ମଥୁରା ଦୋଳ ଯାତ୍ରା ଆରମ୍ଭ
ଭବାନୀପାଟଣା: କଳାହାଣ୍ଡିର ପ୍ରଖ୍ୟାତ ମଥୁରା ଦୋଳଯାତ୍ରା ଗତ ୨୦ ତାରିଖ ରୁ ଆରମ୍ଭ ହେଇଛି। ଆସନ୍ତା ୨୪ ତାରିଖ ଯାଏଁ ହେବାକୁଥିବା ଏହି ଉତ୍ସବ ଅବସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶହ ଶହ ବର୍ଷ ପୁରୁଣା ଏହି ଦୋଳ ଯାତ୍ରା ଦେଖିବାକୁ ଦୂର ଦୁରନ୍ତରେ ଥିବା ଗାଁ ଲୋକେ ତଥା କୁଣିଆ ମୈତ୍ର ଗାଁକୁ ଫେରନ୍ତି।
ପରମ୍ପରା ମୁତାବକ ପ୍ରତିଦିନ ସକାଳୁ ଅପରାହ୍ନ ଯାଏଁ ଗାଁର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ବିଶେଷକରି ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୁଏ। ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ରାଧାକୃଷ୍ଣଙ୍କୁ ମନ୍ଦିରରୁ ମେଳଣ ପଡିଆକୁ ଅଣାଯାଏ। ସେଠାରେ ଗ୍ରାମବାସୀ ଏକତ୍ରିତ ହେଇ ରାଧାକୃଷ୍ଣଙ୍କୁ ଦୋଳି ରେ ଝୁଲାନ୍ତି। ଏହାପରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଏ। ରାତି ପ୍ରାୟ ୯ ଟା ବେଳେ ନାଟକ ପରିବେଷଣ ହୁଏ।
ପରେ ପରେ ଖୋଲା ପର୍ଭାରେ ଦେବା ଦେବୀ ମାନେ ଗାଁ ଦାଣ୍ଡରେ ନୃତ୍ୟ କରନ୍ତି। ଏହାପରେ ବିଭିନ୍ନ ଦିନ ଭିନ୍ନ ଭିନ୍ନ ଡ୍ରାମା ପ୍ରଦର୍ଶିତ ହୁଏ। ଉତ୍ସବ ଅବସରରେ ଗାଁର ଗୋଟାଏ ମୁଣ୍ଡ ରେ ଡ୍ରାମା ତ ଆଉ ଗୋଟେ ମୁଣ୍ଡରେ ଦେଶିଆ ନାଟକ ଏକା ସାଙ୍ଗରେ ପ୍ରଦର୍ଶିତ ହୁଏ। ସନ୍ଧ୍ୟାରୁ ଉଭୟ ଡ୍ରାମା ଏବଂ ନାଟକ ହେଉଥିବା ସ୍ଥାନରେ ଦର୍ଶକ ମାନେ ଆଖା ବସ୍ତା, ଦରି ଆଦି ପକାଇ ନିଜ ନିଜ ସ୍ଥାନ ସଂରକ୍ଷିତ ରଖନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ବିଭିନ୍ନ ଅଞ୍ଚଳର ଖ୍ୟାତି ସମ୍ପନ୍ନ ନାଟ୍ୟ ଦଳକୁ ନାଟକ ପରିବେଷଣ ପାଇଁ ଡକାଯାଏ। ଅଥଚ ଡ୍ରାମା ରେ ଅଭିନେତା ଏବଂ ଅଭିନେତ୍ରୀ ଭାବେ ଗାଁ ର ବିଭିନ୍ନ ବୟସର ଲୋକେ ହିଁ ଅଭିନୟ କରନ୍ତି।
ଏପରିକି କଳାକାରଙ୍କ ସାଜସଜ୍ଜା, ମୁହଁ ରେ ରଙ୍ଗ ବୋଳା ଠୁଁ ଆରମ୍ଭ କରି ବାଦ୍ୟ ଯନ୍ତ୍ର ଯାଏଁ ସବୁଥିରେ ମଥୁରା ଗାଁ ଲୋକେ ହିଁ ଦାୟୀତ୍ବ ତୁଳାନ୍ତି। ଅର୍ଥାତ୍ ଏସବୁ କାର୍ଯ୍ୟପାଇଁ ବାହାରୁ କାହାକୁ ଡକା ଯାଏ ନାହିଁ। ଡ୍ରାମା ର ବେଶ ପୋଷାକ, ମଂଚ ସଜ୍ଜା ସବୁକିଛି ରାଧାକୃଷ୍ଣ କ୍ଳବ୍ ର ସଦସ୍ୟ ମାନେ ଦାୟୀତ୍ବ ତୁଲାନ୍ତି। ଏଥିସହିତ ବିଭିନ୍ନ ଦେବାଦେବୀ ଙ୍କ ମୂର୍ତ୍ତି, ସଚେତନ ବାର୍ତ୍ତା ସମ୍ବଳିତ ମୂର୍ତ୍ତି ଆଦି ମଥୁରା ଗାଁ ର ଶିଳ୍ପୀ ମାନେ ପ୍ରସ୍ତୁତ କରନ୍ତି। ସନ୍ଧ୍ୟାରୁ ସକାଳ ଯାଏଁ ନିଜ ମନ ମୁତାବକ ଡ୍ରାମା ଏବଂ ନାଟକ ଦେଖି ଦର୍ଶକ ମାନେ ନିଜ ମନୋରଞ୍ଜନ କରନ୍ତି। ଏହି ଦୋଳ ଉତ୍ସବ ଅବସରରେ ଆଖପାଖ ଅଞ୍ଚଳରୁ ତଥା ଦୂର ଦୁରନ୍ତରୁ ବହୁ ଲୋକଙ୍କ ସମାଗମ ହୁଏ।
ବିବାହ କରିଥିବା ଗାଁର ଝିଅ ବୋହୂ ମାନେ ଦୋଳ ଉତ୍ସବ ପାଇଁ ଗାଁ କୁ ଆସନ୍ତି। ଉତ୍ସବ ଆଳରେ ବନ୍ଧୁ ମିଳନ ହୁଏ। ଅନ୍ୟପକ୍ଷରେ ଏହି ଉତ୍ସବ, ପିଢ଼ି ପରେ ପିଢ଼ି ଅଭିନେତା ସୃଷ୍ଟି କରିବାରେ ସହାୟକ ହେଇଥାଏ। ରାଧାକୃଷ୍ଣ କ୍ଳବ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୦ ତାରିଖ ପ୍ରଥମ ଦିନରେ ସାମାଜିକ ନାଟକ “ମୋ ଶବ ମୋ କାନ୍ଧରେ ” ଦ୍ଵିତୀୟ ଦିନରେ ପୌରାଣିକ ନାଟକ “ରାମ ବନବାସ”, ଶୁକ୍ରବାର ତୃତୀୟ ଦିନରେ ସାମାଜିକ ନାଟକ ” ଅନ୍ଧ ନଈ ର ସୁଅ” ରାଧାକୃଷ୍ଣ ମଞ୍ଚରେ ମଞ୍ଚସ୍ଥ ହେଇଥିଲା। ଆସନ୍ତା ୨୪ ତାରିଖ ଯାଏଁ ଦୋଳ ଉତ୍ସବ ପାଳନ ସହ ୨୫ ତାରିଖ ଦିନ ବିଭିନ୍ନ ପ୍ରକାର ନୃତ୍ୟ ପ୍ରତିଯୋଗିତା ର ଆୟୋଜନ କରାଯାଉଥିବା ରାଧାକୃଷ୍ଣ କ୍ଲବ କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ।
Comments are closed.