ନିର୍ବାଚନ କର୍ମଚାରୀଙ୍କୁ ଅନ୍ତିମ ପର୍ଯ୍ୟାୟ ତାଲିମ

ଆଠଗଡ଼: ରାଜ୍ୟରେ ୩ୟ ପର୍ଯ୍ୟାୟରେ ଆଗାମୀ ମେ ୨୫ତାରିଖରେ ୮୭-ବଡମ୍ବା ଓ ୮୯-ଆଠଗଡ଼ ନିର୍ବାଚନ ମଣ୍ଡଳି ଦ୍ୱୟରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମଙ୍ଗଳବାର ଠାରୁ ଅନ୍ତିମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଠଗଡ଼ ସହରର ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲରେ ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳିରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ୭୨୬ଜଣଙ୍କୁ ପ୍ରଥମ ଦିନରେ ତାଲିମ ଦିଆଯାଇଛି। ଏହି କ୍ରମରେ ୫ଦିନ ମଧ୍ୟରେ ଆଠଗଡ଼ ନିର୍ବାଚନ ମଣ୍ଡଳିରେ ୨୫୪ବୁଥରେ ନିୟୋଜିତ ହେବାକୁ ଥିବା ୧୮୩୦ ଜଣ ଏବଂ ବଡମ୍ବା ନିର୍ବାଚନ ମଣ୍ଡଳିରେ ୨୯୨ବୁଥରେ ମୋଟ ୨୧୦୦ଜଣ କର୍ମଚାରୀଙ୍କୁ ଆସନ୍ତା ୧୮ତାରିଖ ମଧ୍ୟରେ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି ୫ଦିନ ମଧ୍ୟରେ ପୋଷ୍ଟାଲ ବ୍ୟାଲଟ ପାଇଁ ଆବେଦନ କରିଥିବା କର୍ମଚାରୀମାନେ ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳି ପାଇଁ ମତଦାନ କରିପାରିବେ ବୋଲି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ଆବେଦନ କରିଥିବା ୧୦୫ଜଣ କର୍ମଚାରୀ ନିଜ ନିଜ ନିର୍ବାଚନ ମଣ୍ଡଳି ପାଇଁ ମତଦାନ କରିଥିବା ଜଣାପଡ଼ିଛି। ସେକ୍ଟର ଅଧିକାରୀମାନେ କର୍ମଚାରୀଙ୍କୁ ତାଲିମ ଦେଇଥିବାବେଳେ ଆଠଗଡ଼ ଉପଖଣ୍ଡର ୪ଟି ଯାକ ବ୍ଲକ ଆଠଗଡ଼, ତିଗିରିଆ, ବଡମ୍ବା ଓ ନରସିଂହପୁରର ତହସିଲଦାର ଏବଂ ବିଡିଓମାନେ ପୋଷ୍ଟାଲ ବ୍ୟାଲଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏ ସମସ୍ତ କାର୍ଯ୍ୟ କାର୍ଯ୍ୟ ପରିଚାଳନାରେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, କାଜଲ କୁମାର ମଲ୍ଲିକ, ଶୁଭକଲ୍ୟାଣୀ ମହାପାତ୍ର, ଡେପ୍ୟୁଟି କଲେକ୍ଟର ମଧୁସ୍ମିତା ବିଶି, ସୌଦାମିନୀ ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.