜେଡି ବିଧାୟକ ହୃଷିକେଶ ନାଏକଙ୍କୁ ପ୍ରାର୍ଥୀ କରିବାରୁ ସେ ମଧ୍ୟ ଅସନ୍ତୋଷ ପ୍ରକାଶ କରି ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଗତ ନିର୍ବାଚନର କଂଗ୍ରେସର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମ୍‌‌ଙ୍କୁ ଦଳ ପକ୍ଷରୁ ଚଳିତଥର ମଧ୍ୟ ଲୋକସଭା ପ୍ରାର୍ଥୀ ଘୋଷଣା ସହ ଦଳୀୟ ଟିକେଟ ପ୍ରଦାନ କରାଯାଇଥିବା ବେଳେ ମୋହନଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲାର ବରିଷ୍ଠ କଂଗ୍ରେସ ନେତା ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ ପରେ ଦଳ ମୋହନଙ୍କୁ ବାଦ୍‌‌ ଦେଇ ଯୁବନେତା ଇଂ ବିନୋଦ ବିହାରୀ ନାଏକଙ୍କୁ ଲୋକସଭା ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ମୋହନ କଂଗ୍ରେସ ଛାଡି ନିକଟରେ ବିଜେଡିରେ ଯୋଗ ଦେଇଥିଲେ। ଦଳ ଡିଆଁ ଏହି ସମସ୍ତ ନେତାଙ୍କୁ ବିଜେଡି ପକ୍ଷରୁ ମଙ୍ଗଳବାର ଦଳର ରାଜ୍ୟ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଥିବା ବେଳେ କେବଳ କୈଳାଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତିି ଦିଆଯାଇଛି। ଏହି ନିଯୁକ୍ତି ଫଳରେ ବିଶେଷକରି ଦଳ ସାଙ୍ଗଠନିକସ୍ତରରେ ପାଟଣା ଓ ତେଲକୋଇ ନିର୍ବାଚନମଣ୍ଡଳୀରେ ଅଧିକ ଶକ୍ତିଶାଳୀ ହେବାସହ ଏହି ସମସ୍ତ ଆଦିବାସୀଙ୍କ ନେତାଙ୍କ ବିଜେଡିରେ ଯୋଗଦାନ ଫଳରେ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜିଲା ବିଜେଡିର ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories