ଶତାବ୍ଦୀ ସାଧକଙ୍କୁ ଶତ ପ୍ରଣାମ
ପଦ୍ମଭୂଷଣ ରାଧାନାଥ ରଥଙ୍କ ମାର୍ଗଦର୍ଶନ ଏକାନ୍ତ ପାଥେୟ ହେଉ
ଶତାବ୍ଦୀକାଳ ନିଜ ଦେଶ, ଜାତି, ଭାଷା, ରାଜ୍ୟର ଗରିବ, ନିରାଶ୍ରୟ ଜନତାଙ୍କ ପାଇଁ ଅନ୍ୟାୟ, ଅନୀତି, ଦୁର୍ନୀତି ବିେରାଧରେ ବଜ୍ର କଣ୍ଠରେ କଲମ ମୁନରେ ସ୍ବର ଉତ୍ତୋଳନ କରି ଆସିଥିବା ବରିଷ୍ଠ ସାମ୍ବାଦିକ, ଜନନେତା ପଦ୍ମଭୂଷଣ ରାଧାନାଥ ରଥଙ୍କର ଆଜି ୧୨୭ତମ ଜନ୍ମତିଥି। ଏହି ମହାନ ସ୍ବାଧୀନତା ସଂଗ୍ରାମୀ ଧନୀ ଘରର ପିଲା ନଥିଲେ। ପିଲାଟି ଦିନରୁ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସଂଗ୍ରାମମୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ହେଉଥିଲା। ଡାକ୍ତରୀ ପଢ଼ିବାକୁ ଇଚ୍ଛାଥିଲେ ମଧ୍ୟ ପରିବାରର ବଡ଼ପୁଅ ହୋଇଥିବାରୁ ପାଞ୍ଚ ଭାଇ ଭଉଣୀଙ୍କ ପାଠପଢ଼ା, ବୃଦ୍ଧ ପିତାମାତାଙ୍କ ଖର୍ଚ୍ଚ ସହ ଘରର ସମ୍ପୂର୍ଣ୍ଣ ଖର୍ଚ୍ଚ ତାଙ୍କର ଆୟ ଉପରେ ନିର୍ଭର କରୁଥିଲା। ତେଣୁ ସେ ସମ୍ବଲପୁରରୁ ଚାଇଁବସା ଯାଇ ସେଠାରେ ଜଙ୍ଗଲ ବିଭାଗରେ କିରାଣି ଭାବେ ଚାକିରି କରିଥିଲେ। ଦରମା ଥିଲା ମାସିକ ୭୫ ଟଙ୍କା। ନିଜେ ହାତରେ ରୋଷେଇ କରି ଦୁଃଖ କଷ୍ଟରେ ଚଳି ପ୍ରତି ମାସରେ ସେ ଘରକୁ ପଇସା ପଠାଉଥିଲେ। ଏତିକିବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ସିଂହଭୂମିକୁ ଓଡ଼ିଆଙ୍କର ସ୍ବାଭିମାନର ସୁରକ୍ଷା ପାଇଁ ଯାଇଥିବାବେଳେ ରାଧାନାଥ ବାବୁଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତରେ ହିଁ ରାଧାନାଥଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଉତ୍କଳମଣି ରାଧାନାଥଙ୍କୁ ଦେଖି କହିଥିଲେ ‘‘ତୁମେ ସତ୍ୟବାଦୀ ଚାଲ। ସେଠାରେ ଏକ ପ୍ରେସ୍ ଅଛି। ଆମେ ସେଠାରୁ ଏକ କାଗଜ ବାହାର କରିବା।’’ ତାଙ୍କ କଥା ଶୁଣି ରାଧାନାଥ ମନ୍ତ୍ରବତ୍ ରାଜି ହୋଇ ସରକାରୀ ଚାକିରି ଛାଡ଼ି, ସେ ଯେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସେ କଥା ସମ୍ପୂର୍ଣ୍ଣ ଭୁଲିଯାଇ ସତ୍ୟବାଦୀ ଆସିଥିଲେ। ଯେଉଁ ବ୍ୟକ୍ତି ଦେଶର ସେବା ପାଇଁ, ଜାତିର ବିକାଶ ପାଇଁ ଜନ୍ମ ନେଇଛି ସେ କ’ଣ ଇଂରେଜ ଶାସନ ସମୟରେ ସରକାରୀ ଚାକିରିରେ ରହିପାରେ? ୧୯୧୯ ମସିହା କୁମାର ପୂର୍ଣ୍ଣମୀ ଦିନଠାରୁ ରାଧାନାଥବାବୁଙ୍କର ସାକ୍ଷୀଗୋପାଳଠାରେ ସେବକ ଜୀବନ ଆରମ୍ଭ ହୋଇଥିଲା।
୧୯୧୯ ମସିହା ଅକ୍ଟୋବର ୪ ତାରିଖ ବିଜୟା ଦଶମୀ ଦିନ ଉତ୍କଳମଣିଙ୍କ ସମ୍ପାଦନାରେ ସାପ୍ତାହିକ ‘ସମାଜ’ ସାକ୍ଷୀଗୋପାଳରୁ ଆତ୍ମପ୍ରକାଶ କଲା। ଏହା ଥିଲା ଓଡ଼ିଶାର ସାଧାରଣ ଜନତାଙ୍କୁ ପରାଧୀନ ନିଜ ରାଜ୍ୟ, ଦେଶ ଓ ବିଦେଶରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଜଣାଇବାର ପ୍ରମୁଖ ମୁଖପତ୍ର। ସେ କିଛିଦିନ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଗୋପବନ୍ଧୁଙ୍କ ନିର୍ଦେଶରେ ସତ୍ୟବାଦୀ ପ୍ରେସରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ଶେଷଜୀବନ ଯାଏ ‘ସମାଜ’ର ବିକାଶମୂଳକ କାର୍ଯ୍ୟରେ ରହି ଆସିଥିଲେ। ୧୯୪୬ ମସିହାରେ ସେ ‘ସମାଜ’ର ସମ୍ପାଦକ ହୋଇଥିଲେ। ଉତ୍କଳମଣି ଗୋପବନ୍ଧୁ ‘ସମାଜ’ ପ୍ରକାଶନ ମାଧ୍ୟମରେ ଯେଉଁ ନୂତନ ପରମ୍ପରା ସୃଷ୍ଟି କରିଥିଲେ ରାଧାନାଥବାବୁ ତାହାକୁ ନିଜ ଜୀବନକାଳର ପ୍ରତ୍ୟେକ ମୁହୂର୍ତ୍ତରେ ପାଳନ କରି ଦୁର୍ଗତ ଅଞ୍ଚଳର ଲୋକଙ୍କ ନିକଟରେ ରିଲିଫ ସହ ପହଞ୍ଚି ଭୋକିଲା ଲୋକଙ୍କୁ ଖାଦ୍ୟ, ବସ୍ତ୍ର ଦେଇ ଲୋକସେବାର ଏକ ମହାନ ପରମ୍ପରା ସୃଷ୍ଟି କରିପାରିଥିଲେ। ୧୯୩୯-୪୧ ମସିହାର ଭଦ୍ରକ ଓ ଯାଜପୁରର ପ୍ରଳୟଙ୍କରୀ ବନ୍ୟା, ୧୯୬୬ ମସିହାର କଳାହାଣ୍ଡି ମରୁଡ଼ି, ୧୯୬୭ ମସିହାର ଉପକୂଳ ଅଞ୍ଚଳର ବାତ୍ୟା, ୧୯୮୦-୮୨ ଉପକୂଳ ଅଞ୍ଚଳର ପ୍ରଳୟଙ୍କରୀ ବନ୍ୟା ବିଭୀଷିକା ସମୟରେ ଦୁର୍ଗତଙ୍କ ନିକଟରେ ତାଙ୍କ ପ୍ରେରଣାରେ ରିଲିଫ ବଣ୍ଟନ ସେବାର ଏକ ସ୍ବତନ୍ତ୍ର ଇତିହାସ ସୃଷ୍ଟି କରିପାରିଥିଲା।
ରାଧାନାଥ ବାବୁ ତାଙ୍କ ଜୀବନକାଳ ମଧ୍ୟରେ କିଛି କାଳ ରାଜ୍ୟ ମନ୍ତ୍ରିମଣ୍ଡଳରେ ୧୯୫୨ରୁ ୧୯୭୭ ମସିହା ଯାଏ ସରକାରରେ ଅର୍ଥ, ଶିକ୍ଷା, ଜଙ୍ଗଲ, କୃଷି ଓ ଉନ୍ନୟନ ବିଭାଗ ମନ୍ତ୍ରୀ ଥାଇ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ୧୯୭୭ରେ ସେ ରାଜନୀତିରୁ ଅବସର ଗ୍ରହଣ କରିଥିଲେ। ତାଙ୍କୁ ଅନେକ ତୁଙ୍ଗ ରାଜନୈତିକ ପଦ ମିଳିଥିଲେ ମଧ୍ୟ ସେ ତାହା ଗ୍ରହଣ କରିନାହାନ୍ତି। ତାଙ୍କ ଜୀବନର ଉଲ୍ଲେଖନୀୟ ଘଟଣାବଳୀ ହେଉଛି ଏହି ସମାଜସେବୀ ସାରା ଜୀବନକାଳ ମଧ୍ୟରେ କେବେ ବି ବିଦେଶ ଗସ୍ତରେ ଯାଇନାହାନ୍ତି। ଉଚ୍ଚ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ରହିଥିଲେ ମଧ୍ୟ ସ୍ବକୀୟ ଅଧ୍ୟବସାୟ ବଳରେ ବିଭିନ୍ନ ଭାଷାରେ ଦକ୍ଷତା ହାସଲ ସହ ବାଗ୍ମିତା ଅର୍ଜନ କରିଥିଲେ। ସେ ସୌଖୀନ ଅଟ୍ଟାଳିକାର ମାଲିକ ହୋଇନାହାନ୍ତି ବା ତାଙ୍କ ପାସବୁକ୍ରେ ସାରା ଜୀବନକାଳ ମଧ୍ୟରେ ୧୦ ହଜାରରୁ ଅଧିକ ଟଙ୍କା କେବେ ବି ରହିନାହିଁ। ତାଙ୍କର ଆଭିଜାତ୍ୟପୂର୍ଣ୍ଣ ପରିପାଟୀ ନ ଥିଲେ ମଧ୍ୟ ସେ ଛୁଇଁ ପାରିଥିଲେ କୋଟିକୋଟି ଦୁର୍ଗତ, ବିପନ୍ନ, ବନ୍ୟା, ବାତ୍ୟା ପ୍ରପୀଡ଼ିତ ଅସହାୟ ମାନବର ହୃଦୟକୁ। ସେବାର ମହକ କେତେ ମଧୁର ! ଆତୁର, ଭୋକିଲା ଜନତାଙ୍କ ଦୁଃଖ ଦୂର କରିବାର ଆନନ୍ଦ ଯେ କେତେବଡ଼ ମହାନ କାର୍ଯ୍ୟ ତାହା ସେ ନିଜେ ବହୁବାର ଅନୁଭବ କରିଛନ୍ତି। ଏଥିପାଇଁ ପରିଣତ ବୟସ ତାଙ୍କ ପାଇଁ ବାଧକ ହୋଇନାହିଁ। ରାଜ୍ୟର ଗରିବ ଜନତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇପାରିଥିଲେ।
ଏହି ମହାନ ସମାଜସେବୀ ଆଜି ଆମ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ତାଙ୍କର ନିଷ୍ଠାପର ଜୀବନବ୍ୟାପୀ କର୍ମ ଓ ଧର୍ମ କେବଳ ସମାଜକୁ ଯେ ବଦଳାଇବା ପାଇଁ ଚେଷ୍ଟିତ ଥିଲା ତାହା ନୁହେଁ; ପରନ୍ତୁ ତାହା ଆମ ପାଇଁ ଏକ ନୂତନ ଦିଗ୍ଦର୍ଶନ ସୃଷ୍ଟି କରିଥିଲା। ଉକଳମଣି ଗୋପବନ୍ଧୁ ଦାସ ‘ସମାଜ’ ରୂପୀ ଯେଉଁ ଚାରା ରୋପଣ କରିଥିଲେ ତାହା ଯେ ରାଧାନାଥ ବାବୁଙ୍କ ଏକନିଷ୍ଠ ସାଧନା ଯୋଗୁଁ ମହାଦ୍ରୁମରେ ପରିଣତ ହୋଇପାରିଛି ଏବଂ ଦେଶ ଓ ରାଜ୍ୟ ପାଇଁ ନିରନ୍ତର ସେବା କରି ଆସିଛି, ଏଥିରେ ତିଳେ େହଲେ ସନ୍ଦେହ ନାହିଁ। ସେହି ମହାନୁଭବ ସେବକଙ୍କ ପୁଣ୍ୟ ଜନ୍ମ ଦିବସରେ ତାଙ୍କର ଦିଗ୍ଦର୍ଶନ ଆମର ପାଥେୟ।
Comments are closed.