ଆଜିକାଲି ଜଙ୍କଫୁଡ୍ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟର ଚଳଣି ବୃଦ୍ଧିପାଉଥିବା ବେଳେ ମିଲେଟ୍ସ ଜାତୀୟ ଖାଦ୍ୟ ସମାଜ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି। ଆବହମାନ କାଳରୁ ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ ଧାନ ଚାଷଠାରୁ ମଧ୍ୟ ପ୍ରାଚୀନ। ମାତ୍ର କାଳକ୍ରମେ ମିଲେଟ୍ସ ଚାଷ ସଙ୍କୁଚିତ ହୋଇଗଲା ଏବଂ କିଛି ପାହାଡ଼ ପର୍ବତ ଘେରା ମାଳ ଅଞ୍ଚଳକୁ ବାଦ ଦେଲେ ଏହାର ଗୁରୁତ୍ବ କ୍ଷୟ ହେବାରେ ଲାଗିଲା; କିନ୍ତୁ ଆଜି ଏଥିରେ ଅନେକ ପରିବର୍ତ୍ତନ ଆସିଛି। ସମ୍ପ୍ରତି ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନ,ଫସଲରେ ରୋଗପୋକ ଲାଗିବା ପରି ସମସ୍ୟାର ବୈକଳ୍ପିକ ଭାବେ ଉଭା ହୋଇଛି ମିଲେଟ୍ସ ଚାଷ। ସାରା ବିଶ୍ବ ମିଳେଟ୍ସ ଜାତୀୟ ଫସଲ ଏବଂ ଖାଦ୍ୟର ଗୁରୁତ୍ବ ଓ ଖାଦ୍ୟ ସୁରକ୍ଷା ଦିଗରେ ଏହାର ଅବଦାନ ବିଷୟରେ ହୃଦୟଙ୍ଗମ କରିପାରିଛି। ସାରା ବିଶ୍ବରେ ମିଳେଟ୍ସ ଜାତୀୟ ଖାଦ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ଲୋକପ୍ରିୟ କରିବା ପାଇଁ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ପାଳନ କରୁଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଓଡିଶାରେ ମଧ୍ୟ ଆଜି ଏବଂ କାଲି (୯-୧୦ ନଭେମ୍ବର) ଦୁଇଦିନ ବ୍ୟାପୀ ଅନ୍ତର୍ଜାତୀୟ ମିଲେଟ୍ସ କନଭେନସନ ଆୟୋଜନ କରାଯାଇଛି ଯେଉଁଥିରେ ଦେଶ ବିଦେଶର ମିଲେଟ୍ସ ଚାଷ ସହିତ ସଂଶ୍ଳିଷ୍ଟ ଥିବା ଚାଷୀ ଓ କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ବୈଜ୍ଞାନିକ, କୃଷି ବିଶେଷଜ୍ଞ ଓ ପରାମର୍ଶଦାତା ଏକତ୍ର ହୋଇ ଏହାକୁ ଆହୁରି ବ୍ୟାପକ ଭାବେ ଆଦୃତ କରାଇବା ପାଇଁ ମାନସ ମନ୍ଥନ କରିବେ।
ମିଲେଟ୍ସର ବିଭିନ୍ନ ପ୍ରଜାତିର ଫସଲ ମଧ୍ୟରୁ ଓଡିଶାରେ ‘ମାଣ୍ଡିଆ’ ଚାଷ ବହୁଳ ଭାବେ ପ୍ରଚଳିତ। ପୁଷ୍ଟିଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ରାଜ୍ୟର ଜଳବାୟୁ ଓ ମୃତ୍ତିକା ଆଧାରରେ ଓଡ଼ିଶାରେ ଦଶଗୋଟି କୃଷି ଜଳବାୟୁ ଅଞ୍ଚଳ ରହିଛି । ଜୈବ ବିବିଧତାପୂର୍ଣ୍ଣ ଓଡ଼ିଶାର ମୃତ୍ତିକା ଓ ଜଳବାୟୁ ନାନା ରକମର ଫସଲ ଚାଷ ପାଇଁ ଉପଯୁକ୍ତ ଅଟେ । ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ଓଡ଼ିଶା ନୁହେଁ; ସମଗ୍ର ବିଶ୍ୱ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଥିବାବେଳେ କୃଷି ଓ କୃଷକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି । ଜଳବାୟୁ ପରିବର୍ତ୍ତନ ଓ ଅନିୟମିତ ବୃଷ୍ଟିପାତ ମାନବ ସମାଜ ପାଇଁ ଆଜି ଏକ ମୁଖ୍ୟ ଆହ୍ୱାନ ହୋଇଥିବା ବେଳେ ଏହାର ମୁକାବିଲା କରିବା ଦିଗରେ ଜଳବାୟୁ ସହନଶୀଳ ମିଲେଟ୍ସ ଖାଦ୍ୟ ସୁରକ୍ଷା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।
ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟଭାବରେ ବିବେଚିତ ହୋଇଆସିଛି । ଜନଜାତିଙ୍କ ଏହି ପାରମ୍ପରିକ ଖାଦ୍ୟ ପୁଷ୍ଟିକର ହୋଇଥିବାବେଳେ ଏହି ଲଘୁ ଶସ୍ୟକୁ ପୁଷ୍ଟିଶସ୍ୟ ଭାବରେ ଅଭିହିତ କରାଯାଇଥାଏ । ବର୍ତ୍ତମାନର ପରିସ୍ଥିତିରେ ଲଘୁଶସ୍ୟ ମାଣ୍ଡିଆ ଚାଷ ଶୁଷ୍କ ଓ ବର୍ଷାପୁଷ୍ଟ ଅଞ୍ଚଳର ଚାଷୀମାନଙ୍କ ପାଇଁ ଉପଯୁକ୍ତ ଓ ଲାଭଜନକ କୃଷିକାର୍ଯ୍ୟ ଭାବରେ ସାବ୍ୟସ୍ତ ହୋଇପାରିଛି । ଧାନ, ଗହମ, ମକା ଆଦି ତୁଳନାରେ ମାଣ୍ଡିଆ ଚାଷ ଜଳବାୟୁ ସହନଶୀଳ । ଅପେକ୍ଷାକୃତ କମ ଜଳ ଉପଯୋଗ କରି ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର କ୍ଷମତା ଏହାର ରହିଛି । ମାଣ୍ଡିଆ ଚାଷରେ ସାର, କୀଟନାଶକ ବ୍ୟବହାରର ଆବଶ୍ୟକତା ପଡ଼ିନଥାଏ । ଏହି ପରିପ୍ରେକ୍ଷୀରେ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷ ଖାଦ୍ୟ ସୁରକ୍ଷା ସମେତ ପୁଷ୍ଟି ସୁରକ୍ଷା ଦିଗରେ ଏକ ଉପଯୁକ୍ତ ବିକଳ୍ପ ଭାବରେ ଉଭାହୋଇଛି । ଏକଦା ଲଘୁଶସ୍ୟ ଭାବରେ ପରିଗଣିତ ହେଉଥିବା ମିଲେଟ୍ସକୁ ଆଜି ଦରକାରୀ ପୁଷ୍ଟିଶସ୍ୟ ଭାବରେ ବିବେଚନା କରିବାର ସମୟ ଉପନୀତ ହୋଇଛି ।
ମିଲେଟ୍ସ ଲୋକମାନଙ୍କର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ପୁଷ୍ଟି ନିରାପତ୍ତା ମଧ୍ୟ ଯୋଗାଇଥାଏ। ଆମ ରାଜ୍ୟ ଓଡ଼ିଶା ପରିପ୍ରେକ୍ଷୀ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ମହିଳା ଓ ଶିଶୁଙ୍କ ମଧ୍ୟରେ ଅପପୁଷ୍ଟିକୁ କମ କରିବା ପାଇଁ କୃଷି ବିଭାଗ ତରଫରୁ ‘ଘର ଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ରାଜ୍ୟରେ ଅପପୁଷ୍ଟିର ଶିକାର ହୋଇଥିବା ପରିବାରଙ୍କୁ ଚିହ୍ନଟ କରି ପୁଷ୍ଟିକର ପନିପରିବା ଓ ଫଳ ଚାରା ସହିତ ଅଣ୍ଡା ପାଇଁ ଅଗଣାରେ ବଢିପାରୁଥିବା କୁକୁଡା ମଧ୍ୟ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ମାଣ୍ଡିଆର ପ୍ରଚଳନ ଅପପୁଷ୍ଟି ପରି ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ସମାଧାନ କରିବାରେ ସାହାଯ୍ୟ କରିବ।
ମାଣ୍ଡିଆ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ଓ ପରିବେଶ ଉପରେ ଅନୁକୂଳ ପ୍ରଭାବ ଯୋଗୁଁ ମାଣ୍ଡିଆ ଚାଷର ପ୍ରସାର ଘଟାଇବାର ଆବଶ୍ୟକତାକୁ ଲପଲବ୍ଧି କରି ଓଡ଼ିଶା ସରକାର ଓଡ଼ିଶା ମିଲେଟ୍ସ ମିଶନ ଗଠନ ଜରିଆରେ ମିଲେଟ୍ସ ଚାଷକୁ ଯଥୋଚିତ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ରାଜ୍ୟର ଚାଷ ଜମିରେ ଏବଂ ଲୋକଙ୍କ ଖାଦ୍ୟଥାଳିରେ ପୁଷ୍ଟିଶସ୍ୟ ମାଣ୍ଡିଆର ପୁନଃପ୍ରଚଳନ କରିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ । ବିଗତ ବର୍ଷରେ ଓଡିଶା ମିଲେଟ୍ସ ମିଶନର ସଫଳତାକୁ ଦୃଷ୍ଟିରେ ରଖି ୨୦୨୩ ବର୍ଷରୁ ମାଣ୍ଡିଆ ଚାଷକୁ ରାଜ୍ୟର ୩୦ଟି ଜିଲାର ୧୭୭ ଗୋଟି ବ୍ଲକକୁ ସଂପ୍ରସାରିତ କରାଯାଉଛି। କେବଳ ମାଣ୍ଡିଆ ଚାଷ ନୁହେଁ; ଉତ୍ପାଦିତ ମାଣ୍ଡିଆକୁ ଚାଷୀମାନଙ୍କଠାରୁ ଉଚିତ୍ ମୂଲ୍ୟରେ କ୍ରୟ କରିବା ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ୧୭ ହଜାର କ୍ୱିଣ୍ଟାଲ ମିଲେଟ୍ସ ସଂଗ୍ରହ କରିଥିବାବେଳେ ୨୦୨୨-୨୩ ଏହା ୬ ଲକ୍ଷ ୪ ହଜାର କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ଚାଷୀମାନଙ୍କ ପାଇଁ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୬୮୭ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ଜିଲାର ଅଣ-ଜଳସେଚିତ ଏବଂ ସ୍ୱଳ୍ପ ଜଳସେଚିତ ଜମିରେ ମିଲେଟ୍ସ ଚାଷ କରାଯିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଓଡ଼ିଶା ମିଲେଟ୍ସ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କୃଷି କ୍ଷେତ୍ରରେ ମହିଳାମାନଙ୍କର ସଶକ୍ତୀକରଣ। ମାଣ୍ଡିଆ ଚାଷଠାରୁ ଆରମ୍ଭ କରି ଏହାର ଅମଳ, ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ କରିବା, ବିକ୍ରିବଟା ଇତ୍ୟାଦି କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କର ସହଭାଗିତା ରହିଛି । ଫଳସ୍ୱରୂପ ମାଣ୍ଡିଆ ଚାଷରେ ସଂପୃକ୍ତ ମହିଳାମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ଆଖି ଦୃଶିଆ ବିକାଶ ହୋଇପାରିଛି ।
ଓଡ଼ିଶା ମିଲେଟସ ମିଶନର ଏହି ମାର୍ଗଦର୍ଶୀ କାର୍ଯ୍ୟକ୍ରମ ଭାରତ ସରକାର ଏବଂ ମିଳିତ ଜାତିସଂଘ ଦ୍ୱାରା ଏକ ଆଦର୍ଶ ପଦକ୍ଷେପ ଭାବରେ ପ୍ରଶଂସିତ ହୋଇଛି । ଭାରତ ସରକାରଙ୍କ ନିତି ଆୟୋଗ ଓଡ଼ିଶାର ଏହି ମଡେଲକୁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଜନଜାତି ଓ ସାଧାରଣ ଲୋକଙ୍କ ଖାଦ୍ୟ ଭାବେ ବିବେଚିତ ହେଉଥିବା ମିଲେଟ୍ସ ଆଜି ସହରର ନାମୀଦାମୀ ରେଷ୍ଟୁରାଣ୍ଟ ଏବଂ ହୋଟେଲ ମେନୁରେ ସ୍ଥାନ ପାଇଛି । ଏବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ମନଲୋଭା ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି । ମାଣ୍ଡିଆରେ ପୌଷ୍ଟିକତତ୍ତ୍ୱ ଭରପୂର ଥିବାରୁ ଏହା ଏକ ‘ସୁପର ଫୁଡ୍’ ଭାବରେ ବିବେଚିତ ହେଉଛି । ରାଜ୍ୟ ସରକାର ମାଣ୍ଡିଆ ଚାଷର ପ୍ରଚାର ଓ ପ୍ରସାରକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଜନସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟରେ ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସଭାବରେ ପାଳନ କରାଯାଉଛି । ସାରା ଦେଶରେ ସ୍ବତନ୍ତ୍ର ଭାବରେ ମାଣ୍ଡିଆ ଦିବସ ପାଳନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍ସ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ରାଜ୍ୟ ସରକାରଙ୍କ ମିଲେଟ୍ସ ପ୍ରତି ଥିବା ପ୍ରତିବଦ୍ଧତାକୁ ସୂଚାଇଥାଏ । ଓଡ଼ିଶା ମିଲେଟ୍ସ ମିଶନ ଗଠନ ହେବା ଦିନଠାରୁ ମିଲେଟ୍ସର ଚାଷ ଯୋଗୁଁ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ଆଗଧାଡ଼ିର ରାଜ୍ୟ ଭାବରେ ପରିଗଣିତ ହୋଇଛି । ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ଓଡ଼ିଶାରେ ପୁଷ୍ଟିଶସ୍ୟର ପୁନରୁଦ୍ଧାର କାର୍ଯ୍ୟକ୍ରମ ଆଜି ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଛି। ଦୀର୍ଘମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ରାଜ୍ୟରେ ମିଲେଟ୍ସ ଚାଷ ଓ ବ୍ୟବହାରକୁ ବ୍ୟାପକ କରାଯିବା ସହିତ ଘରେ ଘରେ ମିଲେଟ୍ସ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଆଜି ଚାରିଆଡେ ଚର୍ଚ୍ଚିତ । ମାଣ୍ଡିଆ ଚାଷରେ ମହିଳାଙ୍କୁ ବହୁଳ ଭାବେ ସାମିଲ କରି ଏହାକୁ ଲୋକପ୍ରିୟ କରାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶୀ ପଥ ପ୍ରଦର୍ଶନ ସହିତ ଆବଶ୍ୟକ ପୁଞ୍ଜି ବ୍ୟବସ୍ଥା କରିଥିବାରୁ ଓଡିଶାର ମିଲେଟ୍ସ କାର୍ଯ୍ୟକ୍ରମ ବିଶ୍ବରେ ପ୍ରଶଂସିତ ହେବା ସହିତ ଜାତୀୟ ସ୍ତରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରିପାରିଛି। ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ। ଆସନ୍ତୁ ଆମେ ସମସ୍ତେ ମିଲେଟ୍ସର ଏହି ଜୟ ଯାତ୍ରାରେ ସାମିଲ ହେବା। (ଘୋଷଣା – ଲେଖକଙ୍କ ମତାମତ ନିଜସ୍ୱ)


