ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଛି। ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୁମ୍ବଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ଗୁଳି ଚଳାଇଥିବା ବ୍ୟକ୍ତିକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି।
ତେବେ କାହିଁକି ଏହି ଗୁଳି ଚାଳନା କରାଯାଇଛି ପୁଲିସ ତାହାର ତଦନ୍ତ କରୁଛି। ମୁମ୍ବଇ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇଛି। ପୁଲିସ କହିଛି ଯେ, ଯଦିଓ ଲରେନ୍ସ ବିଷ୍ଣୋଇ ଜେଲରେ ଅଛି, କିନ୍ତୁ ତା’ର ଗ୍ୟାଙ୍ଗ ବାହାରେ ଅଛନ୍ତି ଏବଂ ଗୋଲ୍ଡି ବରାଡ଼ ମଧ୍ୟ ବାହାରେ ଅଛି। ଏହି ଗ୍ୟାଙ୍ଗ ଅଭିନେତାଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ଆହୁରି କଡ଼ାକଡ଼ି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨-୩ ରାଉଣ୍ଡ ଗୁଳି ଫୁଟିଛି। ମୁମ୍ବଇ କ୍ରାଇମବ୍ରାଞ୍ଚ ଓ ଏଟିଏସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏଠାରେ ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅନେକ ଥର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଛି।



