BJD Bijuli 480×75 Mob

ସାମ୍ବାଦିକମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନୈତିକତାକୁ ବଳି ଦେବା ଅନୁଚିତ : ରାଜ୍ୟପାଳ

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ପ୍ରେସ୍ ଦିବସ

BJD Bijuli 480×75 Mob
ଭୁବନେଶ୍ବର : ସାମ୍ବାଦିକମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନୈତିକ ମୂଲ୍ୟବୋଧକୁ ବଳି ଦେବା ଅନୁଚିତ ବୋଲି ରାଜ୍ୟପାଳ ରଘୁବର ଦାସ ମତବ୍ୟକ୍ତ କରିଛନ୍ତି । ଗୁରୁବାର ଜୟଦେବ ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ କମ୍ୟୁନିକେସନ (ସିବିସି) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ବର୍ତ୍ତମାନ ସମୟରେ ଆମେ ସମସ୍ତେ ତୁରନ୍ତ ଖବର ପାଇବାକୁ ଆଗ୍ରହୀ ଥିଲାବେଳେ ଏହା ମାଧ୍ୟମରେ ଆସୁଥିବା ମିଛ ଖବର ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ।  ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ସହ ସଚେତନତା କରାଇବା ଗଣମାଧ୍ୟମର କାର୍ଯ୍ୟ । ଛୋଟ ଛୋଟ ସମ୍ବାଦପତ୍ର ବଡ଼ ବଡ଼ ଦୁର୍ନୀତିର ମୁଖା ଖୋଲିଛନ୍ତି । ତୋପ କିମ୍ବା ତରବାରୀ ଠାରୁ ସମ୍ବାଦପତ୍ର ଅଧିକ ଶକ୍ତିଶାଳୀ ବୋଲି ରାଜ୍ୟପାଳ କହିଥିଲେ । ଏକ ସ୍ବାଧୀନ ଗଣମାଧ୍ୟମ ଦେଶର ନିର୍ମାଣ ଓ ବିକାଶ କ୍ଷେତ୍ରରେ ରାଷ୍ଟ୍ରକୁ ଶୀର୍ଷ ସ୍ଥାନକୁ ନେଇପାରେ। ସ୍ବାଧୀନତା ଆନ୍ଦୋଳନ ସମୟରୁ ଏପର୍ଯ୍ୟନ୍ତ ଗଣମାଧ୍ୟମ ରାଷ୍ଟ୍ର ନିର୍ମାଣ ଦିଗରେ ସକାରାତ୍ମକ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟପାଳ ଗଣମାଧ୍ୟମ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ୧୭୮୦ରୁ ଅଗଷ୍ଟସ୍ ହିକିଙ୍କ ବେଙ୍ଗଲ ଗେଜେଟ ପ୍ରକାଶ ପାଇ ଇଂରେଜ ଶାସନ ବିରୋଧରେ ଲେଖି ଚାଲିଥିଲା । ୧୮୦୭ରେ ଇଂରେଜମାନେ ଏହି ସମ୍ବାଦପତ୍ରକୁ ବନ୍ଦ କରାଇଥିଲେ। ଆମ ରାଜ୍ୟରେ ‘ଉତ୍କଳ ଦୀପିକା’ ଭଳି ସମ୍ବାଦପତ୍ର ସ୍ୱାଧୀନତା ଆନ୍ଦୋଳନକୁ ଉଜ୍ଜୀବିତ ରଖି ସ୍ୱାଧୀନତା ସଂଗ୍ରାମୀଙ୍କୁ ଉତ୍ସାହିତ କରୁଥିଲେ। ସମ୍ବାଦପତ୍ର ଓ ଗଣମାଧ୍ୟମ ସମ୍ପର୍କିତ ବିଭିନ୍ନପ୍ରକାର ଆଇନ ରହିଥିବା ସତ୍ତ୍ୱେ ଗଣମାଧ୍ୟମ ଓ ସମ୍ବାଦପତ୍ର ପ୍ରକାଶ ପାଉଥିଲା। ଏସବୁ ସତ୍ତ୍ୱେ ଗଣମାଧ୍ୟମର ସ୍ୱାଧୀନତା କ୍ଷେତ୍ରରେ ଭାରତର ସ୍ଥାନ ୧୮୦ଟି ଦେଶ ମଧ୍ୟରୁ ଗତବର୍ଷ ୧୫୦ରେ ଥିବା ସ୍ଥଳେ ଚଳିତବର୍ଷ ୧୬୧ ରାଙ୍କିଙ୍ଗକୁ ଖସି ଆସିଛି । ବର୍ତ୍ତମାନ ସାମ୍ବାଦିକମାନେ ନିଜ ନିଜ ଭିତରେ ଭାଗ ଭାଗ ହୋଇଯାଉଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ବର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଥିଲେ ଯେ, ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ଯୁଗରେ ଆମକୁ ଏକ କଠିନ ସମୟ ଦେଇ ଗତି କରିବାକୁ ପଡୁଛି । ଏସବୁ ସତ୍ତ୍ୱେ ଦେଶର ସାର୍ବଭୌମତ୍ବ ରକ୍ଷା କ୍ଷେତ୍ରରେ ଗଣମାଧ୍ୟମ ଦାୟିତ୍ବବାନ ହେବା ଉଚିତ ।  ସମ୍ବାଦିକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ରଥଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୩’ ପ୍ରଦାନ ସହିତ ଝାଡ଼ଖଣ୍ଡର ରିତେଶ କାଶ୍ୟପ ଓ ବଣ୍ଟି ଜୟସ୍ୱାଲ, ବେଙ୍ଗାଲୁରୁର ରଞ୍ଜନ ଆଚାର୍ଯ୍ୟ, କଲକାତାର ବିଷ୍ଣୁ ଅଗ୍ରୱାଲ, ଦିଲ୍ଲୀର ସନ୍ତୋଷ ପାଣ୍ଡେ ଓ ମୃଣାଳ ମଞ୍ଜରୀ ମଲ୍ଲଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ  ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଓଡ଼ିଶା ଖଣି ନିଗମର ମାନବ ସମ୍ବଳ ବିଭାଗର ନିର୍ଦେଶକ ଆଲୋକ କୁମାର ପାଲଙ୍କୁ ପବ୍ଲିକ ରିଲେସନ ଓ ହ୍ୟୁମାନ୍ ରସୋର୍ସ ଡେଭଲପମେଣ୍ଟ ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା। ୨୦୨୨ରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାରର ଛାତ୍ରୀ ଈପ୍ସିତା ମହାନ୍ତିଙ୍କୁ ‘ରବିନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୩’, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ଛାତ୍ରୀ ଇତିଶ୍ରୀ ମଲ୍ଲିକଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୩’, କଟକସ୍ଥିତ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ନାଫିସା ପରୱିନୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୩’, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ଅଖିଳ ତରାଇଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୩’, ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସିର ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ଦିଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୩’, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ଛାତ୍ରୀ ମିସ୍ ଷ୍ଟେନି ନାୟକଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୩’ ଏବଂ ସଂସ୍କୃତି ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ଛାତ୍ର ସ୍ବାଧୀନ ମହାନ୍ତିଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଥିଲା।
ରାଜ୍ୟର ୩୨ଜଣ ବରିଷ୍ଠ ସାମ୍ବାଦିକ- ମହେଶ୍ବର ମୂଳିଆ, ଦୁଲାଲ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁଦାମ ଚରଣ ନାୟକ, ସୁରେନ୍ଦ୍ର ସାହୁ, ଅର୍ଜୁନ ରଞ୍ଜନ ପଣ୍ଡା, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ଶରତ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ରମେଶ ଚନ୍ଦ୍ର ମହାନ୍ତି, ସେକ୍ ଅବଦୁଲ ମନାନ, ସର୍ବେଶ୍ୱର ଦାସ, ଭାଗବତ ତ୍ରିପାଠୀ, ବସନ୍ତ କୁମାର ଦାଶ, ଶ୍ରୀରାମ ଦାଶ, ଗୁରୁକଲ୍ୟାଣ ମହାପାତ୍ର, ବାଉରୀବନ୍ଧୁ ମହାରଣା, ସୁଜ୍ଞାନ ଚୌଧୁରୀ, ରବି ରଥ, ଗୌରାଙ୍ଗ ଚରଣ ହୋତା, ତ୍ରିଲୋଚନ ମହାପାତ୍ର, ଅମ୍ବିକା କାନୁନଗୋ, ପ୍ରସନ୍ନ କୁମାର ନାୟକ, ସୁବାସ ପାଣିଗ୍ରାହୀ, ସତ୍ୟ ରାୟ, ଶିବାରାମ ଦାସ ଓ ଦିବାକର ପ୍ରଧାନଙ୍କୁ ପେନସନ ପ୍ରଦାନ କରାଯାଇଥିଲା। ମଧ୍ୟାହ୍ନରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି  ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ ଯେ, ବର୍ତ୍ତମାନ ସମୟରେ କୃତ୍ରିମ ବୃଦ୍ଧିମତା ପ୍ରତ୍ୟେକ କ୍ଷେତ୍ରକୁ ଗ୍ରାସ କରିସାରିଛି। ଏଭଳି ସମୟରେ ସମୟର ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼ିବ। କାରଣ କୃତ୍ରିମ ବୁଦ୍ଧିମତାକୁ ବାଦ୍ ଦେଇ ଗଣମାଧ୍ୟମର ବୃତ୍ତିକୁ ବଜାୟ ରଖିବା ସମ୍ଭବ ନୁହେଁ।   ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରେସ୍ କାଉନସିଲ୍ ଗଠନଠାରୁ ଏପର୍ଯ୍ୟନ୍ତ ଜାତୀୟ ପ୍ରେସ୍ ଦିବସର ଇତିହାସର ସୂଚନା ଦେଇ ଦେଶ ଗଠନର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।  ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପରିମାଣ ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ଚଳିତବର୍ଷ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ସେ କୃତ୍ରିମ ବୁଦ୍ଧିମତାର ସକାରାତ୍ମକ ଓ ନକରାତ୍ମକ ପ୍ରଭାବର ବିଶ୍ଳେଷଣ କରିଥିଲେ। ପ୍ରାରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ କରିଥିଲେ।  ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅଧିବେଶନରେ ଆକାଶବାଣୀ ଓ ଦୂରଦର୍ଶନର ପୂର୍ବତନ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ସହକାରୀ ବାର୍ତ୍ତା ନିର୍ଦେଶକ ଗୋପାଳ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଡ. ଅଶୋକ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଭାଗବତ ତ୍ରିପାଠୀ, ରମେଶ ଚନ୍ଦ୍ର ମହାନ୍ତି, ସୁଜ୍ଞାନୀ ଚୌଧୁରୀ, ଆୟୁଷ ନାରାୟଣ ମହାନ୍ତି, ଦିଲ୍ଲୀସ୍ଥିତ ‘ୟୁଟି ମିରର୍’ ପତ୍ରିକାର ସମ୍ପାଦକ ସନ୍ତୋଷ ପାଣ୍ଡେ, ଝାଡ଼ଖଣ୍ଡର ପ୍ରତୀମ ସିଂ ଭାଟିଆ, ସୁରେଶ ମନ୍ତ୍ରୀ,  ଅମିତ କଲେଜର ନିର୍ଦେଶକ ପ୍ରଫେସର ଡ. ସୁପ୍ରିତା ପାଲିତ ଓ  ତ୍ରିଦେବ ନାରାୟଣ ମହାନ୍ତି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଆଲୋଚନା କରିଥିଲେ।  ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Comments are closed.