www.samajalive.in
Sunday, December 7, 2025
18.1 C
Bhubaneswar

ସମ୍ବଲପୁର ନିର୍ବାଚନ – ମହିଳା ଭୋଟରଙ୍କୁ ଆକୃଷ୍ଟ ପାଇଁ ଜୋରଦାର ଉଦ୍ୟମ

ସମ୍ବଲପୁର: ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କର ସ୍ୱତନ୍ତ୍ର ସ୍ଥାନ ସହିତ ପ୍ରମୁଖ ଭୂମିକା ରହିଛି। ପରିବାର ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏଣୁ ଚଳିତ ନିର୍ବାଚନରେ ସାରା ଦେଶ ସହିତ ଓଡ଼ିଶା ରାଜ୍ୟରେ ମଧ୍ୟ ମହିଳା ମାନଙ୍କର ଭୂମିକାକୁ ଗୁରୁତ୍ୱ ଦିଆଯାଉଛି। ଇତି ମଧ୍ୟରେ ରାଜ୍ୟର ହଟ ସିଟ ସହିତ ଜାତୀୟ ରାଜନୀତିରେ ଏକ ପ୍ରମୁଖ ଆସନ ରୂପେ ପରିଗଣିତ ସମ୍ବଲପୁର ସିଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଶାସକ ଦଳ ପକ୍ଷରୁ ଏବେ ମହିଳା ଭୋଟର ମାନଙ୍କୁ ଆକୃଷ୍ଟ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ସମ୍ବଲପୁର ଲୋକସଭା ସଂସଦୀୟ ଆସନରେ ୧୪ ଲକ୍ଷ ୭୮ ହଜାର ୩୬୭ ଭୋଟର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୩୬ ହଜାର ୬୨୪। ଯାହାକି ମୋଟ ଭୋଟରଙ୍କ ମଧ୍ୟରେ ୫୦ ପ୍ରତିଶତ ଅଟେ। ବିକାଶ ଏହି ଆସନ କ୍ଷେତ୍ରରେ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିଥିବା, ସୁରକ୍ଷା ଏବଂ ସ୍ଥାନୀୟ ପ୍ରସଙ୍ଗକୁ ସଂସଦରେ ଠିକ ଭାବରେ ଉପସ୍ଥାପନା କରିବାକୁ ମହିଳା ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।

ବିଜେପି ପକ୍ଷରୁ ୨୦୧୪ ମସିହାରେ କେନ୍ଦ୍ରରେ ଶାସନ କରିବା ପରେ ଅନେକ ମହିଳା ସଶକ୍ତିକରଣ କାର୍ଯ୍ୟ ହାତକୁ ନିଆଯାଇ କାର୍ଯ୍ୟାନ୍ୱୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ୱଳା ଗ୍ୟାସ ଯୋଜନା ଜରିଆରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପ୍ରତି ପରିବାରକୁ ମାଗଣାରେ ଏଲପିଜି ସଂଯୋଗ ଦ୍ୱାରା ଦେଶରେ ୧୦ କୋଟିରୁ ଉର୍ଦ୍ଧ ପରିବାର ଉପକୃତ ହୋଇଛନ୍ତି। ସ୍ୱଚ୍ଛ ଇନ୍ଧନ ଯୋଗୁଁ ଏବେ ଚୁଲିର ବିଷାକ୍ତ ଧୁଆଁରୁ ମହିଳା ମାନେ ମୁକ୍ତ ହୋଇଛନ୍ତି ଏବଂ ଏଥିରେ ମହିଳା ମାନେ ବେଶ ଉପକୃତ ହୋଇଛନ୍ତି। ଏଥି ସହ ମହିଳା ମାନଙ୍କୁ ସ୍ୱାବଲମ୍ବୀ ପାଇଁ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ବନ୍ଧକରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇ ଏ ପର୍ଯ୍ୟନ୍ତ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଋଣ ପ୍ରଦାନ କରାଯାଇଛି। ଜାତୀୟ ଗ୍ରାମୀଣ ରୋଜଗାର ମିଶନରେ ସମ୍ବଲପୁର ଓ ଦେବଗଡ଼ ଜିଲାକୁ ସାମିଲ କରାଯାଇ ୧୯ ହଜାର ୯୮୭ ଏସଏଚଜି ଗ୍ରୁପଙ୍କୁ ୬୧୯ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ମଧ୍ୟ ଦୃଷ୍ଟିରେ ରଖି ମୋଦୀ ସରକାର ସ୍ୱଚ୍ଛ ଭାରତ ମିଶନ ଜରିଆରେ ରାଜ୍ୟରେ ୭୮ ଲକ୍ଷରୁ ଉର୍ଦ୍ଧ ଶୌଚାଳୟ ନିର୍ମାଣ କରାଯାଇଛି। ୨୦୨୩ର ସ୍ୱଚ୍ଛ ସର୍ବେକ୍ଷଣ ଅନୁଯାୟୀ, ଦେଶର ଚତୁର୍ଥ ସ୍ୱଚ୍ଛ ରାଜ୍ୟ ରୁପେ ଓଡ଼ିଶା ସ୍ଥାନିତ ହୋଇଛି। ଏଭଳି ମହିଳା ସଶକ୍ତି କରଣ ଯୋଜନା ଗୁଡିକ ବିଷୟରେ ବିଜେପି ପକ୍ଷରୁ ମହିଳା ମାନଙ୍କୁ ପ୍ରଚାର ସମୟରେ ସଚେତନ କରି ଆକୃଷ୍ଟ କରିବାର ପ୍ରୟାସ ଜାରି ରହିଛି।

- Advertisement -

ସେହିଭଳି ବିଜେଡି ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଆଦି ଉପରେ ଫୋକସ କରି ମହିଳା ଭୋଟର ମାନଙ୍କ ଆକୃଷ୍ଟ କରୁଥିବାର ପରିଲକ୍ଷିତ ହେଉଛି। ନିର୍ବାଚନ ରଣାଙ୍ଗନରେ ମହିଳା ଭୋଟରଙ୍କ ଗୁରୁତ୍ୱ ସର୍ବଦା ରହି ଆସିଥିବାରୁ ବିଗତ ୧୦ ବର୍ଷରେ କେନ୍ଦ୍ର ସରକାର ମହିଳାଙ୍କୁ ସମ୍ମାନ ଦେବା, ସୁରକ୍ଷା ପ୍ରଦାନ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଅନେକ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟାନ୍ୱିତ କରାଯିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ରହିଥିବାର ବିଜେପି ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ବିଜେଡି ତରଫରୁ ମଧ୍ୟ ମହିଳା ଙ୍କ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ କାର୍ଯ୍ୟାନ୍ୱୟନ କରିଥିବାର ଦାବି କରାଯାଇଛି। ତେବେ ସମ୍ବଲପୁର ଲୋକସଭା ଆସନର ନିର୍ବାଚନ ଆସନ୍ତା ମେ ୨୫ ତାରିଖରେ ହେବାକୁ ଯାଉଥିବା ବେଳେ ଅନେକ ସମୟ ବାକି ରହିଛି। ସେ ସମୟରେ ମହିଳା ଭୋଟର କେଉଁ ପଟକୁ ଢ଼ଳିବେ, ତାହା ଜୁନ ୪ରେ ଘୋଷିତ ହେବାକୁ ଥିବା ଫଳାଫଳ ପରେ ଜଣାପଡ଼ିବ। କିନ୍ତୁ ମହିଳା ଭୋଟରଙ୍କ ଶକ୍ତିକୁ ଆକଳନ କରି ଏବେ ଉଭୟ ଦଳ ସେମାନଙ୍କୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories