ଏଲ୍-ନିନୋ ଓ ଭାରତ ଉପରେ ଏହାର ପ୍ରଭାବ
ଡ.କମଳାକାନ୍ତ ଜେନା
ବିଶାଳ କମଳାଲେମ୍ବୁ ଭଳି ଆକାର ଧାରଣ କରିଥିବା ଆମ ପୃଥିବୀପୃଷ୍ଠକୁ ଦଶ ଭାଗରେ ବିଭକ୍ତ କଲେ ପାଖାପାଖି ସାତ ଭାଗରେ ଜଳ ଓ ତିନି ଭାଗରେ ସ୍ଥଳ ରହିଛି। ଜଳଭାଗକୁ ୫ଟି ମହାସାଗରରେ ବିଭକ୍ତ କରାଯାଇଛି, ଯାହା ଭିତରୁ ପ୍ରଶାନ୍ତ ମହାସାଗର ଅନ୍ୟତମ। ସବୁଠାରୁ ଅଧିକ ଅଞ୍ଚଳ ପ୍ରଶାନ୍ତ ମହାସାଗର ଦ୍ୱାରା ଆଚ୍ଛାଦିତ। ସମୁଦାୟ ଜଳରାଶିର ପାଖାପାଖି ଅଧା ଅଞ୍ଚଳ ଉପରେ ଏହା ରହିଛି। ପୃଥିବୀପୃଷ୍ଠର ଉତ୍ତର ମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଏହା ଲମ୍ବି ଯାଇଛି। ସେହିପରି ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାଠାରୁ ଆରମ୍ଭ କରି ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଏହା ବିଛେଇ ରହିଛି। ବିରାଟ ପୃଥିବୀର ପୃଷ୍ଠତଳ ଆମକୁ ଥାଳି ପରି ଚଟକା ଲାଗେ; କିନ୍ତୁ ଅସଲରେ ବଙ୍କା। ପୃଥିବୀର ବକ୍ର ପୃଷ୍ଠତଳ ଉପରେ ବିଶାଳ ଅଞ୍ଚଳରେ ପ୍ରଶାନ୍ତ ମହାସାଗର ବିସ୍ତୃତ ହୋଇ ରହିଛି। ତେଣୁ ମହାସାଗରର ସବୁ ଅଞ୍ଚଳରେ ସମାନ ଭାବରେ ସୂର୍ଯ୍ୟକିରଣ ପଡିପାରେ ନାହିଁ। କୋଉଠି ଲମ୍ବ ଭାବରେ କିରଣ ପଡ଼େ ତ ଆଉ କୋଉଠି ତେରଛା ଭାବରେ ପଡ଼େ। ବିଷୁବ ଅଞ୍ଚଳରେ ଲମ୍ବ ଭାବରେ ଖରା ପଡ଼େ, କିନ୍ତୁ ମେରୁ ଅଞ୍ଚଳରେ ତେରଛା ଭାବରେ ଖରା ପଡ଼େ। ବିଷୁବ ଅଞ୍ଚଳରେ ଖରା ଟାଣ ପଡୁଥିବାରୁ ସେଠାରେ ଥିବା ଜଳରାଶି ଅଧିକ ଗରମ ହୁଏ। ସେହି ଅଞ୍ଚଳର ବାୟୁ ଗରମ ହୁଏ। ଗରମ ବାୟୁ ଶୀତଳ ଅଞ୍ଚଳ ଆଡ଼କୁ ପ୍ରବାହିତ। ତେଣୁ ବିଷୁବ ଅଞ୍ଚଳରୁ ମେରୁ ଅଞ୍ଚଳ ଆଡକୁ ପବନ ବହେ।
ପ୍ରଶାନ୍ତ ମହାସାଗରର ବିଷୁବ ଅଞ୍ଚଳ ଉପରେ ପୂର୍ବରୁ ପଶ୍ଚିମ ଆଡ଼କୁ ପ୍ରବାହିତ ବାୟୁର ନାମ ‘ବାଣିଜ୍ୟ ବାୟୁ’ (ଟ୍ରେଡ୍ ଉଇଣ୍ଡ୍)।
ଏହି ବାଣିଜ୍ୟବାୟୁ ପ୍ରଶାନ୍ତ ମହାସାଗର ଜଳକୁ ଛୁଇଁଛୁଇଁ ଗତିକରିବା ସମୟରେ ବିଷୁବ ଅଞ୍ଚଳର ଗରମ ଜଳକୁ ଠେଲି ଠେଲି ପୂର୍ବରୁ ପଶ୍ଚିମ ଆଡ଼କୁ ନେଇଯାଏ। ସେହି ଜଳ ଅଷ୍ଟ୍ରେଲିଆର ଉତ୍ତରପୂର୍ବ ଓ ଇଣ୍ଡୋନେସିଆର ପୂର୍ବ ସୀମାରେ ଜମା ହୁଏ। ତେଣୁ ସାମୟିକ ଭାବରେ ସେଠାରେ ଉତ୍ତପ୍ତ ଜଳରାଶି ଜମା ହୋଇ ଗଭୀର ପୋଖରୀ ସୃଷ୍ଟି ହୁଏ। ଏ କଥା ସତ, ଟାଣ ଖରା ହେତୁ ବିଷୁବ ଅଞ୍ଚଳରେ ଜଳର ଉପରି ଭାଗ ଗରମ ହୁଏ; କିନ୍ତୁ ଜଳପୃଷ୍ଠରୁ ଆହୁରି ତଳକୁ ତଳକୁ ଗଲେ ସମୁଦ୍ରଶଯ୍ୟା ନିକଟରେ ଜଳ ଗରମ ନଥାଏ; ବରଂ ଶୀତଳ ଥାଏ। ତେଣୁ ‘ବାଣିଜ୍ୟ ବାୟୁ’ର ପ୍ରବାହ ହେତୁ ପୂର୍ବାଞ୍ଚଳର ଉପର ଗରମ ଜଳ ପଶ୍ଚିମାଞ୍ଚଳକୁ ଠେଲିହୋଇ ଚାଲିଯିବା ପରେ ତା’ ତଳେ ରହିଥିବା ଶୀତଳ ଜଳ ଉପରକୁ ଉଠିଆସେ। ସେହି ଶୀତଳ ଜଳ ସଂସ୍ପର୍ଶରେ ଆସି ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳ ଥଣ୍ଡା ରହେ। ଏହିପରି ସାଧାରଣ ପରିବେଶରେ ପୂର୍ବାଞ୍ଚଳ ଥଣ୍ଡା ରହେ ଓ ପଶ୍ଚିମାଞ୍ଚଳ ଗରମ ରହେ। ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ତାପମାତ୍ରାରେ ପ୍ରାୟ ୧୮ ଡିଗ୍ରୀ ଫାରେନ୍ହାଇଟ୍ ପ୍ରଭେଦ ଦେଖାଯାଏ। ଏମିତି ପ୍ରଭେଦ ରଖିବାରେ ବାଣିଜ୍ୟ ବାୟୁ ସହିତ ଗ୍ରୀଷ୍ମକାଳୀନ ମୌସୁମୀବାୟୁର ମଧ୍ୟ କିଛି ଅବଦାନ ରହିଛି। ଯେତେବେଳେ ବାଣିଜ୍ୟବାୟୁ ଦୁର୍ବଳ ହୋଇପଡେ, ସେତେବେଳେ ଏସିଆର ଗ୍ରୀଷ୍ମକାଳୀନ ମୌସୁମୀବାୟୁ ଏହି ପ୍ରଭେଦ ବଜାୟ ରଖେ। ତେଣୁ ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳ ସେମିତି ଥଣ୍ଡା ରହେ ଓ ପଶ୍ଚିମାଞ୍ଚଳ ଗରମ ରହେ। ପଶ୍ଚିମାଞ୍ଚଳ ଗରମ ରହିଲେ, ବାୟୁରେ ଜଳୀୟବାଷ୍ପ ଅଧିକ ରହେ। ସେହି ଅଞ୍ଚଳ ପାଖାପାଖି ଆମ ଭାରତ ରହୁଥିବାରୁ ଆମ ଦେଶରେ ଠିକ୍ ମେଘ ହୁଏ। ଚାଷବାସ ବି ଭଲ ହୁଏ।
ଇଏ ଗଲା ସ୍ୱାଭାବିକ ପରିସ୍ଥିତି କଥା, ଯାହାକି ପ୍ରଶାନ୍ତ ମହାସାଗରର ପୂର୍ବ ଅଞ୍ଚଳର ଜଳରାଶିକୁ ଶୀତଳ ରଖେ ଏବଂ ପଶ୍ଚିମ ଅଞ୍ଚଳର ଜଳରାଶିକୁ ଉତ୍ତପ୍ତ ରଖେ; କିନ୍ତୁ ପୂର୍ବାଞ୍ଚଳ ଜଳରାଶିର ତାପମାତ୍ରା ବଢ଼ି ଗଲେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୁଏ, ଯାହା ପାଇଁ ଅନେକ ଅସୁବିଧା ଦେଖାଦିଏ। ପୂର୍ବାଞ୍ଚଳ ଜଳରାଶିର ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟିଲେ ‘ଏଲ୍-ନିନୋ’ ଦେଖାଯାଏ। ‘ଏଲ୍-ନିନୋ’ ଅବସ୍ଥା ସୃଷ୍ଟି ହେବା ପଛରେ ଅନେକ କାରଣ ରହିଛି। ତେବେ ଦୁର୍ବଳ ‘ବାଣିଜ୍ୟ ବାୟୁ’ ଏଥିପାଇଁ ମୁଖ୍ୟତଃ ଦାୟୀ। ବାଣିଜ୍ୟ ବାୟୁର ଶକ୍ତି କମିଗଲେ ଏସିଆ ଆଡ଼କୁ ଠେଲିହୋଇ ଚାଲିଯାଇଥିବା ଗରମ ଜଳ ପୁଣି ପଛକୁ ଫେରିବା ଆରମ୍ଭ କରେ। ସେହି ଗରମ ଜଳ ପୂର୍ବାଞ୍ଚଳ ଜଳରାଶିରେ ଯାଇ ମିଶିବା ଫଳରେ ସେଠାରେ ଥିବା ଶୀତଳ ଜଳର ତାପମାତ୍ରା ବଢିଯାଏ। ଶୀତଳ ଜଳରାଶିର ତାପମାତ୍ରା ହଠାତ୍ ୩ରୁ ୫ ଡିଗ୍ରୀ ଫାରେନ୍ହାଇଟ ବଢିଯାଏ। ଏପରି କି ପୂର୍ବାଞ୍ଚଳରେ କେତେକ ସ୍ଥାନରେ ଜଳରାଶିର ତାପମାତ୍ରା ୭୦ ରୁ ୮୦ ଡିଗ୍ରୀ ଫାରେନ୍ହାଇଟକୁ ଛୁଇଁଯାଏ। ‘ବାଣିଜ୍ୟ ବାୟୁ’ର ଓଲଟା ଦିଗରେ ଗତି ମଧ୍ୟ ଏଥିରେ ସହାୟତା କରେ। ‘ଏଲ୍-ନିନୋ’ ହେଉଛି ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଜଳରାଶିର ତାପମାତ୍ରାରେ ଏକ ଅସ୍ୱାଭାବିକ ପରିସ୍ଥିତି। ଆମେରିକାର ‘ଜାତୀୟ ସାଗର ଓ ବାୟୁମଣ୍ଡଳ ପରିଚାଳନା ସଂସ୍ଥା’ (‘ନୋଆ’- ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମସ୍ଫେରିକ୍ ଆଡ୍ମିନିଷ୍ଟ୍ରେସନ୍) ଦେଇଥିବା ସଂଜ୍ଞା ଅନୁଯାୟୀ ‘ଏଲ୍-ନିନୋ’ର ସଂଜ୍ଞା ହେଉଛି : “ତିନି ମାସରୁ ଅଧିକ ସମୟ ଧରି ପ୍ରଶାନ୍ତ ମହାସାଗରର ପୂର୍ବ-କେନ୍ଦ୍ରାଞ୍ଚଳ ଜଳରାଶିର ହାରାହାରି ତାପମାତ୍ରାରେ ୦.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଲେ, ସେହି ଅସ୍ୱାଭାବିକ ପରିସ୍ଥିତିକୁ ‘ଏଲ୍-ନିନୋ’ କୁହାଯିବ।” ଅଧ ଡିଗ୍ରୀ ସେଲସିୟସ୍ ତାପମାତ୍ରା କମ୍ ମନେ ହେଉଛି; କିନ୍ତୁ ହାରାହାରି ତାପମାତ୍ରାରେ ୦.୫ ଡିଗ୍ରୀ ସେଲସିୟସ୍ ବହୁତ ବଡ଼ କଥା। ଜାଗତିକ ଉଷ୍ଣତା ବୃଦ୍ଧି ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳ ଜଳରାଶିର ତାପମାତ୍ରାକୁ ପ୍ରଭାବିତ କରୁଛି ବୋଲି ୨୦୧୪ ମସିହାର ଏକ ଗବେଷଣା ନିବନ୍ଧରେ କୁହାଯାଇଛି। ଜାଗତିକ ଉଷ୍ଣତାବୃଦ୍ଧି ହେତୁ ‘ଏଲ୍-ନିନୋ’ର ବାରମ୍ବାରତା ପାଖାପାଖି ଦୁଇ ଗୁଣ ବଢିଯାଇଛି।
ସ୍ପେନୀୟ ଭାଷାରେ ‘ଏଲ୍-ନିନୋ’ର ଅର୍ଥ ‘କୁନି ପୁଅ’। ଏହା ‘ଶିଶୁ-ଯିଶୁ’ଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। କାହିଁକି ନା, ‘ଏଲ୍-ନିନୋ’ ଡିସେମ୍ବର-ଜାନୁଆରୀ ମାସରେ ସାଧାରଣତଃ ଆରମ୍ଭ ହୁଏ। ସେହି ସମୟରେ ଖ୍ରୀଷ୍ଟମାସ ପଡୁଥିବାରୁ ‘ଏଲ୍-ନିନୋ’ ପରିସ୍ଥିତିର ଏଭଳି ନାମକରଣ କରାଯାଇଛି। ଆଜିକୁ ପ୍ରାୟ ୪୦୦ ବର୍ଷ ତଳେ ଦକ୍ଷିଣ ଆମେରିକାର ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଏହି ଅସ୍ୱାଭାବିକ ପରିସ୍ଥିତିକୁ ପ୍ରଥମେ ଅନୁଭବ କରିଥିଲେ। ଏହାକୁ ସେମାନେ କହୁଥିଲେ – ‘ଏଲ୍-ନିନୋ ଡି ନଭିଦାଦ୍’। ପ୍ରତିବର୍ଷ ‘ଏଲ୍-ନିନୋ’ ଦେଖାଯାଏ ନାହିଁ। ହାରାହାରି ୩ ରୁ ୫ ବର୍ଷ ଅନ୍ତରରେ ଏହା ଦେଖାଦିଏ। ୧୯୦୦ ମସିହାରୁ ଏ ଯାଏ ଅତି କମ୍ରେ ୩୦ ଥର ‘ଏଲ୍-ନିନୋ’ ଅନୁଭୂତ ହୋଇଛି। ତା’ ଭିତରୁ ୧୯୮୨-୮୩, ୧୯୯୭-୯୮ ଓ ୨୦୧୪-୧୬ ମସିହାରେ ହୋଇଥିବା ‘ଏଲ୍-ନିନୋ’ ଅଧିକ ପ୍ରଭାବଶାଳୀ ଥିଲା। ୨୦୦୦ ମସିହାରୁ ୨୦୨୨ ମସିହା ଭିତରେ ୨୦୦୨-୦୩, ୨୦୦୪-୦୫, ୨୦୦୬-୦୭, ୨୦୦୯-୧୦, ୨୦୧୪-୧୬ ଓ ୨୦୧୮-୧୯ ରେ ‘ଏଲ୍-ନିନୋ’ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତି ଥରେ ସୃଷ୍ଠି ହେଲେ ୭ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଜଳବାୟୁକୁ ପ୍ରଭାବିତ କରିଥାଏ।
ଯଦି ‘ବାଣିଜ୍ୟ ବାୟୁ’ ଆହୁରି ସବଳ ଓ ସକ୍ରିୟ ହୋଇଯାଏ, ତେବେ ତାହା ଅଧିକରୁ ଅଧିକ ଗରମ ଜଳକୁ ପଶ୍ଚିମ ଆଡ଼କୁ ଟାଣିନିଏ। ପୂର୍ବାଞ୍ଚଳରେ ସମୁଦ୍ରଶଯ୍ୟା ନିକଟରେ ରହିଥିବା ଅଧିକ ଶୀତଳ ଜଳ ସମୁଦ୍ର ପୃଷ୍ଠକୁ ଉଠିଆସେ। ସେହି ଶୀତଳ ଜଳ ସଂସ୍ପର୍ଶରେ ଆସି ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳ ଅଧିକରୁ ଅଧିକ ଥଣ୍ଡା ରହେ। ଏହି ପରିସ୍ଥିତିକୁ ‘ଲା-ନିନା’ ବୋଲି କୁହାଯାଏ, ଯାହାର ଅର୍ଥ ‘କୁନି ଝିଅ’। ଗରମ ବାୟୁରେ ଅଧିକ ପରିମାଣରେ ଜଳୀୟବାଷ୍ପ ରହିପାରେ ଓ ଶୀତଳ ବାୟୁରେ କମ୍। ଯେତେବେଳେ ସମୁଦ୍ର ଜଳର ତାପମାତ୍ରା ନ ବଢ଼ି ଅତ୍ୟଧିକ କମିଯାଏ, ସେତେବେଳେ ବାୟୁରେ ଜଳୀୟବାଷ୍ପର ପରିମାଣ ହ୍ରାସପାଏ। ଶୁଖିଲା ବାୟୁ ତୁଳନାରେ ଜଳୀୟବାଷ୍ପ ହାଲୁକା। ବାୟୁରେ ଜଳୀୟବାଷ୍ପର ପରିମାଣ କମିଗଲେ ସମୁଦ୍ର ଉପରେ ଶୁଖିଲା ବାୟୁ ରହେ। ତେଣୁ ସମୁଦ୍ର ଉପରେ ବାୟୁମଣ୍ଡଳର ଚାପ ବଢ଼ିଯାଏ। ତେଣୁ ‘ଲା-ନିନା’ ହେଉଛି ‘ଏଲ୍-ନିନୋ’ର ବିପରୀତ ଅବସ୍ଥା। ଏହା ଗୁରୁଚାପ କ୍ଷେତ୍ର ସୃଷ୍ଟି କରେ। ଶୀତ ଦିନେ ଦକ୍ଷିଣ-ପୂର୍ବ ଅଞ୍ଚଳରେ ସାଧାରଣ ତାପମାତ୍ରା ତୁଳନାରେ ତାପମାତ୍ରା ଅଧିକ ରହେ ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳରେ ସାଧାରଣ ତାପମାତ୍ରା ତୁଳନାରେ କମ୍ ରହେ। ସଂକ୍ଷେପରେ କହିଲେ, ‘ଏଲ୍-ନିନୋ’ ଓ ‘ଲା-ନିନା’ ହେଉଛି ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅସ୍ୱାଭାବିକ ପାଣିପାଗ ଅବସ୍ଥା, ଯାହାକି ସାରା ବିଶ୍ୱର ପାଣିପାଗ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଉଭୟ ‘ଏଲ୍-ନିନୋ’ ଓ ‘ଲା-ନିନା’ ସମୁଦ୍ରର ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି। ତା’ ସହିତ ସ୍ଥଳଭାଗର ଜଳବାୟୁକୁ ପ୍ରଭାବିତ କରନ୍ତି। ଏଭଳି ପରିସ୍ଥିତି କେବେ ସୃଷ୍ଟି ହେବ, ସେ କଥା ଠିକ୍ ଭାବରେ କହି ହେବ ନାହିଁ; କିନ୍ତୁ ୨ ରୁ ୭ ବର୍ଷ ଅନ୍ତରରେ ଆସିବାର ଦେଖିବାକୁ ମିଳୁଛି। ‘ଲା-ନିନା’ ତୁଳନାରେ ‘ଏଲ୍-ନିନୋ’ ଅଧିକ ଥର ଅନୁଭୂତ ହୁଏ।
‘ଏଲ୍-ନିନୋ’ କେବଳ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ନୁହେଁ, ବରଂ ପୃଥିବୀର ପ୍ରାୟ ସବୁ ଅଞ୍ଚଳର ଜଳବାୟୁକୁ ପ୍ରଭାବିତ କରେ। ବର୍ଷାଧିକ ସମୟ ଧରି ଜଳବାୟୁରେ ଅନିୟମିତତା ସୃଷ୍ଟି ହୁଏ। ପାଣିପାଗରେ ଅସ୍ୱାଭାବିକ ଅବସ୍ଥା ଦେଖାଯାଏ। ବାୟୁପ୍ରବାହ, ସମୁଦ୍ର ଜୁଆର, ଜଳସ୍ରୋତ ଓ ତାପମାତ୍ରା ମଧ୍ୟରେ ତାଳମେଳ ରହେ ନାହିଁ। ଅଷ୍ଟ୍ରେଲିଆ, ଏସିଆ, ଇଣ୍ଡୋନେସିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାରେ ‘ଏଲ୍-ନିନୋ’ର କୁପ୍ରଭାବ ଅନୁଭୂତ ହୁଏ। କେବଳ ସେଠାରେ ନୁହେଁ; ଆମ ଦେଶର ପାଗ ଓ ଜଳବାୟୁକୁ ପ୍ରଭାବିତ କରେ। ଆଗରୁ ‘ଏଲ୍-ନିନୋ’ ସକାଶେ ଭାରତରେ ଅନେକ ଥର ବହୁତ କମ୍ ବର୍ଷା ହୋଇଛି। ଚାଷ ହୋଇପାରିନାହିଁ। ମରୁଡ଼ି ଓ ଖାଦ୍ୟାଭାବ ଦେଖାଦେଇଛି। ଏ ବର୍ଷ ଓ ଆସନ୍ତା ବର୍ଷ ମଧ୍ୟ ଭାରତରେ ‘ଏଲ୍-ନିନୋ’ ସକାଶେ କେତେକ ଅସୁବିଧା ଆସିପାରେ ବୋଲି ଆକଳନ କରାଯାଇଛି। ୨୦୧୮ ମସିହାରୁ ଏଯାଏ ହୋଇଥିବା ବର୍ଷାକୁ ତୁଳନା କଲେ, ୨୦୨୩ ମସିହାରେ ସବୁଠାରୁ କମ୍ ବର୍ଷା ହୋଇଛି। ଆମ ପାଣିପାଗ ସଂସ୍ଥା ଗତ ଅଗଷ୍ଟ ମାସକୁ ସବୁଠାରୁ ଶୁଖିଲା ମାସ ବୋଲି ଘୋଷଣା କରିଛି। ଏଥର ବର୍ଷା କମିଯିବାରୁ ପ୍ରାୟ ଅଧା ଜମି ପ୍ରଭାବିତ ହୋଇଛି। ଜୁନ୍ ଓ ଅଗଷ୍ଟ ମାସରେ ବର୍ଷା କମିଗଲା; କିନ୍ତୁ ଜୁଲାଇ ଓ ସେପ୍ଟେମ୍ବର ମାସରେ ଟିକିଏ ଅଧିକ ହେଲା। ବୃଷ୍ଟିପାତରେ ଅନିୟମିତତା ଚାଷକୁ ପ୍ରଭାବିତ କରିଛି। ଯଦି ଗତ ଚାରିଟା ‘ଏଲ୍-ନିନୋ’ ବର୍ଷକୁ ଦେଖିବା, ତେବେ ଭାରତରେ ବର୍ଷା କମ୍ ହେବା ଫଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ଦରଦାମ୍ ବଢ଼ିବାରେ ‘ଏଲ୍-ନିନୋ’ ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।
Comments are closed.