ଚିନ୍ତା ବଢ଼ାଉଛି ଦୁର୍ଘଟଣା

0

– ପାଞ୍ଚବର୍ଷରେ ୫୧,୨୫୭ ଦୁର୍ଘଟଣା ,-୨୧,୫୪୯ଜଣଙ୍କ ପ୍ରାଣହାନି

ଭୁବନେଶ୍ୱର : ରାସ୍ତା ଦୁର୍ଘଟଣା ଦିନକୁ ଦିନ ବଢ଼ୁଛି। ଏହାକୁ ରୋକିବା ଏବେ ଚିନ୍ତାର କାରଣ ହୋଇଛି। ଗତ ପାଞ୍ଚ ବର୍ଷ ଭିତରେ ୫୧,୨୫୭ଟି ଦୁର୍ଘଟଣାରେ ୨୧,୫୪୯ଜଣ ପ୍ରାଣ ହରାଇଲେଣି। ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଉତ୍ତରରୁ ଏହା ଜଣାପଡ଼ିଛି।
ଦୁର୍ଘଟଣା ହାର, ଏହାର କାରଣ ଓ ପ୍ରତିକାର ସଂକ୍ରାନ୍ତରେ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡ.ନୃସିଂହଚରଣ ସାହୁ କହିଛନ୍ତି ଯେ ୨୦୧୭ରେ କେତେକ ଜିଲାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଦୁର୍ଘଟଣାର ଅନ୍ୟତମ କାରଣ ହେଲା ଚାଳକଙ୍କ ତ୍ରୁଟି। ରାଜ୍ୟ ସରକାର ଉପଯୁକ୍ତ ସୁବିଧା ଥିବା ଡ୍ରାଇଭିଂ ସେଣ୍ଟର ଖୋଲିଛନ୍ତି।
୨୦୧୩ରେ ରାଜ୍ୟରେ ୯୬୮୦ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୪୦୬୨ଜଣ ପ୍ରାଣ ହରାଇଥିଲେ। ତେବେ ୨୦୧୪ରେ ଏ ସଂଖ୍ୟା ୩୯୩୧କୁ କମିଥିବାବେଳେ ଏହା ପରବର୍ତ୍ତୀ ବର୍ଷଗୁଡ଼ିକରେ ବଢ଼ିଚାଲିଛି। ୨୦୧୫ରେ ଦୁର୍ଘଟଣା ସଂଖ୍ୟା ୧୦୫୪୨କୁ ବଢ଼ିଥିବାବେଳେ ମୃତ୍ୟୁ ସଂଖ୍ୟା ୪୩୦୩କୁ ବଢ଼ିଥିଲା। ତେବେ ୨୦୧୬ରେ ଦୁର୍ଘଟଣା ସଂଖ୍ୟା ୧୦୫୩୨କୁ କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ୪୪୬୩କୁ ବୃଦ୍ଧି ପାଇଥିଲା। ୨୦୧୭ରେ ଦୁର୍ଘଟଣା ସଂଖ୍ୟା ୧୦,୮୫୫କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୭୯୦କୁ ବଢ଼ିଛି।
୨୦୧୭ରେ ସର୍ବାଧିକ ୬୦୦ଟି ଦୁର୍ଘଟଣା ଘଟିଥିଲା ଭୁବନେଶ୍ୱରରେ। କେନ୍ଦୁଝରରେ ୫୯୨ ଓ ସମ୍ବଲପୁରରେ ୫୭୦ଟି ଦୁର୍ଘଟଣା ଘଟିଥିଲା। କେନ୍ଦୁଝରରେ ସର୍ବାଧିକ ୩୧୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ୨୭୪ ଓ ମୟୂରଭଞ୍ଜରେ ୨୬୬ଜଣଙ୍କ ମୃତ୍ୟୁ ହୋଇଥିଲା।
ତେବେ ଜୟପୁରଠାରେ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ଶ୍ରୀ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ସରକାରଙ୍କର ସେଭଳି କିଛି ପ୍ରସ୍ତାବ ନାହିଁ।

Leave A Reply