ଇଲେକ୍ଟୋରାଲ ବଣ୍ଡ୍ ନୀତିରେ ସରକାର ପାତରଅନ୍ତର କରୁଛନ୍ତି
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକୁ ମିଳୁଥିବା ପାଣ୍ଠିର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର ପିଟିସନଗୁଡିକ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଶୁଣାଣି ଚଳାଇଛନ୍ତି। ବୁଧବାର ଦ୍ବିତୀୟ ଦିନରେ ଶୁଣାଣି କାଳରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ସରକାର ପାତରଅନ୍ତର ନୀତି ଆପଣାଇ ଆସୁଛନ୍ତି। ଇଲେକ୍ଟୋରାଲ ବଣ୍ଡ ଯୋଜନାର ନୀୟମ ଅନୁଯାୟୀ ଅନୁଦାନ ଦେଉଥିବା ବ୍ୟକ୍ତି ଓ ସଂସ୍ଥାର ପରିଚୟ ଗୋପନ ରଖାଯିବ। ତେବେ ସରକାରୀ ଦଳଗୁଡିକୁ ଅନୁଦାନ ଦେଉଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଗୋପନ ରଖାଯାଉଛି। ମାତ୍ର ବିରୋଧୀ ଦଳଗୁଡିକ ଅନୁଦାନ ଦେଉଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଗୁପ୍ତ ରଖାଯାଉ ନାହିଁ। କାରଣ ବ୍ୟାଙ୍କରୁ ଇଲେକ୍ଟୋରାଲ ବଣ୍ଡ କିଣିଥିବା ବ୍ୟକ୍ତି ବିଶେଷଙ୍କ ପରିଚୟକୁ ତଦନ୍ତକାରୀ ଏଜେନ୍ସିଗୁଡିକ ଜାଣିପାରୁଛନ୍ତି। ତଦନ୍ତକାରୀ ଏଜେନ୍ସି ଜରିଆରେ ଶାସକ ଦଳ ବିରୋଧୀ ଦଳଗୁଡିକୁ ଅନୁଦାନ ଦେଇଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ପରିଚୟ ଜାଣିପାରୁଛନ୍ତି। ତେଣୁ ଯୋଜନାରେ ସମ୍ପୂର୍ଣ୍ଣ ଗୋପନୀୟତା ବଦଳରେ ଚୟନାତ୍ମକ ଗୋପନୀୟତା ଅନୁସରଣ କରାଯାଉଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ମତବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ପୀଠ କହିଥିଲେ ଯେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଚତୁରତାର ସହ ଅନ୍ୟମାନଙ୍କ ଜରିଆରେ ଇଲେକ୍ଟୋରାଲ ବଣ୍ଡ କିଣି ଅନୁଦାନ ଦେଉଛନ୍ତି। କଳାଧନ ଜମାକାରୀ ନିଜ ନାମରେ ଇଲେକ୍ଟୋରାଲ ବଣ୍ଡ କିଣୁ ନାହାନ୍ତି। ସେମାନେ ଅନ୍ୟମାନଙ୍କ ଜରିଆରେ ଏହାକୁ କିଣୁଛନ୍ତି।
https://samajalive.in/e-medhabruti-odisha/509362.html
ଯୋଜନାକୁ ସମର୍ଥନ ଜଣାଇ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦିଆଯାଉଥିବା ଅନୁଦାନର ତଥ୍ୟ ଗୋପନ ରଖାଯାଉଛି। ଅନ୍ୟପଟେ ଇଲେକ୍ଟୋରାଲ ବଣ୍ଡର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରିଥିବା ଅନ୍ୟତମ ଆବେଦନକାରୀ ଏଡିଆର ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଅଦାଲତରେ ଯୁକ୍ତି ରଖିଛନ୍ତି। ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକୁ ଲାଞ୍ଚ ଦିଆଯାଉଛି। ଏହା ବଦଳରେ ସେମାନେ ସରକାରଙ୍କ ଠାରୁ ବିଭିନ୍ନ ପ୍ରକାର ଅନୁକମ୍ପା ହାସଲ କରୁଛନ୍ତି। ଏ ସମ୍ପର୍କରେ ପ୍ରଶାନ୍ତ ଭୂଷଣ କେତେକ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି। କାରଣ ଯେଉଁ ଦଳ କେନ୍ଦ୍ର କିମ୍ବା ରାଜ୍ୟରେ କ୍ଷମତାସୀନ ହୋଇଥାନ୍ତି ସେହି ଦଳ ସର୍ବାଧିକ ପାଣ୍ଠି ପାଇଥାନ୍ତି।
Comments are closed.