ପୁରୁଣା ଦିନର ସମାଜ – ୨୮ ଜାନୁଆରୀ ୧୯୩୪
ଜାନୁଆରୀ ୨୮, ୧୯୩୪
ହିମାଳୟ ହୁଙ୍କାର
ଦିଲ୍ଲୀ, ୨୭।୧।୩୪:ଭୂମିକମ୍ପ ପରେ ନେପାଳ ରାଜଧାନୀ କାଠମାଣ୍ଡୁରୁ କିଛି ଖବର ମିଳୁନଥିଲା। ସମଗ୍ର ନେପାଳ ଉପତ୍ୟକାରେ ଧ୍ବଂସ ଲୀଳା ଖୁବ୍ ଭୟଙ୍କର ହୋଇଥିବ, ଏକଥା ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ବର୍ତ୍ତମାନ ଧ୍ବଂସର ସଠିକ୍ ଖବର ଅନ୍ୟମାନଙ୍କୁ ଟପିଗଲା। କାଲି ଭାରତ ସରକାରର ଏକ ଇସ୍ତାହାର ବାହାରିଛି। ସେଥିରେ ଲେଖାଅଛି ଯେ ୧୫ତାରିଖଠାରୁ ୨୧ ତାରିଖ ସୁଦ୍ଧା ୬ଦିନ ଭିତରେ ନେପାଳ ରାଜଧାନୀ କେବଳ କାଠମାଣ୍ଡୁ ସହରରୁ ୨ହଜାର ୯ଶହ ଲୋକଙ୍କର ମଲାଦେହ ଖୋଳା ହୋଇ ବାହାରିଲାଣି। ଏ ଖବର ନେପାଳରେ ଥିବା ଭାରତ ସରକାରଙ୍କ ସରକାରୀ ଦୂତଙ୍କଠାରୁ ଆସି ପହଞ୍ଚିଛି।
ସାବାସ୍ ବରୋଦା ରାଜା
ହିନ୍ଦୀ ରାଷ୍ଟ୍ର ଭାଷା ହେଲା
ବରୋଦା,୨୬।୧।୩୪: ବରୋଦା ଦେଶୀୟ ରାଜ୍ୟର ୧୯୩୪-୩୫ ସାଲର ଆୟ ବ୍ୟୟ ବଜେଟ୍ ମହାରାଜାଙ୍କ ପାଖେ ପେଶ୍ ହୋଇଥିଲା। ସେଥିରୁୁ ଦେଖାଯାଏ ୨ କୋଟି ୪୯ଲକ୍ଷ ଟଙ୍କା ଆୟ ହେବ ଓ ୨କୋଟି ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ ରାଜ୍ୟର ଜମି ଖଜଣା ୧କୋଟି ୧୭ ଲକ୍ଷ ଟଙ୍କା। ବରୋଦା ରାଜ୍ୟର ଲୋକଙ୍କ ଶିକ୍ଷାରେ ଏ ବର୍ଷ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ରାଜା ମଞ୍ଜୁର କରିଛନ୍ତି।ମହାରାଜା ବର୍ତ୍ତମାନ ରାଜ୍ୟରେ ଘୋଷଣା କଲେ ଯେ ତାଙ୍କ ରାଜ୍ୟରେ ସମସ୍ତ କାଗଜପତ୍ର ଏଣିକି ହିନ୍ଦିରେ ହେବ। ହିନ୍ଦି ଏଥର କଚେରୀ ଭାଷା ରୂପେ ବ୍ୟବୃହତ ହେବ। ତାଙ୍କ ରାଜ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ହିନ୍ଦିରେ ପରୀକ୍ଷା ଦେଇ ପାଶ୍ କରିବାକୁ ହେବ।
ଲଢ଼ିବା ନାହିଁ..ଲଢ଼ିବା ନାହିଁ ଜର୍ମାନୀ, ପୋଲାଣ୍ଡ ଭାଇଭାଇ
ବର୍ଲିନ୍, ୨୬।୧।୩୪: ବେଲଗ ଚୁକ୍ତିକୁ ମୂଳ କରି ଜର୍ମାନୀ ଓ ପୋଲାଣ୍ଡ ପୁଣି ଏକ ନୂଆ ସନ୍ଧି ଏବେ କଲେଣି। ଏ ଚୁକ୍ତି ଫଳରେ ଜର୍ମାନୀ ଓ ପୋଲାଣ୍ଡ ପରସ୍ପର ଭିତରେ ୧୦ ବର୍ଷ ପାଇଁ କେହି କାହାରି ବିରୁଦ୍ଧରେ ଅସ୍ତ୍ର ଧରିବେନାହିଁ ବୋଲି ସର୍ତ୍ତ କରିଛନ୍ତି।
Comments are closed.