ଖୁସି ବିପଦକୁ ନ ଡାକୁ
ସାମୟିକ ଖୁସି ପାଇଁ ସମଗ୍ର ଜୀବଜଗତକୁ ବିପଦମୁହଁକୁ ଠେଲିବାର ହକ୍ ଆମର ନାହିଁ
ଦୀପାବଳି ଆନନ୍ଦ, ଉଲ୍ଲାସ ଓ ଆଲୋକର ପର୍ବ। ସର୍ବନିୟନ୍ତାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଶ୍ୱବାସୀଙ୍କ କଲ୍ୟାଣ କାମନା କରିବା ଏବଂ ଏ ସମାଜରୁ ଜଡତା ରୂପକ ଅନ୍ଧାର ଦୂରକରି ସମସ୍ତଙ୍କ ମନରେ ଜ୍ଞାନ, ସଦ୍ଭାବନା, ବିକାଶର ଆଲୋକ ଭରିଦେବା ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ। ଏହାକୁ କେବଳ ହିନ୍ଦୁ ନୁହନ୍ତି, ବିଭିନ୍ନ ଧର୍ମ, ବିଶ୍ୱାସର ଲୋକ ମଧ୍ୟ ପାଳନ କରୁଛନ୍ତି। ସାରା ବିଶ୍ୱରେ ଶହେ କୋଟିରୁ ଅଧିକ ଲୋକ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରିଆସୁଛନ୍ତି। ଏହି ଦିନଠାରୁ ମଧ୍ୟ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ। ତେଣୁ ଏହି ଦିନରେ ଭଗବତ୍ ଆରାଧନା କଲେ ସୁଖ, ସମୃଦ୍ଧି ବୃଦ୍ଧି ପାଇବାର ବିଶ୍ୱାସ ରହିଛି।
ଇତିହାସ ଅନୁଯାୟୀ ପାଖାପାଖି ୨୫୦୦ ବର୍ଷ ପୂର୍ବରୁ ଦୀପାବଳି ପର୍ବ ପାଳିତ ହୋଇଆସୁଛି। ଏହା ମଧ୍ୟ ଶସ୍ୟ ଅମଳ ସହିତ ସମ୍ପୃକ୍ତ ବୋଲି କୁହାଯାଏ। ଏହାକୁ ନେଇ ଯେଉଁସବୁ କିମ୍ବଦନ୍ତୀ ରହିଛି, ସେଥିମଧ୍ୟରେ ମୁଖ୍ୟ ହେଉଛି ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସ ଶେଷକରି ଏବଂ ରାକ୍ଷସ ରାବଣକୁ ନିଧନ କରି ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଥିପାଇଁ ଅଯୋଧ୍ୟାବାସୀ ଅତ୍ୟନ୍ତ ଆନନ୍ଦ ଓ ଭାବବିହ୍ୱଳ ହୋଇ ସାରା ଅଯୋଧ୍ୟାକୁ ଦୀପ ଓ ଆଲୋକରେ ସୁସଜ୍ଜିତ କରିଥିଲେ। ତାହା ସହିତ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି ଦିନ ମା’ କାଳୀଙ୍କର ବିଶେଷ ଆରାଧନା କରାଯାଇଥାଏ। ତେବେ ଏଭଳି ଏକ ବିଶେଷ ଉତ୍ସବରେ ଆତସବାଜିର ବ୍ୟବହାର ପରବର୍ତ୍ତୀ ସମୟରେ ପ୍ରବେଶ କରିଛି। ଏବେ ପରିସ୍ଥିତି ଏଭଳି ହୋଇଛି ଯେ, କେବଳ ଦୀପାବଳି ଉତ୍ସବରେ ଭାରତରେ ବାୟୁ ଓ ଶବ୍ଦ ପ୍ରଦୂଷଣ ମାତ୍ରା ଶୀର୍ଷରେ ପହଞ୍ଚିଯାଉଛି।
ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ବେରିୟମ୍ ଓ ଗନ୍ଧକ ଭଳି ବିଷାକ୍ତ ରାସାୟନିକ ପଦାର୍ଥରେ ପ୍ରସ୍ତୁତ ଆତସବାଜି ବ୍ୟବହାର ହେଉଛି। ସେହି କାରଣରୁ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବିଷାକ୍ତ ହୋଇଯାଉଛି। ଏହାର ପ୍ରଭାବ ସାଧାରଣ ଲୋକ, ବିଶେଷକରି ବୟସ୍କ ଓ ଶିଶୁଙ୍କ ଉପରେ ପଡୁଛି। ଏହି ବିଷାକ୍ତ ବାୟୁ ଆଘ୍ରାଣ ଦ୍ୱାରା କର୍କଟ ଓ ଫୁସଫୁସ ଜନିତ ଗୁରୁତର ସମସ୍ୟା ସୃଷ୍ଟି ହେବାର ବହୁ ଅଧିକ ଆଶଙ୍କା ରହୁଥିବା ଚିକିତ୍ସା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଆତସବାଜି ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି; କିନ୍ତୁ ଏହା ବାସ୍ତବରେ ପାଳନ ହେବା ନେଇ ସନ୍ଦେହ ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପ୍ରଶାସନ, ବିଶେଷକରି ପୁଲିସ ବିଭାଗ କାର୍ଯ୍ୟକାରୀ କରିବା କଥା; କିନ୍ତୁ ଏହା ସେମାନେ ଆନ୍ତରିକତାର ସହିତ ପାଳନ କରିବା ଆଶା କରାଯାଉନାହିଁ। ପୂର୍ବରୁ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଠାରୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ବହୁ ଦୃଷ୍ଟାନ୍ତକାରୀ ରାୟ ଦେଇଛନ୍ତି। ଯେଉଁଥିରେ କ୍ଷତିଗ୍ରସ୍ତ ବା ପ୍ରଭାବିତ ପକ୍ଷଙ୍କୁ ନ୍ୟାୟ ଦେବାକୁ ପ୍ରଶାସନ ଓ ପୁଲିସକୁ ଆଦେଶ ଦିଆଯାଇଛି। ତାହାକୁ କେତେକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବାବେଳେ ଅନେକ କ୍ଷେତ୍ରରେ କରାଯାଇନାହିଁ। ଆତସବାଜି ଫୁଟାଇବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସାରା ଦେଶବାସୀଙ୍କ ସ୍ୱାର୍ଥରେ। କେବଳ ମଣିଷ ନୁହନ୍ତି, ସମୁଦାୟ ଜୀବଜଗତ ଆତସବାଜି ବ୍ୟବହାର ବନ୍ଦ ଦ୍ୱାରା ଉପକୃତ ହେବେ, ଯେଉଁଥିରେ ବୃକ୍ଷ ଲତା ମଧ୍ୟ ରହିଛି। ଏଭଳି ଏକ ବୃହତ୍ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟାନ୍ୱୟନରେ ସନ୍ଦେହ ରହୁଥିବା
ଏଥିପାଇଁ କୁହାଯାଉଛି; କାରଣ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣସ୍ତରକୁ ଯଦି ଦେଖାଯାଏ ତେବେ ସରକାର, ପ୍ରଶାସନିକ ଅଧିକାରୀ, ପୁଲିସ, ପ୍ରବର୍ତ୍ତନକାରୀ ସଂସ୍ଥା ଯଦି ବାସ୍ତବରେ ସଚେତନ ଥାଆନ୍ତେ ଏବଂ ନିଜ ଦାୟିତ୍ୱ ସୁଚାରୁରୂପ ସମ୍ପାଦନ କରୁଥାନ୍ତେ ତେବେ ପ୍ରତିବର୍ଷ ଏହି ପରିସ୍ଥିତିର ପୁନରାବୃତ୍ତି ଘଟନ୍ତା ନାହିଁ। ପଞ୍ଜାବରେ ଚାଷୀମାନେ ସେମାନଙ୍କ ଜମିରୁ ଶସ୍ୟ ଅମଳ ପରେ ସେଠାରେ ପଡ଼ିରହୁଥିବା ନଡା, ପାଳ ଆଦିରେ ନିଆଁ ଲଗାଇ ଦେଉଥିବାରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ଆଡକୁ ଚାଲିଯାଉଛି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ, ଦିଲ୍ଲୀ ସରକାର ରହିଛନ୍ତି। କିନ୍ତୁ ହେଉଛି କ’ଣ? ସମସ୍ତେ ହାତ ଟେକି ଦେଉଛନ୍ତି। ପଞ୍ଜାବରେ ଆପ୍ ସରକାର ଗଠନ ହେବା ପୂର୍ବରୁ ଏହି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହିସବୁ ଅଞ୍ଚଳରେ ନଡା, ପାଳରୁ ଇଥାନଲ୍ ପ୍ରସ୍ତୁତି ଉଦ୍ୟୋଗ ସ୍ଥାପନ କରିବାକୁ କୁହାଯାଇଥିଲା। ବାସ୍ତବରେ କିନ୍ତୁ ତାହା ହେଲାନାହିଁ। କ୍ଷମତାକୁ ଆସିବା ପରେ ଆପ୍ ନେତୃବୃନ୍ଦ ତାହା ଭୁଲିଗଲେ। ଦୀପାବଳି ଆତସବାଜି କଟକଣା ବି ଠିକ୍ ସେମିତି।
ଦୀପାବଳି ପୂର୍ବରୁ ଏଭଳି କଟକଣାକୁ ନେଇ ଚାରିଆଡେ ଚର୍ଚ୍ଚା, ସଚେତନତା ସୃଷ୍ଟି ପ୍ରୟାସ କରାଯାଉଛି; କିନ୍ତୁ ଦୀପାବଳି ଦିନ ଯାହାକୁ ତାହା। ଆତସବାଜି ଫୁଟିବ ଏବଂ ବାୟୁ ପ୍ରଦୂଷଣ ହେବ। ସାମୟିକ ଖୁସି ପାଇଁ ସାରା ଜୀବଜଗତକୁ ଆମେ ବିପଦକୁ ଠେଲି ଦେଉଛେ, ଯେଉଁ ବିପଦ ଆମେ ନିଜେ ବି ସାମ୍ନା କରୁଛେ। ଆଲୋକର ପର୍ବ ପାଳନ ପୂର୍ବରୁ ସମସ୍ତେ ଅନ୍ତତଃ ଏ ବିଷୟରେ ଥରେ ଚିନ୍ତା କରନ୍ତୁ।
Comments are closed.