www.samajalive.in
Friday, December 12, 2025
14.1 C
Bhubaneswar

ଆଜିଠୁ ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ

ଭୁବନେଶ୍ବର: ଦୁଇଦିନିଆ ମିଲେଟ୍ସ (ପୁଷ୍ଟିଶସ୍ୟ) ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ‌ଆରମ୍ଭ ହେଉଛି। ଜନତା ମଇଦାନରେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଉଦ୍‌ଘାଟନ କରିବେ। ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟା‌ଣ ସଚିବ ମନୋଜ ଆହୁଜା, ଆଇସିଏଆରର ମହାନିର୍ଦେଶକ ଡ. ହିମାଂଶୁ ପାଠକ, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ପ୍ରତିନିଧି ଉପସ୍ଥିତ ରହିବେ। ସେହିପରି ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ।

ସୂଚନା ଅନୁସାରେ, ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି। ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍‌’। ସମ୍ମିଳନୀରେ ମିଲେଟ୍ସ ଚାଷ, ପ୍ରକ୍ରିୟାକରଣରେ କୃଷକଙ୍କ ସମ୍ପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସମେତ ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡଟେବୁଲ୍‌ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ୍‌ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ।

- Advertisement -

ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ଯଥା-ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି), ଇଣ୍ଟରନ୍ୟାସ୍‌ନାଲ୍‌ ଫଣ୍ଡ ଫର ଏଗ୍ରିକଲଚରାଲ୍‌ ଡେଭଲପ୍‌ମେଣ୍ଟ (ଆଇଏଫ୍‌ଏଡି), ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଆଫ୍ରିକୀୟ ଦେଶ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସର କର୍ମକର୍ତ୍ତା, ବିଭିନ୍ନ ରାଜ୍ୟର କୃଷି ସଚିବଙ୍କ ସମେତ ଅନେକ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ୩୧ଟି ବୈଷୟିକ ଓ ଅଣବୈଷୟିକ ଅଧିବେଶନର ଆୟୋଜନ କରାଯିବ। ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ତିନିଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଏବଂ ମିଲେଟସ୍‌ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖ୍ୟାତନାମା ସେଫ୍‌ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ପ୍ରାୟ ୩୦୦ ବିଦେଶୀ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀର ସମସ୍ତ ଅଧିବେଶନରେ ଏକ କିମ୍ବା ଏକାଧିକ ମହିଳା ବକ୍ତାଙ୍କୁ ସାମିଲ କରାଯିବାକୁ ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଅନ୍ତର୍ଜାତୀୟ ସମ୍ମିଳନୀକୁ ଭିନ୍ନକ୍ଷମଙ୍କ ନିମନ୍ତେ ଅନୁକୂଳ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories