ସଦର ଓ ଝୁମ୍ପୁରା ବ୍ଲକ ଅଞ୍ଚଳରେ ବିଜେଡି ବିଧାୟିକା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କେନ୍ଦୁଝରଗଡ଼: କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ମୀନା ମାଝୀ ସଦର ଓ ଝୁମ୍ପୁରା ବ୍ଲକରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଦଳୀୟ ସମର୍ଥକ ଓ ସ୍ଥାନୀୟ ନେତାମାନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଶାସନ, ଗାଁକୁ କାମ ଓ ମାଆକୁ ସମ୍ମାନ ସମ୍ପର୍କରେ ଅବଗତ କରାଇବା ସହ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରଙ୍କୁ ଅବଗତ କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି। ଗତ ନିର୍ବାଚନରେ ଏଠାରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ସଦର ନିର୍ବାଚନମଣ୍ଡଳୀରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗଁ ବ୍ୟାପକ ଉନ୍ନତି କରାଯିବା ସହ ଆଗାମୀ ଦିନରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମାଝୀ ସୂଚନା ଦେବାସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ। କେନ୍ଦୁଝର ସଦର ମହକୁମାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଧରଣୀଧର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ, ବିଭିନ୍ନ ମଠ, ମନ୍ଦିର, ଶାଳ, ଉପାସନା ପୀଠକୁ ଉନ୍ନତି କରିବା ସହ ମୌଳିକ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଦର ନିର୍ବାଚନମଣ୍ଡଳୀରେ ବହୁବିଧ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୟସ୍କମାନଙ୍କ ପାଇଁ ଭତ୍ତା ପରିମାଣ ବୃଦ୍ଧି କରିବା, ଅଙ୍ଗନବାଡି ଶିଶୁଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟଦେବା, ପ୍ରତ୍ୟେକ ଦିନ ସରକାରୀ ବିଦ୍ୟାଳୟରେ ଅଣ୍ଡା ଦେବା ସହ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅନେକ ସୁବିଧା ଉପଲବ୍ଧ ହୋଇଛି ବୋଲି ବିଜେଡି ବିଧାୟକ ପ୍ରାର୍ଥିନୀ ମୀନା ମାଝୀ ବିଭିନ୍ନ ବୈଠକରେ ଆଲୋକପାତ କରିଛନ୍ତି। ମା ମାନଙ୍କୁ କମ ସୁଧରେ ଋଣ, ସ୍ୱଂୟ ସହାୟକ ଗୋଷ୍ଠୀକୁ ବିଭିନ୍ନ ସୁବିଧା ପ୍ରଦାନ ସମ୍ପର୍କରେ ମଧ୍ୟ ଭୋଟରଙ୍କ ସହ ସେ ଆଲୋଚନା କରିଛନ୍ତି। ବିଜେଡି ଜନଜାତି ସେଲ ଅଧ୍ୟକ୍ଷ ବାବୁରାମ ନାଏକ, ମହିଳା ସଭାନେତ୍ରୀ ପୁନମ ସିଂ, କାଉନସିଲର କେକି କାକଳୀ କୁମରା ପ୍ରମୁଖ ଶ୍ରୀମତୀ ମାଝୀଙ୍କ ସହ ପ୍ରଚାରରେ ସାମିଲ ହୋଇ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟରେ ଉପସ୍ଥିତ ରହିବା ସହ ଝୁମ୍ପୁରା ବ୍ଲକର ନାରଦପୁର, ନୟାଗଡ଼, ବସନ୍ତପୁର, ନହବେଡା, ଖେଣ୍ଡରା, କୁଟୁଗାଁ ଏବଂ ସଦର ବ୍ଲକର କଣ୍ଡରାପଶି, ରାଇକଳା, ପର୍ଜନପୁର, ପଳାଶପଙ୍ଗା, ବନମାଳୀପୁର, ବୋଦାପଳଶା ଆଦି ଅଞ୍ଚଳରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି।

Comments are closed.