ବୋର୍ଡ଼ ହାଇସ୍କୁଲରେ ବାର୍ଷିକ ବିଜ୍ଞାନମେଳା : ବିଜ୍ଞାନ ସୃଷ୍ଟିର ସଂରକ୍ଷଣ ସମ୍ବର୍ଦ୍ଧନ କରୁ
୬୦ଟି ପ୍ରକଳ୍ପ ପ୍ରଦର୍ଶିତ
ଡେସ୍କ : ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଶୁକ୍ରବାର ଦିନ ବାର୍ଷିକ ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ସଂପାଦକ ଡ଼ଃ ଅନୁସ୍ମିତା ସ୍ୱାଇଁ ଓ ଏକାଡ଼େମିକ ଅଫିସର ଡ଼ଃ ସୁଶାନ୍ତ କୁମାର ମହାପାତ୍ର,ବରିଷ୍ଠ ଶିକ୍ଷିକା ଜ୍ୟୋତ୍ସ୍ନାରାଣୀ ଷଡ଼ଙ୍ଗୀ ଓ ଶିକ୍ଷକ ନାରାୟଣ ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷିକା ପ୍ରମିଳା ଜେନା ଓ ପ୍ରଭାସିନୀ ଦତ୍ତ ମଞ୍ଚ ପରିଚାଳନା କରିଥିଲେ।
ମୁଖ୍ୟ ଅତିଥି ଡ଼ଃ ମହାନ୍ତି ଛାତ୍ରଛାତ୍ରୀମାନେ ବିଜ୍ଞାନମନସ୍କ ହେବା ସହ ବିଜ୍ଞାନକୁ ଜନକଲ୍ୟାଣକାରୀ କାର୍ଯ୍ୟରେ ଉପଯୋଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଡ଼ଃ ସ୍ୱାଇଁ କହିଥିଲେ ଆଜି ପ୍ରକଳ୍ପ ପ୍ରଦର୍ଶିତ କରୁଥିବା ପ୍ରତ୍ୟେକ କୁନି ବୈଜ୍ଞାନିକ ଦେଶ ଓ ଜାତି ପାଇଁ ସମ୍ଭାବନା, ସେମାନଙ୍କ ନବଚିନ୍ତନ ବିଜ୍ଞାନକୁ ଭବିଷ୍ୟତେରେ ନିଶ୍ଚିତ ଲୋକାଭିମୁଖି କରିବ । ପ୍ରଧାନଶିକ୍ଷକ ଶ୍ରୀ ଶତପଥି ସୃଷ୍ଟିର ସଂରକ୍ଷଣ ଓ ସମ୍ବର୍ଦ୍ଧନରେ ବିଜ୍ଞାନର ଉପଯୋଗ ନିମନ୍ତେ ଛାତ୍ରଛାତ୍ରୀମାନେ ସର୍ବଦା ପ୍ରୟାସରତ ରହିବାକୁ ପରାମର୍ଶ ଦେଇଥିଲେ। ସଭା ପରେ ଅତିଥିଗଣ ମେଳାକୁ ଉଦଘାଟନ କରିବା ସହ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ। ଆଶାଲତା ବେହେରା, ପୁଷ୍ପିତା ନାୟକ,ସୌଭାଗ୍ୟ ମଞ୍ଜରୀ ମହାପାତ୍ର, ଅମ୍ବିକା ପୃଷ୍ଟି, ରାଜକିଶୋର ଚୌଧୁରୀ, ସସ୍ମିତା ବେହେରା, ଚୈତନ୍ୟ କୁମାର ନାୟକ, ବିଣାପାଣୀ ସାହୁ, ପ୍ରମୋଦ କୁମାର ପାଲ୍ ,ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ଅଞ୍ଜନା ବୋଷ, ସୁଦେଷ୍ଣା ଭୂୟାଁ ପ୍ରମୁଖ ଶିକ୍ଷକ ଶିକ୍ଷିକା ଓ ଅଫିସ୍ ସହାୟକ ରଣଜିତ୍ ଦାସଙ୍କ ତତ୍ତ୍ୱାବଧାନରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ମୋଟ ୬୦ ଜଣ ଶିଶୁୁ ବୈଜ୍ଞାନିକ ଛଅଟି ଉପବିଷୟବସ୍ତୁ ଉପରେ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶିକ୍ଷକ ଶ୍ରୀ ନାରାୟଣ ସହୁ ଓ ଭାଗିରଥି ପରିଡା ବିଚାରକ ଭାବେ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ଅନେକ ଅଭିଭାବକ ଓ ପ୍ରାକ୍ତନ ଛାତ୍ରଛାତ୍ରୀ ମେଳା ବୁଲିବା ସହ ପିଲାଙ୍କ ନବଚିନ୍ତନର ଉଚ୍ଚ ପ୍ରଶଂସା କରିଥିଲେ।
ଅପରାହ୍ଣରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ସ୍ଥାନୀୟ ବ୍ୟାଙ୍କ୍ ଅଫ୍ ବରୋଦାର ପ୍ରତିନିଧି ମହାପ୍ରସାଦ ମଣ୍ଡଳ ଓ ପ୍ରାକ୍ତନ ଛାତ୍ର ରଶ୍ମିରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ । ସମସ୍ତ ପ୍ରକଳ୍ପଧାରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ପ୍ରତ୍ୟେକ ବର୍ଗରୁ ଶ୍ରେଷ୍ଠ ଚାରିଜଣ ପ୍ରକଳ୍ପ ପ୍ରସ୍ତୁତକର୍ତ୍ତାଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ବ୍ୟାଙ୍କ୍ ଅଫ୍ ବରୋଦା ପିଲାଙ୍କ ନିମନ୍ତେ ଟ୍ରଫି ବ୍ୟବସ୍ଥା କରିଥିବାରୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। କନିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆକାଂକ୍ଷା ପାତ୍ରଙ୍କ ପ୍ରକଳ୍ପ ବିଶ୍ୱତାପନ ବୃଦ୍ଧି ଓ ତାହାର ପ୍ରତିକାର ଓ ବରିଷ୍ଠ ବର୍ଗରେ ଦଶମ ଛାତ୍ର ବଦ୍ରିନାଥ ବେହେରାଙ୍କ ପ୍ରକଳ୍ପ ଶକ୍ତି ସଂରକ୍ଷଣ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଶିକ୍ଷକ ଶିକ୍ଷିକା ଦର୍ପଗଞ୍ଜନ ସାହୁ, ସାଗରୀକା ମହାନ୍ତି, ପ୍ରସନ୍ନ ନନ୍ଦ,ଶିବାନୀ ସାହୁ, ଜୟନ୍ତ ଦାସ ଓ କର୍ମଚାରୀ ରବୀନ୍ଦ୍ର କୁମାର ବେହେରା, ପ୍ରଦୀପ କୁମାର ସାମନ୍ତରାୟ, ଅମର ପ୍ରସାଦ ମହାନ୍ତି, ଗଣେଶ ଚନ୍ଦ୍ର ନାୟକ, ସିପ୍ରାରାଣୀ ମହାନ୍ତି ପ୍ରମୁଖ ବିଜ୍ଞାନମେଳା ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଶିକ୍ଷକ ଭାଗିରଥି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.