ଦୁର୍ବୃତ୍ତ ଛାତ୍ରଙ୍କ ବେକ କାଟିବା ଘଟଣା ମିଥ୍ୟା ପ୍ରମାଣିତ, ନିଜେ କାଟି ଆଣିଥିଲେ ମିଛ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ବେକ କାଟିବା ଘଟଣା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । କୁଲାଇଲୋ ପଞ୍ଚାୟତ ଅଧିନ ଉଦୟପୁର ଗ୍ରାମର ମହେନ୍ଦ୍ର ଦାସଙ୍କ ପୁଅ ତଥା ଅନନ୍ତ ଦଳାଇ ସ୍ମୃତି ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ସୂର୍ଯ୍ୟ ସୋମବାର ଅପରାହ୍ନରେ କୁଲାଇଲୋରୁ ଟିଉସନ ସାରି ସାଇକେଲରେ ଫେରୁଥିବାବେଳେ ଏକ କଳା ବାଇକରେ ଦୁଇଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ପଛପଟୁ ଆସି ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲେ ବୋଲି ସେ ନିଜ ଘରେ ଅଭିଯୋଗ କରିଥିଲା। ତେବେ ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲା । ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବରକୁ ନେଇ ପୁଲିସ ଘଟଣାର ଅନୁସନ୍ଧାନ କରିବା ସମୟରେ ଘଟଣାଟି ସମ୍ପୁର୍ଣ୍ଣ ମିଥ୍ୟା ବୋଲି ଜଣାପଡିଥିଲା ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି କହିଛନ୍ତି ।

ବାସ୍ତବ ଘଟଣା ହେଲା ଛାତ୍ର ସୂର୍ଯ୍ୟ କୌଣସି ଘଟଣାକୁ ନେଇ ମାନସିକ ବିଷାଦଗ୍ରସ୍ତ ହୋଇ ନିଜେ ଏକ ବ୍ଲେଡ ସାହାଯ୍ଯରେ ନିଜ ବେକ କାଟି ଆହତ ହେବା ପରେ ଏପରି ଏକ ମିଥ୍ୟା ଓ କପୋଳକଳ୍ପିତ କାହାଣୀ ସୃଷ୍ଟି କରିଥିଲା । ଅନୁସନ୍ଧାନ ପରେ ପୁଲିସ ଏହା ଜାଣିବାକୁ ପାଇଥିଲା ।  ପୁଅର ଏପରି କାଣ୍ଡ ଓ ମିଥ୍ୟା କାହାଣୀକୁ ନେଇ ତାଙ୍କ ବଡବାପା ରାମଚନ୍ଦ୍ର ଦାସ ପୁଲିସ ନିକଟରେ ଲିଖିତ ଭାବେ ଦୁଃଖ ପ୍ରକାଶ କରିଥିବା ଆଇଆଇସି ମୁଦୁଲି ସୂଚନା ଦେଇଛନ୍ତି ।

 

Comments are closed.