ଯନ୍ତ୍ରଣା ଦେଉଛି କାରଖାନାର ଭାରୀଯାନ, ଅଣନିଶ୍ୱାସୀ ହୋଇପଡିଲେଣି ଅଞ୍ଚଳବାସୀ
ଗୁରୁଡିଝାଟିଆ : ଭାରୀଯାନ ବୋଝେଇ ଗାଡି ଚଳାଚଳ ଆଣିଦେଇଛି ଅକଥନୀୟ ଯନ୍ତ୍ରଣା । ଧୁଳି ଧୁଷରିତ ହୋଇପଡିଛି ଓରନ୍ଦା-ଗୁରୁଡିଝାଟିଆ ରାସ୍ତା ଓ କୋଠାବାଡି ବିଭାଗ ରାସ୍ତାଟି । ଧୂଳିରେ ଅଣନିଶ୍ୱାସୀ ହୋଇପଡିଲେଣି ଅଞ୍ଚଳବାସୀ । ରାସ୍ତାଟି ଖାଲଖମାରେ ପରିଣତ ହୋଇ ବିପଦ ସଂକୁଳ ହୋଇପଡିଛି । ପ୍ରକାଶଯୋଗ୍ୟ ନବେଢା ଅଞ୍ଚଳ ପାଇଁ ପ୍ରବେଶ ଦ୍ୱାର ହେଉଛି ଓରନ୍ଦାରୁ ପିଠାଖିଆ ହୋଇ ଗୁରୁଡିଝାଟିଆ ରାସ୍ତାଟି । ଦୈନିକ ଶତାଧିକ ବିଦ୍ୟାର୍ଥୀ,ସରକାରୀ କର୍ମଚାରୀ ଓ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଭାରୀଯାନ ଚଳାଚଳ ପାଇଁ ରାସ୍ତାଟି ଅନୁପଯୁକ୍ତ ହୋଇଥିଲେ ମଧ୍ୟ ନିକଟରେ ଗଢିଉଠିଥିବା ଅଲଟ୍ରାଟେକ ସିମେଣ୍ଟ କାରଖାନାକୁ ଯାଉଥିବା ଭାରୀଯାନ ବୋଝେଇ ଯାନଗୁଡିକ ପାଇଁ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି । ଧୁଳି,ଧୂଆଁରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇଗଲେଣି । ବିଭାଗୀୟ କର୍ତ୍ତୃପକ୍ଷ ବା କାରଖାନା ପକ୍ଷରୁ ଏହି ରାସ୍ତାର ସଂପ୍ରସାରଣ ବା ମରାମତି ମଧ୍ୟ କରାଯାଉନାହିଁ । ଏପରିକି ନିୟମିତ ପାଣି ସିଞ୍ଚନ କରାଯାଉନାହିଁ । ଆଗାମୀ ଦିନରେ ଏହାର ସୁବ୍ୟବସ୍ଥା କରାନଗଲେ ବଡ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ । ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଓ ଆଠଗଡ ଉପଖଣ୍ଡ ପ୍ରଶାସନ ଦୃଷ୍ଟିଦେବା ନିମନ୍ତେ ଦାବି ହୋଇଛି ।
Comments are closed.