କୃତ୍ରିମ ଫଳରସ
ପ୍ରଫେସର, ଡ଼. ସୂର୍ଯ୍ୟମଣି ବେହେରା
ସମୟ ଥିଲା ଯେତେବେଳେ ଲେମ୍ବୁ ସରବତ, କମଳାରସ, ଆମ୍ବରସ, ସପୁରିରସ, ଦହି ସରବତ କିମ୍ବା ଲସି ପିଇ ଲୋକମାନେ ଆନନ୍ଦ ପାଉଥିଲେ। ତଟକା ଫଳରସ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ବିଶେଷ ସହାୟକ ହେଉଥିଲା। ରୋଗ ସୃଷ୍ଟି ହେବାର ସମ୍ଭାବନା ଖୁବ୍ କମ୍ ଥିଲା। ଧୀରେଧୀରେ ଯୁଗ ବଦଳିଲା। ବିଜ୍ଞାନର ଅନେକ ଅଗ୍ରଗତି ହେଲା। ତଟକା ଫଳରସରେ କ’ଣ କ’ଣ ରାସାୟନିକ ପଦାର୍ଥ ସବୁ ରହିଛି, ତା’ର ବୈଜ୍ଞାନିକ ସମୀକ୍ଷାକରି କିପରି ସେସବୁ ଉପାୟରେ ପ୍ରସ୍ତୁତ କରାଯାଇପାରିବ, ସମସ୍ତ ବିଷୟ ସମ୍ଭବପର ହେଲା। ଏହାଦ୍ବାରା ପ୍ରକୃତିଜାତ ସୁଖାଦ୍ୟ ଫଳଗୁଡ଼ିକ ଠାରୁ ଦୂରେଇ ଯାଇ କୃତ୍ରିମତା ଉପରେ ଅଧିକ ମନୋନିବେଶର ପ୍ରଚଳନ ଆରମ୍ଭ ହେଲା।
ଦେଖାଗଲା- ବିଜ୍ଞାନାଗାରରେ କୃତ୍ରିମ ଉପାୟରେ ପ୍ରସ୍ତୁତ ହେଉଥିବା ଲେମ୍ବୁରସ, କମଳା ରସ, ସପୁରିରସ, ଆମ୍ବରସ ଇତ୍ୟାଦି ଅନେକ କିସମର ଫଳରସ। ଏଇ ଧରଣର ପଦାର୍ଥକୁ ମାତ୍ର କେଇ ବୁନ୍ଦା ରସ ଯଦି ଏକ ଗ୍ଲାସ ପାଣିରେ ମିଶାଇ ଦିଆଯିବ, ତେବେ ତାହା ସେହି ଫଳରସର ସ୍ବାଦ ଆଣିଦେବ। ସେଇଥିପାଇଁ ସହର ବଜାରରେ ଦୋକାନମାନଙ୍କରେ ବୋତଲ ଭର୍ତ୍ତି ଥଣ୍ଡା ପାନୀୟ ସବୁ ଏବେ ଦେଖିବାକୁ ମିଳୁଛି। କାଗଜ ପେଟିରେ ମଧ୍ୟ ତାହା ମିଳୁଛି। ଲୋକମାନେ ସେସବୁ ପାନ କରି ଶୋଷ ମେଣ୍ଟାଉଛନ୍ତି। ଏ ସବୁର ଚାହିଦା ବଢ଼ିଯିବା ଫଳରେ, ବଡ଼ବଡ଼ କାରଖାନା ସ୍ଥାପନକରି, ତହିଁରେ ଏଇ ଧରଣର କୃତ୍ରିମ ଥଣ୍ଡାପାନୀୟ ଅନେକ ପରିମାଣରେ ତିଆରି ହୋଇପାରୁଛି। ଏବେ ଦେଖାଯାଉଛି- ଲୋକମାନେ ଆସ୍ତେଆସ୍ତେ ପ୍ରକୃତି ଜାତ ଫଳରସ ପରିବର୍ତ୍ତେ କୃତ୍ରିମ ଫଳରସ ସହିତ ଅତି ମାତ୍ରାରେ ଜଡ଼ିତ ହୋଇ ପଡ଼ିଲେଣି। ସହର ବଜାରଠାରୁ ଆରମ୍ଭ କରି ଗାଁ ଗଣ୍ଡାମାନଙ୍କରେ ବି ଏସବୁର ବହୁତ ପ୍ରଚଳନ ଦେଖାଦେଇଛି। ତେବେ ଏଇ କେଇ ବର୍ଷ ହେଲା ସମସ୍ତଙ୍କ ମନରେ ଏକ ସନ୍ଦେହ ଜାତ ହୋଇଛି। ତାହା ହେଉଛି ଏଇ ସବୁ ଥଣ୍ଡା ପାନୀୟ ଆମରି ସ୍ବାସ୍ଥ୍ୟ ପାଇଁ ଭଲ କି ଭେଲ। ଯଦିଓ ସାମୟିକ ଭାବରେ ଏହି କୃତ୍ରିମ ଫଳରସର ସର୍ବତ ପିଇ ଆମେ ଶାନ୍ତି ପାଇ ପାରୁଛେ, ତଥାପି ତହିଁରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥ ସବୁ ଆମ ଦେହ ଭିତରେ ଆସ୍ତେଆସ୍ତେ ବିଷ ସଦୃଶ କାର୍ଯ୍ୟ କରୁଛି ବୋଲି ଜଣା ପଡ଼ିଲାଣି। ଏବେ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ରସାୟନଗୁଡ଼ିକ ମଧ୍ୟରୁ ବି.ଭି. ଓ ରସାୟନ ସବୁଠାରୁ କ୍ଷତିକାରକ। ଏହା ଦେହ ଭିତରେ ଏକ ମାରାତ୍ମକ ମନ୍ଥର ବିଷ ହିସାବରେ କାର୍ଯ୍ୟ କରିଥାଏ। ଏଇଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ବି.ଭି.ଓ ରସାୟନ ବ୍ୟବହାର କରି ଥଣ୍ଡା ପାନୀୟ ପ୍ରସ୍ତୁତ ହୋଇ ପାରିବ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଇଛି। ଆମ ଦେଶ ଭାରତରେ ବି ଏହାର ପ୍ରଚଳନ ଉପରେ କଡ଼ା ନଜର ରଖାଯାଇଛି।
ବିଭିଓ କ’ଣ?
ବିଭିଓ ହେଉଛି ବ୍ରୋମିନେଟେଡ ଭେଡିଟେବୁଲ ଅଏଲ୍ର ସଂକ୍ଷିପ୍ତ ସଂକେତ। ଓଡ଼ିଆରେ ଏହା ବ୍ରୋମିନ୍ଯୁକ୍ତ ଉଦ୍ଭିଦ ତୈଳ ହିସାବରେ ପରିଚିତ। ରାଶି, ବାଦାମ, ନଡ଼ିଆ, ସୋରିଷ, ଶାଳ, କରଞ୍ଜ, ମହୁଲ ପ୍ରଭୃତି ପଦାର୍ଥରୁ ପ୍ରସ୍ତୁତ ହେଉଥିବା ତେଲରେ ବ୍ରୋମିନ୍କୁ ମିଶାଇ ଯେଉଁ ସ୍ବତନ୍ତ୍ର ଧରଣର ତେଲ ତିଆରି କରାହୋଇଥାଏ, ତାହା ବିଭିଓ ନାମରେ ପରିଚିତ।
ଏହାର ବିଶେଷତ୍ବ ହେଉଛି ଯଦି ଏଇ ତେଲରୁ କେଇ ବୁନ୍ଦା ଥଣ୍ଡା ପାନୀୟ ପ୍ରସ୍ତୁତି ସମୟରେ ବ୍ୟବହୃତ ହେବ, ତେବେ ସେହି ପାନୀୟଟିର ସମସ୍ତ ଅଂଶ ଅତି ସୁନ୍ଦର ବର୍ଣ୍ଣ ଧାରଣ କରି ଅନେକ ଦିନ ଧରି ସେଇମିତି ରହିପାରିବ। ଆମ୍ବ , ଲେମ୍ବୁ ଅଥବା କମଳା ରସ ବୋତଲ ଭିତରେ ଯେମିତି ତଳେ ବହଳିଆ ଅଂଶ ବସିଯାଇ ଉପରେ କେବଳ ତରଳ ଅଂଶ ରହିଥାଏ, ଥଣ୍ଡା ପାନୀୟରେ ବି.ଭି.ଓ ମିଶା ଯାଇଥିବ, ତେବେ ଏମିତିଆ ବହଳିଆ ଅଂଶ ତଳେ ବସିଯିବାର ସମ୍ଭାବନା ଆଦୌ ନଥିବ। ତେବେ ଏଇ କଥା ଠିକ୍ ଯେ ବ୍ରୋମିନ୍ ଏକ ମାରାତ୍ମକ ବିଷ। ସୁତରାଂ ଏହାର ମିଶ୍ରଣରେ ତେଲ ବି ବିଷାକ୍ତ ହୋଇଯିବା ସ୍ବାଭାବିକ୍। ଅବଶ୍ୟ ବୈଜ୍ଞାନିକଗଣ ବି.ଭି.ଓ ଉପରେ ଅନେକ ଗବେଷଣା କରିଛନ୍ତି। ସେମାନେ ବି ଦର୍ଶାଇଛନ୍ତି ଯେ ଯଦି ଖୁବ୍ ଅଳ୍ପମାତ୍ରାରେ ଏହି ରସାୟନକୁ ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହାର କରାଯିବ, ତେବେ ତାହା ଦେହ ପକ୍ଷରେ କ୍ଷତିକାରକ ହେବନାହିଁ। ମାତ୍ର ଦେଖାଗଲା, ଏଇ ଧରଣର ମାନ ରକ୍ଷା କରିବାରେ କୌଣସି ଥଣ୍ଡାପାନୀୟ କାରଖାନାର ମାଲିକଗଣ ମନ ଦେଲେନାହିଁ। ବିଭିଓ ର ମନଇଚ୍ଛା ବ୍ୟବହାର ଓ ଥଣ୍ଡାପାନୀୟ କାରଖାନାର ମାଲିକଗଣ ମନ ଦେଲେ ନାହିଁ। ବିଭିଓର ମନଇଚ୍ଛା ବ୍ୟବହାର ଓ ଥଣ୍ଡାପାନୀୟ ବହୁଳ ପ୍ରସାର ହେତୁ ସରକାରଙ୍କର ଖାଦ୍ୟମାନ ନିର୍ଦ୍ଧାରଣ କମିଟି ଏହି ରସାୟନର ବ୍ୟବହାରକୁ ପୂରାପୂରି ନିଷେଧ କରିବା ପାଇଁ ସୁପାରିସ କଲେ। ସରକାର ମଧ୍ୟ ଲୋକମାନଙ୍କର ସ୍ବାସ୍ଥ୍ୟହାନି ଜନିତ କାରଣରୁ ଏହାର ବ୍ୟବହାରକୁ ବନ୍ଦ କରିଦେଲେ। ତଥାପି ଲୁଚେଇ ଛପେଇ ଏହାର ବ୍ୟବହାରରେ ଏବେ ବି ଥଣ୍ଡାପାନୀୟ ତିଆରି ଚାଲିଛି। ଯେଉଁ କାରଖାନାର ମାଲିକଗଣ ନିୟମ ମାନି ଚଳୁଛନ୍ତି, ସେମାନେ ବିଭିଓକୁ ବ୍ୟବହାର ନ କରି ଏହାର ବିକଳ୍ପ ରସାୟନ ରୂପେ ପରିଚିତ ପ୍ରପିଲିନ ଡାୟା ବ୍ରୋଞ୍ଜଏଟ୍, ଗ୍ଲିସାରିନ୍ ପ୍ରଭୃତି ବ୍ୟବହାର କରି ଥଣ୍ଡାପାନୀୟ ପ୍ରସ୍ତୁତ କରୁଛନ୍ତି। ଗୋଟିଏ ଥଣ୍ଡା ପାନୀୟ ପାନକଲେ ଆମେ ସାଧାରଣତଃ ନିମ୍ନଲିଖିତ ପଦାର୍ଥଗୁଡ଼ିକୁ ଭକ୍ଷଣ କରିଥାଉଁ। ସେଗୁଡ଼ିକ ହେଲା ଜଳ, ସୋଡିୟମ୍,ବୋଞ୍ଜୋଏଟ୍, ପଟାସିୟମ୍ ବେଞ୍ଜୋଏଟ୍, ଷ୍ଟାର୍ଚ ପାଉଡର, ଆମ୍ବ, କମଳା ଓ ଲେମ୍ବୁ ଫଳରସ ଭଳିଆ ରାସାୟନିକ ପଦାର୍ଥରୁ କିଛି ବିଭିଓ ବା ତା’ର ବିକଳ୍ପ ରସାୟନ, ବିଟା କେରୋଟିନ୍, ଭିଟାମିନ୍-ସି ଏବଂ କିଛି କେଫିନ୍। ଏଇ ଧରଣର ରସାୟନଗୁଡ଼ିକ ଥଣ୍ଡାପାନୀୟରେ ରହିଥିବାରୁ ତାହା ଅନେକ ଦିନ ଧରି ସଂରକ୍ଷିତ ହୋଇ ରହିପାରେ। ଉଲ୍ଲେଖଯୋଗ୍ୟ ଯେ- ବିଭିଓ କୁ ଛାଡ଼ିଦେଲେ, ଅନ୍ୟାନ୍ୟ ରସାୟନଗୁଡ଼ିକ ଖୁବ୍ ଅଳ୍ପ ମାତ୍ରାରେ ବ୍ୟବହୃତ ହେଉଥିବାରୁ କ୍ଷତିକାରକ ନୁହନ୍ତି।
ବିଭିଓ ବ୍ୟବହାରର କୁ-ପରିଣାମ
ବିଭିଓ ରସାୟନ ଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର ଦ୍ବାରା ଯଦିଓ ପାନ କରୁଥିବା ଲୋକର ହଠାତ୍ କିଛି ଅଘଟଣ ଘଟେ ନାହିଁ ତଥାପି ଏହା ଏକ ମନ୍ଥର ବିଷ ହିସାବରେ ଦେହ ଭିତରେ ଧୀରେଧୀରେ କାର୍ଯ୍ୟ କରିଥାଏ। ଫଳରେ ପାନ କରିଥିବା ଲୋକ ସମୟକ୍ରମେ ବଦ୍ହଜମି, ଛାତି ଯନ୍ତ୍ରଣା, ବିସ୍ଫୋଟକ ରୋଗରେ ଆକ୍ରାନ୍ତ ହୋଇ ଅନେକ କଷ୍ଟ ଭୋଗୁଥିବାର ଉଦାହରଣ ରହିଛି। ତେଣୁ ସାବଧାନ! ଫୁଟାପାଣି ପିଇବା ଭଲ କି ପଇସା ଦେଇ ଥଣ୍ଡା ପାନୀୟ ପିଇବା ଭଲ, ତାହା ବୁଝି ବିଚାରି ବ୍ୟବହାର କରିବା ଉଚିତ୍। ନଚେତ୍ ଦେହକୁ ରୋଗ ଆଣିବା ସାର ହେବ।
Comments are closed.