ସେମିଫାଇନାଲ ଲକ୍ଷ୍ୟରେ ଭାରତ, ଆଜି ଭାରତ-ଇଂଲଣ୍ଡ ମୁକାବିଲା
ଲକ୍ଷ୍ନୌ: ଆଇସିସି ଦିନିକିଆ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ରବିବାର ଲକ୍ଷ୍ନୌର ଏକ୍ନା ଷ୍ଟାଡ଼ିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୯ତମ ମ୍ୟାଚ ଖେଳାଯିବ। ଭାରତ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଅପରାଜୟ ଥିବାରୁ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଏକ ପ୍ରକାର ସେମିଫାଇନାଲରୁ ବାଦ୍ ପଡିବା ନିଶ୍ଚିତ ଥିବା ଗତଥରର ବିଜେତା ଇଂଲଣ୍ଡ ନିକଟରେ ପ୍ରତ୍ୟାବର୍ତ୍ତନ ନେଇ ଶେଷ ସୁଯୋଗ ରହିଛି।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ୫ଟି ମ୍ୟାଚରୁ ୫ଟି ବିଜୟ ସହ ୧୦ ପଏଣ୍ଟ ପାଇଛି। ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ ଓ ବାଂଲାଦେଶକୁ ୭ ୱିକେଟରେ ଓ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ରୋହିତ ଶର୍ମା ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୩୧୧ରନ, ବିରାଟ କୋହଲି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୩୫୪ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ୍, ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ମଧ୍ୟ ରନ କରୁଛନ୍ତି। ଭାରତର ଶୀର୍ଷ ୫ ବ୍ୟାଟ୍ସମ୍ୟାନ ରୋହିତ, ଗିଲ୍, ବିରାଟ କୋହଲି, ରାହୁଲ ଓ ଶ୍ରେୟାଶ ଏପର୍ଯ୍ୟନ୍ତ ବ୍ୟାଟିଂ ଭାର ସମ୍ଭାଳିବାରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ। ଯାହା ଫଳରେ ଭାରତ ୫ଜଣ ବୋଲରଙ୍କୁ ନେଇ ଖେଳିବାକୁ ପଡିଥିଲା। ଇଂଲଣ୍ଡ ବିପକ୍ଷରେ ଦଳ ୬ଜଣ ବ୍ୟାଟ୍ସମ୍ୟାନ ଓ ୫ଜଣ ବୋଲରଙ୍କୁ ନେଇ ଖେଳିବାର ମଧ୍ୟ ଆଶା କରାଯାଉଛି।ସୂର୍ଯ୍ୟକୁମାର ଯାଦବଙ୍କୁ ପୁଣି ଏକ ସୁଯୋଗ ମିଳିବା ନେଇ ସମ୍ଭବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବୋଲିଂରେ ଭାରତ ଦୁଇଜଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କୁ ଖେଳାଇବାବେଳେ ୩ଜଣ ରବୀନ୍ଦ୍ର ଜାଡେଜା, କୁଳଦୀପ୍ ଯାଦବଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ଖେଳିବା ଆଶା କରାଯାଉଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ଅଶ୍ବିନ ଖେଳିବାର ସମ୍ଭାବନା ରହିଛି। କାରଣ ନ୍ୟୁଜିଲାଣ୍ଡ ବିପକ୍ଷରେ ମହମ୍ମଦ ସାମି ୫ଟି ୱିକେଟ ନେଇଥିବାରୁ ସେ ଇଂଲଣ୍ଡ ବିପକ୍ଷରେ ଖେଳିବା ନେଇ ଆଗରେ ରହିଛନ୍ତି।
ଅନ୍ୟପକ୍ଷରେ ଜୋଶ ବଟ୍ଲରଙ୍କ ନେତୃତ୍ବାଧିନ ଇଂଲଣ୍ଡ ୫ ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ ଟି ପରାଜୟ ବରଣ କରିଛି। ଦଳ ନ୍ୟୁଜିଲାଣ୍ଡ ନିକଟରୁ ୯ ୱିକେଟରେ,ଆଫଗାନିସ୍ତାନ ନିକଟରୁ ୬୯ରନରେ ଓ ଦକ୍ଷିଣ ଆଫ୍ରିକା ନିକଟରୁ ୨୨୯ରନରେ ଓ ଶ୍ରୀଲଙ୍କା ନିକଟରୁ ୮ ୱିକେଟେର ପରାଜିତ ହୋଇଥିବାବେଳେ ବାଂଲାଦେଶକୁୁ ୧୩୭ରନରେ ପରାସ୍ତ କରିଥିଲା। ଦଳ ନିକଟରେ ଜୋଶ୍ ବଟ୍ଲର, ଜୋ ରୁଟ୍, ଜନି ବେୟାରଷ୍ଟୋ, ଦାୱଦ ମାଲାନ, ବେନ୍ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗଷ୍ଟୋନ ଓ ହ୍ୟାରୀ ବ୍ରୁକ୍ସଙ୍କ ଭଳି ବ୍ୟାଟ୍ସମ୍ୟାନ ମହଜୁଦ ରହିଥିଲେ ମଧ୍ୟ ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି। ଶେଷ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ବ୍ୟାଟିଂ ଦୁର୍ଦଶା ଭୋଗିଥିଲା। ବୋଲିଂରେ ରିସ୍ ଟପ୍ଲି, ଡେଭିଡ୍ ୱେଲି,ଗୁସ ଆଟ୍କିନସନ, ମାର୍କ ଉଡ୍, ଆଦିଲ ରସିଦ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଯାହା ଫଳରେ ବିପକ୍ଷ ଦଳ ବଡ ସ୍କୋର କରିବାରେ ସଫଳ ହେଉଛନ୍ତି। ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡିବ। ଏହି ଦୃଷ୍ଟିରୁ ଉକ୍ତ ମ୍ୟାଚ ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି।
Comments are closed.