ଡିସେମ୍ବରରୁ ମହଙ୍ଗା ହେବ ଟିଭି ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ
ନୂଆଦିଲ୍ଲୀ . – ଡିସେମ୍ବର ମାସରୁ ଟିଭି ସହ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ୭ରୁ୮ ପ୍ରତିଶତ ମହଙ୍ଗା ହେବ । ପାର୍ବଣର ଋତୁ ଶେଷ ହେବା ପରେ ବିଭିନ୍ନ କମ୍ପାନୀ ଏବେ ବିଭିନ୍ନ ଘରୋଇ ଉପକରଣ ବିକ୍ରି ମୂଲ୍ୟ ବୃଦ୍ଧି କରିବା ପାଇଁ ସମୀକ୍ଷା କରିଛନ୍ତି । ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଉଥିବାରୁ ଏବେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଶଂ ଆମଦାନୀର ମୂଲ୍ୟ ବୃଦ୍ଧି ହୋଇଛି ।
ପାନାସୋନିକ ଇଣ୍ଡିଆ ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ପ୍ରାୟ ୭ ପ୍ରତିଶତ ବୃଦ୍ଧି କରିବ ବୋଲି ସୂଚନା ଦେଇଛି । ଅନ୍ୟ କେତକ କମ୍ପାନୀ ନିଜ ଉତ୍ପାଦର ମୂଲ୍ୟ ବୃଦ୍ଧି କରି ସାରିଲେଣି । ଭାରତରେ ବିଭିନ୍ନ ବୈଦ୍ୟୁତିକ ଉପକରଣ ନିର୍ମାଣକାରୀ ଉଦ୍ୟୋଗଙ୍କ ସଂଗଠନ ସିଏମା ଅନୁସାରେ ସେପ୍ଟମ୍ବରଠାରୁ ବିଭିନ୍ନ ଉପକରଣର ମୂଲ୍ୟକୁ ୩ରୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ମାତ୍ର ସୋନି ଏବେ ନିଜ ଉତ୍ପାଦ ଗୁଡିକର ମୂଲ୍ୟ ବୃଦ୍ଧି କରିବ ନାହିଁ ବୋଲି ସୂଚନା ଦେଇଛି ।