www.samajalive.in
Friday, December 5, 2025
17.1 C
Bhubaneswar

ରହିମଙ୍କୁ ନୂଆ ଜୀବନ ଦେଲା ହିନ୍ଦୁ-ମୁସଲିମ ଭାଇଚାରା

ନୂଆଦିଲ୍ଲୀ: ଦେଶରେ ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସା ଏବଂ ବିଭାଜନ ଦେଖାଦେଉଥିବାବେଳେ କେରଳରେ ହିନ୍ଦୁ ଏବଂ ମୁସଲିମ ଭାଇଚାରା ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି। ଯାହା ଫଳରେ ବ୍ୟକ୍ତି ଜଣକ କେବଳ ବଞ୍ଚିବାର ନୂଆ ଆଶା ପାଇନାହାନ୍ତି, ବରଂ ଦୀର୍ଘ ୧୮ ବର୍ଷ ପରେ ନିଜ ଘରକୁ ଫେରୁଛନ୍ତି। ଏହି ଘଟଣା ଏବେ କେରଳ ତଥା ସାରା ଦେଶରେ ଚର୍ଚାର ବିଷୟ ପାଲଟିଛି।

ମଚିଲାକାଥ ଅବ୍‌ଦୁଲ ରହିମ। ଘର କେରଳର କୋଝିକୋଡ୍‌ରେ। ପେସାରେ ସେ ଜଣେ ରିକ୍ସା ଚାଳକ। ୨୦୦୬ ନଭେମ୍ବରରେ ଅଧିକ ରୋଜଗାର ଆଶାରେ ସେ ସାଉଦି ଆରବ ଚାଲିଯାଇଥିଲେ। ସେଠାକାର ନିବାସୀ ଅବଦୁଲ୍ଲା ଅଲ୍‌ ସାହରୀ ନାମକ ବ୍ୟକ୍ତିଙ୍କ ପାଖରେ ଡ୍ରାଇଭର ଭାବେ କାମ ଆରମ୍ଭ କଲେ। ତା’ ସହିତ ଅଲ୍‌ ସାହରୀ ତାଙ୍କ ଦିବ୍ୟାଙ୍ଗ ପୁତ୍ର ଅନସ୍‌ଙ୍କ ଯତ୍ନ ନେବା ଦାୟିତ୍ବ ମଧ୍ୟ ରହିମଙ୍କୁ ଦେଇଥିଲେ। କୌଣସି ରୋଗରେ ପୀଡ଼ିତ ଥିବା ଅନସଙ୍କ ଗଳାରେ ଡାକ୍ତର ଗୋଟିଏ ପାଇପ୍‌ ଲଗାଇଥିଲେ। ଦିନେ ରହିମ ଗାଡ଼ିରେ ଅନସଙ୍କୁ ନେଇ ଯାଉଥିବାବେଳେ କୌଣସି କାରଣରୁ ସେ ଚିଡିଚିଡା ହୋଇଯାଇଥିଲେ। ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରିବା ବେଳେ ରହିମଙ୍କ ହାତ ଲାଗି ଅନସଙ୍କ ଗଳାରେ ଲାଗିଥିବା ପାଇପ ଖସି ଯାଇଥିଲା। ଏହା ପରେ ସେ ଅଚେତ ହୋଇଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାବଶତଃ ଘଟିଥିବା ଏହି ଘଟଣାରେ ସାଉଦିର ଏକ କୋର୍ଟ ରହିମଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡଦେଶ ଶୁଣାଇଥିଲେ। ତେବେ ତଳ କୋର୍ଟର ଏହି ରାୟକୁ ଉପର କୋର୍ଟ ସ୍ଥଗିତ ରଖିଥିଲେ।

- Advertisement -

ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ସ୍ବେଚ୍ଛାସେବୀ ଏକତ୍ର ହୋଇ ରହିମଙ୍କୁ ଉଦ୍ଧାର କରିବା ପାଇଁ ୨୦୨୧ରେ ଅବଦୁଲ ରହିମ ଲିଗାଲ ଆସିଷ୍ଟାନ୍ସ କମିଟି ଗଠନ କରିଥିଲେ। ଏହାର ଦାୟିତ୍ବ ନେଇଥିଲେ ଜଣେ ହିନ୍ଦୁ କେ. ସୁରେଶ। ୨୦୨୩ ଡିସେମ୍ବରରେ କମିଟିକୁ ବଡ଼ ସଫଳତା ମିଳିଥିଲା। କମିଟି ସଦସ୍ୟମାନେ ଅଲ୍‌ ସାହରୀଙ୍କ ସହିତ ଆଲୋଚନା କରିବା ପରେ ମାମଲାର ଆପୋସ ସମାଧାନ ପାଇଁ ସେ ରାଜି ହୋଇଥିଲେ। କିନ୍ତୁ ଏହା ବଦଳରେ ସେ ଦିୟା(ବ୍ଲଡ୍‌ ମନି) ବାବଦରେ ୧୫ ନିୟୁତ ସାଉଦି ରିୟାଲ୍‌ସ (ପ୍ରାୟ ୩୩ କୋଟି ୩୫ ଲକ୍ଷ ଟଙ୍କା) ଦାବି କରିଥିଲେ। ତେବେ ରହିମଙ୍କ ପରିବାର ଏତେ ଅର୍ଥ ଦେବାକୁ ଅସମର୍ଥ ଥିଲେ। ରହିମଙ୍କୁ ଉଦ୍ଧାର କରିବାକୁ ଦାୟିତ୍ବ ନେଇଥିବା କମିଟି କିନ୍ତୁ ହାର୍‌ ମାନି ନ ଥିଲା। କମିଟି କ୍ରାଉଡ୍‌ ଫଣ୍ଡିଂ ଜରିଆରେ ଟଙ୍କା ସଂଗ୍ରହ ଆରମ୍ଭ କରିଦେଇଥିଲା। ଗତ ମାର୍ଚ ୧୧ ରମଜାନ ଦିନରୁ କମିଟି ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ଏବଂ ଏକ ସ୍ବତନ୍ତ୍ର ଆପ୍‌ ଜରିଆରେ ଟଙ୍କା ସଂଗ୍ରହ ଆରମ୍ଭ କରିଥିଲା ବୋଲି ଏହାର ଅଧ୍ୟକ୍ଷ କେ. ସୁରେଶ କହିଛନ୍ତି। ସେ କହିଛନ୍ତି, ହିନ୍ଦୁ-ମୁସଲମାନ ସମସ୍ତେ ମିଶି ପାଣ୍ଠି ସଂଗ୍ରହ ଦାୟିତ୍ବ ଆଗକୁ ନେଇଥିଲେ। ରମଜାନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏପ୍ରିଲ ୧୨ ପଣା ସଂକ୍ରାନ୍ତି ସୁଦ୍ଧା ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୩୪ କୋଟି ଟଙ୍କା ସଂଗ୍ରହ ହୋଇସାରିଥିଲା। ଦେଶ ବିଦେଶର ଲୋକ ରହିମଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହା ପରେ ରହିମଙ୍କ ଓକିଲ ସାଉଦି କୋର୍ଟଙ୍କୁ ଦିୟା ବିଷୟରେ ଅବଗତ କରାଇଥିଲେ। ଖୁବ୍‌ଶୀଘ୍ର ରହିମ ଭାରତ ଫେରିବେ ବୋଲି ଲିଗାଲ ଆସିଷ୍ଟାନ୍ସ କମିଟି ପକ୍ଷରୁ କୁହାଯାଇଛି। ରହିମଙ୍କ ମା’ ମଧ୍ୟ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories