www.samajalive.in
Monday, December 8, 2025
16.1 C
Bhubaneswar

ଜାଗରଯାତ୍ରା: ଆରଡ଼ି ଗୋସାଇଁ ଆଖଣ୍ଡଳମଣି

ଆରଡ଼ି: ଭଦ୍ରକ ଆରଡ଼ି ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ମହିମା କାହାକୁ ଅବା ଅଗୋଚର। ଏପରିକି ବାବାଙ୍କ କୁଣ୍ଡଜଳ ପାନ କଲେ ସର୍ବବ୍ୟାଧି ଦୂରିଭୁତ ହୋଇଥାଏ ବୋଲି ବିଶ୍ବାସ ରହିଛି। ସର୍ପ ଦଂଶନ କରିଥିବା ବ୍ୟକ୍ତିଙ୍କୁ ଏହି କୁଣ୍ଡଜଳ ପାନ କରିବା ପାଇଁ ଦେଲେ ଆରୋଗ୍ୟ ଲାଭ ହୋଥାଏ ବୋଲି ମଧ୍ୟ ପୀଠରେ ନଜିର ରହିଛି। ଏଥିପାଇଁ ରାଜ୍ୟର କୋଣଅନୁକୋଣ ଓ ରାଜ୍ୟ ବାହାରୁ ପ୍ରତିଦିନ ଧାଇଁ ଆସନ୍ତି ହଜାର-ହଜାର ଭକ୍ତ। ପୀଠରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରୁ ଜାଗରଯାତ୍ରା(ମହାଶିବରାତ୍ରି) ଅନ୍ୟତମ। ଏହିଦିନ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିବା ସହିତ ମଣିବାବାଙ୍କ ମହାଦୀପକୁ ଦର୍ଶନ କରି ଉପବାସ ଭାଙ୍ଗିଥାନ୍ତି। ପୂଣ୍ୟତୋୟା ବୈତରଣୀ ଓ ସାଳନ୍ଦୀ ନଦୀକୂଳରେ ଅବସ୍ଥିତ ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏହି ମନ୍ଦିରକୁ କନିକା ରାଜବାଟିର ରାଜା ହରିହର ଭଞ୍ଜ ଦେଓ ନିର୍ମାଣ କରିବା ସହ ବାବାଙ୍କ ସେବାପୂଜା ପାଇଁ ନିୟୋଜିତ କରିଥିଲେ ସେବାକାରୀମାନଙ୍କୁ। ପୂର୍ବରୁ ପୀଠକୁ ଗମନଗମନା ନିମନ୍ତେ ସୁବିଧା ନଥିବାରୁ ଅଗଣିତ ଭକ୍ତମାନେ ବୈତରଣୀ ଓ ସାଳନ୍ଦୀ ନଦୀର ଡଙ୍ଗା ଦ୍ୱାରା ପାରିହୋଇ ଆସୁଥିଲେ। କାଳକ୍ରମେ ମନ୍ଦିର ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧିନକୁ ଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ପୀଠରେ ବହୁ ଉନ୍ନତି ଘଟିଛି। ଦୈନନ୍ଦିନ ମଣିବାବାଙ୍କ ଦର୍ଶନ ଓ ମାନସିକ ପୂଜା ପାଇଁ ହଜାର-ହଜାର ଭକ୍ତଙ୍କ ଭିଡ଼ ଲାଗୁଛି ଆରଡ଼ି ପୀଠରେ। ଏଥିସହ ପୀଠରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣୀ ଓ ମହାଶିବରାତ୍ରିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମଣିବାବାଙ୍କ ମସ୍ତକରେ ଲାଗି ହେଉଥିବା ପ୍ରସିଦ୍ଧ ଘର୍ଷଣ ଭୋଗର ସ୍ୱତନ୍ତ୍ରତା ରହିଛି। ସେହିପରି ମଣିବାବାଙ୍କ ବେଢ଼ାର ଉତ୍ତର ପାର୍ଶ୍ବରେ ଥିବା ଅମୃତକୁଣ୍ଡର କୁଣ୍ଡଜଳ ପାନ କଲେ ରୋଗ ଓ ବ୍ୟାଧି ଦୂରିଭୁତ ହେଉଥିବାରୁ ସର୍ପ ଦଂଶନ କରିଥିବା ବ୍ୟକ୍ତିଙ୍କ ସହ ବିଭିନ୍ନ ରୋଗରେ ପୀଡ଼ିତ ଭକ୍ତ ଧାଇଁ ଆସନ୍ତି ମଣିବାବାଙ୍କ ପୀଠକୁ। ବର୍ଷବର୍ଷ ଧରି ମଣିବାବାଙ୍କ ନିକଟରେ ଅଧିଆ ପଡ଼ିବା ସହ ଓଳିଏ ଅନ୍ନ ଭୋଗ ସେବନ କରିବା ସହ ଦିନତମାମ କୁଣ୍ଡଜଳ ପାନ କରିଥାନ୍ତି। ବିଶେଷକରି ମଣିବାବଙ୍କ ମହାଶିବରାତ୍ରି(ଜାଗରଯାତ୍ରା) ଦିନ ଉଜାଗର ରହି ଜାଗରଦୀପ ଜାଳିଲେ ବହୁ ପୁଣ୍ୟ ମିଳିଥାଏ ବୋଲି ଭକ୍ତମାନଙ୍କ ମନରେ ବିଶ୍ୱାସ ରହିଥିବାରୁ ଏହିଦିନ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ସ୍ୱତନ୍ତ୍ର ମହାଦୀପ

- Advertisement -

ପ୍ରସିଦ୍ଧ ମହାଶିବରାତ୍ରିଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ସ୍ୱତନ୍ତ୍ରତା ରହିଛି। ଏହି ମହାଦୀପ ପ୍ରସ୍ତୁତି ପର୍ବ ପବିତ୍ର ଶ୍ରୀପଞ୍ଚମୀ ଠାରୁ ଆରମ୍ଭ ହୋଇ ମହାଶିବରାତ୍ରି ଦିନ ସମ୍ପନ୍ନ ହେବା ସହ ଭୋର ସାଢେ ଚାରିଟାରେ ମନ୍ଦିର ଚୂଡାକୁ ଉଠିଥାଏ। ଏହି ମହାଦୀପ ପ୍ରସ୍ତୁତିରେ ୨ଟି ସେବାକାରୀ ପରିବାର ନିୟୋଜିତ ହୋଇଥାନ୍ତି। ଶ୍ରୀ ପଞ୍ଚମୀ ଠାରୁ ମହାଶିବରାତ୍ରି ଏକବାର ନୀତି ପର୍ଯ୍ୟନ୍ତ କୁମ୍ଭକାର ସେବାକାରୀଙ୍କ ପକ୍ଷରୁ ମାଟି ଉଠାଣ ସହ ମହାଦୀପ ନିମନ୍ତେ ମାଟି ପଲମ ନିର୍ମାଣ କାର୍ଯ୍ୟ ସରିବା ପରେ ଏକବାର ନୀତି ଦିନ ମହାଦୀପ ସେବାୟତଙ୍କୁ ଅର୍ପଣ କରାଯାଇଥାଏ। ମହାଦୀପ ସେବାୟତ ରୀତିନୀତି ଅନୁଯାୟୀ ମହାଦୀପ ପଲମକୁ ସୋଧନ କରିବା ସହ ବ୍ୟବହୃତ ଚନ୍ଦକାଠ, ଅରୁଆ ଚାଉଳ, ଗୁଆ, କର୍ପୁର, ନୂଆ ଗାମୁଛା ଆଦି ଯୋଗାଡ କରିଥାନ୍ତି। ମହାଶିବରାତ୍ରି ଦିନ ଏହି ମହାଦୀପ ରାତ୍ର ୧ଟାରେ ପ୍ରସ୍ତୁତ ହେବା ପରେ ରାତ୍ର ୪ଟାରେ ମଣିବାବାଙ୍କ ପାଖରେ ଗୁପ୍ତ ଶୋଡଷ ଉପଚାରରେ ପୂଜାର୍ଚ୍ଚନା କରଯାଇ ମାର୍ଜନା ଓ ଅଗ୍ନିସଂଯୋଗ କରାଯିବା ପରେ ସାଢେ ଚାରିଟାରେ ମହାଦୀପକୁ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥାଏ। ପୀଠରେ ଉଠୁଥିବା ମହାଦୀପ ରାଜ୍ୟ ଓ ରାଜ୍ୟ ବାହରେ ଥିବା ଶିବାଳୟ ପୀଠ ଠାରୁ ସ୍ୱତନ୍ତ୍ର ଓ ନିଆରା।

ସୁନାବେଶରେ ଝଲସନ୍ତି ମଣିବାବା

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଦିନ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ନୀତିକାନ୍ତି। ଏପରିକି ଚାରି ପ୍ରହର ନୀତିକାନ୍ତି ସହ କିଲୋକିଲୋ ସ୍ୱଣ୍ଣଅଳଙ୍କାର ମଣ୍ଡିତ କରାଯାଇ ସୁନାବେଶରେ ସଜ୍ଜିତ କରାଯାଇଥାଏ ମଣିବାବାଙ୍କୁ। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ରାତିତମାମ ଭିଡ ଲାଗିଥାଏ ଭକ୍ତମାନଙ୍କର।

ସ୍ୱତନ୍ତ୍ର ଘର୍ଷଣ ଭୋଗ

ବାବାମଣିଙ୍କ ପାଖରେ ପ୍ରତିଦିନ ଘର୍ଷଣଭୋଗ ଲାଗି କରଯାଇଥାଏ। ଜାଗରଯାତ୍ରାରେ ଲାଗି ହେଉଥିବା ଘର୍ଷଣଭୋଗର ସ୍ୱତନ୍ତ୍ରତା ରହିଛି। ଏହିଦିନ ମଣିବାବାଙ୍କ ପାଖରେ ଘିଅ, ମହୁ, କ୍ଷୀର, ଦହି, ଛେନା, ନବାତ ସହ ୪ପ୍ରହର ଘର୍ଷଣ ଭୋଗ ସଂଧ୍ୟା ୬ଟାରୁ ରାତ୍ର ୧୧ଟା ଯାଏଁ ଅଭିଷେକ ନୀତିରେ ଲାଗି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories