ଫୁଲବାଣୀ: ବଣଭୋଜି କରିବାକୁ ଯାଇଥିବା ଜନୈକ ଯୁବକ ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଗଣେଶ ବଜାରର ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର (୨୬)। ସୂଚନା ଅନୁଯାୟୀ, ଶୁକ୍ରବାରରେ ଫୁଲବାଣୀ ସହରର ଗଣେଷ ବଜାର ସବୁମାସ ପରି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦଥିବା ଯୋଗୁଁ ଜଗଦୀଶ ତାହାର ଅନ୍ୟ ସାଙ୍ଗ ଅଜିତ୍ ପାତ୍ର, ରବୀନ୍ଦ୍ର ନାୟକ, ରାଜ ସାହୁ ଓ ସରୋଜ କୁମାର ସାହୁ ସହିତ ମିଶି ସହର ନିକଟସ୍ଥ ତୁଡିପାଜୁ ପଞ୍ଚାୟତ ବୁଢାଦାନୀ ଗ୍ରାମ ନିକଟ ସାଲୁଙ୍କୀ ନଦୀକୁ ବଣଭୋଜି କରିବା ପାଇଁ କାଠପୋଲ ନିକଟକୁ ଯାଇଥିଲେ। ନଦୀରେ ଗାଧୋଇବା ସମୟରେ ଜଗଦିଶ୍ ଏବଂ ଅଜିତର ଗୋଡ ଖସିଯିବାରୁ ଉଭୟ ପାଣି ଭିତରକୁ ଖସି ପଡ଼ିଥିଲେ। ଅଜିତ୍ କୌଣସି ପ୍ରକାର ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଗଦିଶ୍ ନଦୀର ଏକ ପଥରରେ ଲାଗିଯାଇ ବାହାରକୁ ଆସିପାରିନଥିଲେ। ପାଣି ତଳେ ଥିବା ପଥରରେ ତାଙ୍କର ମୁଣ୍ଡ ମାଡ ହୋଇ ଯାଇଥିଲା।
ତେବେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ଏବଂ ଫୁଲବାଣୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।



